
କେନ୍ଦ୍ରାପଡ଼ା, ୪ା୧୦: କେନ୍ଦ୍ରାପଡା ଜିଲ୍ଲା ଖାଉଟି ବିବାଦ ସମାଧାନ କମିଶନ ଦାୟୀତ୍ୱରେ ଅବହେଳା ଓ ସେବା ଯୋଗାଇବାରେ ବିଫଳତା ପାଇଁ ଡାକ ବିଭାଗକୁ ଜୋରିମାନାରେ ଦଣ୍ଡିତ କରିଛନ୍ତି। କମିଶନ ଠାକୁରପାଟଣା ଉପ- ଡାକଘରର ଉପ-ଡାକପାଳ, କେନ୍ଦ୍ରାପଡା ଡିଭିଜନର ଡାକ ଅଧୀକ୍ଷକ ଓ ପାଟକୁରା ଉପଡାକଘରର ଉପ-ଡାକପାଳଙ୍କୁ ୨ହଜାରଟଙ୍କା କ୍ଷତିପୁରଣ ସହ ଅଦାଲତରେ ମାମଲା ଖର୍ଚ୍ଚ ପାଇଁ ଏକ ହଜାର ଟଙ୍କା ଅଭିଯୋଗକାରୀ ପବିତ୍ର କୁମାର ପାଣିଙ୍କୁ ଦେବା ପାଇଁ ନିର୍ଦେଶ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ଗ୍ରାମର ସ୍ୱର୍ଗତ କାହ୍ନୁଚରଣ ପାଣିଙ୍କ ପୁଅ ପବିତ୍ର କୁମାର ପାଣି ପାଟକୁରା ଉପ ଡାକଘରେ ଗତ ୨୬.୧୦.୨୦୨୩ରିଖରେ ଦୁଇଟି ଇଏମଓ ୧୮୦୬ଟଙ୍କା ଓ ୨୫ଟଙ୍କା କେନ୍ଦ୍ରାପଡା ମୃତ୍ତିକା ସଂରକ୍ଷଣ ବିଭାଗକୁ ସୂଚନା ଅଧିକାର ଆଇନରେ ତଥ୍ୟ ପାଇବା ପାଇଁ ପଠାଇଥିଲେ। କିନ୍ତୁ ସେହି ଇଏମଓ ଦୁଇଟି ଗତ ୨୧.୧୨.୨୦୨୩ରିଖରେ ବହୁ ବିଳମ୍ବରେ ଅର୍ଥାତ ପ୍ରାୟ ଦୁଇମାସ ପରେ ପେମେଣ୍ଟ କରାଯାଇଥିଲା। ଫଳରେ ଅଭିଯୋଗକାରୀ ମାନସିକ ଯନ୍ତ୍ରଣା ପାଇବା ସହ ନିର୍ଯ୍ୟାତିତ ହୋଇଥିଲେ। ଜିଲ୍ଲା ଖାଉଟି ବିବାଦ ସମାଧାନ କମିଶନ ଏହି ମାମଲାର ବିଚାର କରି ସମସ୍ତ ତଥ୍ୟ ଓ ପ୍ରମାଣକୁ ଭିତ୍ତି କରି ଡାକବିଭାଗର ଉପରୋକ୍ତ ଅଧିକାରୀମାନଙ୍କୁ ଅଭିଯୋଗକାରୀ ପଠାଇଥିବା ଇଏମଓ ଅର୍ଥ ୧୮୩୧ଟଙ୍କା ଫେରସ୍ତ କରିବା ସମେତ ୨ହଜାର ଟଙ୍କା କ୍ଷତିପୁରଣ ଓ ମାମଲାର ଖର୍ଚ୍ଚ ବାବଦକୁ ଏକ ହଜାର ଟଙ୍କା ନିର୍ଦେଶ ପାଇବାର ୪୫ଦିନ ମଧ୍ୟରେ ଅଭିଯୋଗକାରୀ ପବିତ୍ର କୁମାର ପାଣିଙ୍କୁ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି।











