ଚେତନା ସମାଜ ପକ୍ଷରୁ କୁମାରୋତ୍ସବ


କେନ୍ଦ୍ରାପଡ଼ା, ୧୬ା୧୦: ସଂସ୍କୃତି ଗୋଟିଏ ଜାତିର ଆତ୍ମା ପରି। ଆତ୍ମାହୀନ ଶରୀର ଯେପରି ପ୍ରାଣ ସ୍ପନ୍ଦନ ହୀନ ହୋଇ ପଡି ରହେ, ସଂସ୍କୃତି ହୀନ ଜାତିଟିଏ ସେହିପରି ବେଶୀକାଳ ବଞ୍ଚି ରହିପାରେ ନାହିଁ। ଇଂରେଜ ଶାସକ ତଥା ପଡୋଶୀମାନଙ୍କ ଶତ ଚକ୍ରାନ୍ତ ସତ୍ତ୍ୱେ ଆଜି ଓଡିଆ ଯଦି ଏକ ଜାତି ରୂପେ ତିଷ୍ଠି ରହିଛି, ତାହା କେବଳ ତାର ଉଚ୍ଚ ସାଂସ୍କୃତିକ ବିଭବ ପାଇଁ ହିଁ ସମ୍ଭବ ହୋଇଛି। ଆମ ସଂସ୍କୃତିର ମୁଖ୍ୟ ବିଭବ ରଜପର୍ବ, କୁମାର ପୂର୍ଣ୍ଣିମା, ଖୁଦୁରୁକୁଣି ଓଷା ଆଦିର ମୌଳିକତା ରକ୍ଷା କରିବା ଆଜି ଦିନର ଆହ୍ୱାନ ବୋଲି ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଚେତନା ସମାଜ ପକ୍ଷରୁ ଆୟୋଜିତ କୁମାରୋତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରାଧ୍ୟାପକ ମୋହନ ଚରଣ ଜେନା ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ସ୍ଥିତ ବାରମାଣିଆବଟ ପରିସରରେ ସଂଗଠନର ସଭାପତି ବ୍ରଜକିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ଏହି ଉପଲକ୍ଷେ ଆୟୋଜିତ ପୁରସ୍କାର ବିତରଣ ସଭାରେ ଶିକ୍ଷକନେତା ଡ. ଦିଲ୍ଲୀପ ମିଶ୍ର ମୁଖ୍ୟବକ୍ତା ଏବଂ ରବୀନ୍ଦ୍ର ପ୍ରସାଦ ଜେନା ଓ ଶ୍ରୀଚରଣ ସାମଲ ସମ୍ମାନିତ ଅତିଥି ରୂପେ ଯୋଗଦେଇ କ୍ରୁତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ସଂପାଦକ ଅଜୟ ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଦିକନ୍ଦ ରାଉଳ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରକାଶ ଓ ରମଣୀ ରଞ୍ଜନ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୈଷ୍ଣବ ସ୍ୱାଇଁ, ନ୍ରୁସିଂହ ତ୍ରିପାଠୀ, ଭାଗୀରଥି ଜେନା, ମହେନ୍ଦ୍ର ପଟ୍ଟନାୟକ, ଅବଧୂତ ରାଉତ, ରାଜକିଶୋର ନାୟକ, ତପନ ଦାଶ, ଶ୍ରୀନିବାସ ପରିଡା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିବା ବେଳେ ବାରମାଣିଆବଟ ପରିଷଦର ସମ୍ପାଦକ ଦେବେଶ ବେହେରା, ଅମରେନ୍ଦ୍ର ଦାସ, ମନୋଜ ଓଝା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୂର୍ବାହ୍ଣରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁଚି, ରଙ୍ଗୋଲୀ, ସଂଗୀତ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବିଭାଗରେ ଭକ୍ତିପ୍ରିୟା ନାୟକ, ଅରୋସ୍ମିତା ପତି, ରୁଦ୍ର ପ୍ରକାଶ ମେକାପ ପ୍ରମୁଖ ପ୍ରଥମ ସ୍ଥାନ ହାସଲ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading