ଶାରଦୀୟ ଦୁର୍ଗାପୂଜା ବିଜୟା ଦଶମୀରେ ସିନ୍ଦୂର ଖେଳ , ଅପରାଜିତା ପୂଜା

ଶାରଦୀୟ ଦୁର୍ଗାପୂଜା ବିଜୟା ଦଶମୀରେ ସିନ୍ଦୂର ଖେଳ , ଅପରାଜିତା ପୂଜା

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ପାଳିତ ଶାରଦୀୟ ଦୁର୍ଗାପୂଜାର ଶାନ୍ତିଶୃଙ୍ଖଳା ମଧ୍ୟରେ ଶେଷ ହୋଇଛି। ପଟ୍ଟାମୁଣ୍ଡାଇ ସହର ସମେତ ଗ୍ରାଂଚଳରେ ହୋଇଥିବା ୫୦ଟି ପୂଜାମଣ୍ଡପରେ ମା’ଙ୍କମୃଣ୍ମୟୀମୂର୍ତୀ ପୂଜାକରାଯାଇଥିଲା। ପ୍ରତ୍ୟହ ରୀତି ନୀତି ଅନୁଯାୟୀ ପୂଜାପାଠ କରାଯାଇଥିଲା। ମା’ ମହାମାୟାଙ୍କ ଦର୍ଶନ ପାଇଁ ପ୍ରତ୍ୟହ ଶହସ୍ରାଧିକ ଭକ୍ତଙ୍କ ସମାଗମ ହେଉଥିଲା। ରବିବାର ଜଗତଜନନୀ ମା’ ଦୁର୍ଗାଙ୍କ ଦଶହରା ଦଶମୀ ପୂଜାର୍ଚ୍ଚନା ମହାଆଡ଼ମ୍ବରରେ ପାଳିତ ହୋଇ ଉଦ୍‌ଯାପିତ ହୋଇଯାଇଛି। ଶାରଦୀୟ ଦୁର୍ଗାପୂଜାର ଆଜି ଅନ୍ତିମ ପର୍ବ, ବିଜୟା ଦଶମୀ।ରେ ବଙ୍ଗାଳିସାହି ଦୁର୍ଗା ପୂଜା ମଣ୍ଡପରେ ଦେଖିବାକୁ ମିଳିଛି ଅନନ୍ୟ ପରମ୍ପରା। ପୂଜା ମଣ୍ଡପରେ ତାରୀଣି ବ୍ରତ, କୁମାରୀ ପୂଜା, ଅପରାଜିତା ପୁଜା, ସିନ୍ଦୁର ଖେଳ ଓ କନକ ଅଞ୍ଜୁଳି ପରି ପୂଜାବିଧି ରହିଛି।

ବାଙ୍ଗାଲିସାହି ମେଢର ସଂପାଦକ ବିଶ୍ୱଜିତ ଦାସ କୁହନ୍ତି ମା’ ଦୁର୍ଗା ଦେବୀ ଧରା ପୃଷ୍ଠକୁ ଓହ୍ଲାଇବା ପାଇଁ ଏଠି ଅପେକ୍ଷାରେ ଥା’ନ୍ତି । ଏଠାରେ ପ୍ରାୟ ୫୦୦ ବର୍ଷରୁ ଅଧିକ ହେଲାଣି ପୂଜାବିଧିର ପରମ୍ପରା ଚଳି ଆସିଛି। ମ।।ଙ୍କ ଅଗମନ ପୁର୍ବରୁ ଆମ ସାହିର ସବୁ ଝିଅ ଶାଶୂଘରୁ ବାପଘରକୁ ଆସିଥାନ୍ତି।ଦେଶ ବିଦେଶରେ ରହୁଥିବା ପରିବାରର ସଦସ୍ୟମାନେ ମଧ୍ୟ ଗାଁକୁ ଫେରିଥାନ୍ତି। ବର୍ଷକରେ ଥରେ ସମସ୍ତେ ହୁଅନ୍ତି ଭେଟ। ଏଠି ଦେବୀ ମା’ଙ୍କୁ ଭକ୍ତଗଣ ନିଜର କନ୍ୟା ରୂପରେ ଦେଖିଥାନ୍ତି। ବର୍ଷକରେ ଥରେ କନ୍ୟା ଯେମିତି ବାପ ଘରକୁ ବୁଲି ଆସନ୍ତି ସେମିତି ମା’ଙ୍କ ପାଇଁ ସବୁରି ଘରେ ଚାଲେ ପିଠାପଣାର ଆସର। ସାହିରେ ନୂଆ ପୋଷାକ ସାଙ୍ଗକୁ ସ୍ୱାଦିଷ୍ଟ ବ୍ୟଞ୍ଜନରେ ମହକେ । ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଝିଅକୁ ବାପଘରେ ନାନାଦି ସୁସ୍ୱାଦୁ ବ୍ୟଞ୍ଜନ ଅର୍ପଣ କରାଯାଏ। ସାହି ମୁଣ୍ଡରେ ମା’ଙ୍କର ମୃଣ୍ମୟୀ ମୂର୍ତ୍ତି କାରିଗର ତିଆରି କରିଥାନ୍ତି । ମା’ଙ୍କୁ ସଜେଇ ଦିଅନ୍ତି ନିଆରା ଆଭୂଷଣରେ। ମା’ଙ୍କୁ ଏଠି କାଳିକା ତନ୍ତ୍ରରେ ପୂଜା କରାଯାଏ। ବଙ୍ଗୀୟ ବ୍ରାହ୍ମଣ ଯଥା ଚକ୍ରବର୍ତ୍ତୀ, ମୁଖାର୍ଜୀ ଓ ମିଶ୍ର ସାଙ୍ଗିଆଧାରୀ ବ୍ରାହ୍ମଣମାନେ ଏଠି ମା’ଙ୍କର ପୂଜା କରିଥାନ୍ତି। ମା’ଙ୍କ ପୂଜା ଆରାଧନା ପାଇଁ ସାରା ବଙ୍ଗାଳି ବସ୍ତିରେ ନିଆରା ସିହରଣ ଥାଏ। ଅଷ୍ଟମି ପୂଜାରେ ତାରୀଣି ବ୍ରତ, ନବମୀ ତିଥିରେ ମା’ଙ୍କର କୁମାରୀ ପୂଜାର ମହାତ୍ମ୍ୟ ଅନ୍ୟ କେଉଁଠି ଦେଖାଯାଏନା। ସାହିର ୯ ଜଣ କୁମାରୀଙ୍କୁ ମା’ଙ୍କ ଛାମୁରେ ବସାଇ ପୂଜା କରାଯାଏ। ଏହି କୁମାରୀମାନଙ୍କର ବୟସ ମଧ୍ୟ ୯ ବର୍ଷ ବୟସର ହୋଇଥାଏ। ସେଦିନ ଏହି କନ୍ୟାଙ୍କ ସହ ତାଙ୍କର ପରିବାର ସମସ୍ତ ସଦସ୍ୟ ବ୍ରତ ପାଳିଥାନ୍ତି।ଦଶମୀରେ ଦେବୀଙ୍କ ନିକଟରେ ଅପରାଜିତା ପୂଜାର ଏକ ନିଆରା ପରମ୍ପରା ରହିଛି। ଅପରାଜିତା ଗଛର ଲଟାକୁ ମା’ଙ୍କ ଚରଣରେ ସମର୍ପଣ କରାଯାଏ। ଏହି ଅପରାଜିତା ଲଟାକୁ ନୂଆ କପଡାରେ ଗୁଡାଇ ସମସ୍ତେ ହାତରେ ବାନ୍ଧିଥାନ୍ତି। କୁହାଯାଏ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ଯେତେବେଳେ ରାବଣକୁ ବଦ୍ଧ କରିବାକୁ ଲଙ୍କା ଗମନ କରିଥିଲେ ସେତେବେଳେ ସେ ଦେବୀ ଦୁର୍ଗାଙ୍କ ନିକଟରେ ଅପରାଜିତା ପୂଜା କରିଥିଲେ। ଫଳରେ ଦୁଷ୍ଟ ଦାନବ ରାବଣକୁ ନିଧନ କରିବାକୁ ଦେବୀ ଦୁର୍ଗା ତାଙ୍କୁ ଶକ୍ତି ପ୍ରଦାନ କରିଥିଲେ। ସେଥିପାଇଁ ସାହିର ସମସ୍ତ ଲୋକେ ସେମାନଙ୍କର ରିଷ୍ଟ ଖଣ୍ଡନ ଓ ପାପ ହରଣ ପାଇଁ ଏହି ସମର୍ପିତ ପୂଜା କରିଥାନ୍ତି । ଏହାପରେ ଆରମ୍ଭ ହୁଏ ସିନ୍ଦୁର ଓ ଅବିର ଖେଳ। ମା’ଙ୍କ ଚରଣରେ ଅଭିମନ୍ତ୍ରିତ ହୋଇଥିବା ସିନ୍ଦୂର ଓ ଅବିରକୁ ନେଇ ଖେଳ କରାଯାଏ। ମହିଳାମାନେ ପରସ୍ପରକୁ ସିନ୍ଦୂର ବୋଳନ୍ତି ଓ ପୁରୁଷ ମାନେ ପରସ୍ପରକୁ ଅବିର ବୋଳି ଉତ୍ସବ ମନାନ୍ତି। ଯେତେବେଳେ ବିସର୍ଜନ ହେବାକୁ ମା’ ପୂଜା ମଣ୍ଡପ ଛାଡନ୍ତି ସେତେବେଳେ ଦେଖାଯାଏ ଏକ ଭାବବିହ୍ୱଳ ମୁହୁର୍ତ୍ତ। ଝିଅ ଶାଶୁଘରକୁ ବିଦାୟ ହେବା ସମୟରେ ଯେମିତି ପରିବାରରେ କାନ୍ଦବୋବାଳି ପଡେ ସେତେବେଳେ ଝିଅର କାନିରେ କନକ ଅଞ୍ଜୁଳି ବାନ୍ଧି ଦେଇଥାନ୍ତି ମା’। ସେମିତି ଏହି ବଙ୍ଗୀୟ ମହିଳାମାନେ ସେମାନଙ୍କର ଝିଅ ସଦୃଶ ଦୁର୍ଗା ଦେବୀଙ୍କୁ ବିଦାୟ ଦେବାବେଳେ କାନିରେ କନକ ଅଞ୍ଜୁଳି ବାନ୍ଧି ଦିଅନ୍ତି। ମେଢ ଉଠେ ବିସର୍ଜନ ଘାଟକୁ। ଲୁହ ଓ କୋହରେ ପୁରିଉଠେ ସାରା ପରିବେଶ। କାନ୍ଦ ବୋବାଳିରେ ପ୍ରତିଧ୍ୱନିତ ହୁଏ ପୁରା ସାହିଟା ସାରା। ମାଙ୍କ ବିଦାୟର ଆଠଦିନ ବା ଅଷ୍ଟମୀ ଦିନ ଖିରି ଭୋଗଲାଗେ । ପ୍ରତିବର୍ଷ ବଙ୍ଗାଳି ସାହିର ଏହି ଅନନ୍ୟ ପରମ୍ପରାକୁ ଦେଖିବାକୁ ପଟ୍ଟାମୁଣ୍ଡାଇ ସହରରୁ ହଜାର ହଜାର ଲୋକ ଆସିଥାନ୍ତି।