କେନ୍ଦ୍ରାପଡା,୧୮ା୯: ଶୁକ୍ରବାର ଇନ୍ଦୁପୂର୍ଣ୍ଣିମା ତଥା ଭାଗବତ ଜନ୍ମ ଉତ୍ସବ ଅବସରରେ ଶ୍ରୀ ଗୋପିନାଥ ଜୀୟୁ, ବିନୋଦବିହାରୀଜୀୟୁ ଓ ବାଲାବାବା ଟ୍ରଷ୍ଟ ପରିଚାଳନା କମିଟି ଆନୁକୂଲ୍ୟରେ ଶ୍ରୀ ସିଦ୍ଧ ମହାପୁରୁଷ ବାଲାବାବାଙ୍କର ଜନ୍ମ ଉତ୍ସବ ତଥା ବାର୍ଷିକୋତ୍ସବ ସ୍ଥାନୀୟ ଗଣାମାହାଲ ବାଲାବାବା ମନ୍ଦିରଠାରେ ମହାସମାରୋହରେ ଅନୁଷ୍ଠିତ ହେଇଯାଇଛି । ଏହି ଉପଲକ୍ଷେ ମଙ୍ଗଳବାର ଦିନ ଅପରାହ୍ନ ୫ଟା ସମୟରେ ସହରର ତିନିମୁହାଣିଠାରୁ ସାନ୍ତସାହି ପର୍ଯ୍ୟନ୍ତ ବାଲାବାବାଙ୍କର ଏକ ଫଟୋଚିତ୍ର ସହ ନଗରକୀର୍ତ୍ତନ କରାଯାଇଥିଲା । ଶୁକ୍ରବାର ଦିନ ପ୍ରାତଃ ୬ଟା ସମୟରେ ପହଡ ଖୋଲାଯିବା ପରେ ସ୍ନାନ କରାଯାଇ ପୁଜାଅର୍ଚ୍ଚନା କରାଯାଇଥିଲା । ଏହାପରେ ମଧ୍ୟାହ୍ନରେ ଷୋଡଶ ଉପଚାର ତଥା ସନ୍ୟାସୀ ବେଶ କରାଯିବା ପରେ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲାଯାଇଥିଲା । ସନ୍ଧ୍ୟାରେ ମହାଭିଷେକ କରାଯାଇଥିଲା । ଏହି ଅବସରରେ ଗତ ସେପ୍ଟେମ୍ବର ୧୨ତାରିଖଠାରୁ ଭାଗବତ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଭକ୍ତ ବାବାଙ୍କ ଆଶୀର୍ବାଦ ନେଇଥିଲେ ।