ସମୁଦ୍ରରେ କମୁଛି ଗତି, ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୦ କି.ମି. ବେଗରେ କୂଳ ଆଡ଼କୁ ମାଡ଼ି ଆସିଛି ବାତ୍ୟା


ଭୁବନେଶ୍ୱର୨୪/୧୦-ଧିରେ ଧିରେ ସ୍ଥଳଭାବର ନିକଟତର ହେଉଛି ବାତ୍ୟା ‘ଦାନା’ । ତେବେ ସମୁଦ୍ର ମଧ୍ୟରେ ବଳ ଗୋଟାଇବା ସହ ବାତ୍ୟାର ଗତି ମନ୍ଥର ହେବାରେ ଲାଗିଛି । ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୦ କି.ମି. ବେଗରେ କୂଳ ଆଡ଼କୁ ମାଡ଼ି ଆସିଛି ବାତ୍ୟା ‘ଦାନା’ ।ଏବେ ପାରାଦୀପଠାରୁ ୧୦୦ କି.ମି. ଦୂରରେ ରହିଛି । ଧାମରାଠାରୁ ୧୩୦ କି.ମି. ଦୂରରେ ରହିଛି ।ଆଜି ମଧ୍ୟରାତ୍ରୀରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏହା ଆସନ୍ତାକାଲି ଭୋର ୪ଟା ପର୍ଯ୍ୟନ୍ତ ଚାଲିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦାନା ରାଜନଗରର ଦେଇ ଭିତରକନିକାରେ ଲ୍ୟାଣ୍ଡଫଲ ହୋଇପାରେ । ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା । ବାତ୍ୟା ମୁକାବିଲା ନେଇ ଏସଆରସି ସୂଚନା ଦେଇଛନ୍ତି । ଏସଆରସି କହିଛନ୍ତି, ୧୧ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ସର୍ବାଧିକ ପ୍ରଭାବିତ ହେବ । ଏହିସବୁ ଜିଲ୍ଲାରେ ୩ ଲକ୍ଷ ୮୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇସାରିଛି ।ଆଶ୍ରୟ ସ୍ଥଳରେ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି । ୧୧ ଜିଲ୍ଲାର ୬୦ ବ୍ଲକର ୨୧୩୧ ଗାଁ ଓ ୧୨ଟି ସହରାଞ୍ଚଳ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏସବୁ ଅଞ୍ଚଳରେ ୪ ଲକ୍ଷ ଲୋକ ପ୍ରଭାବିତ ହେବେ । ବିଭିନ୍ନ ସ୍ଥାନରେ ୮୪୨ ସ୍ଥାୟୀ ଓ ୬୪୪୫ ଅସ୍ଥାୟୀ ମୋଟ ୭୩୦୭ ରିଲିଫ କେନ୍ଦ୍ର ବ୍ୟବସ୍ଥା ହୋଇଛି । ୪୭୫୬ ରିଲିଫ ସେଣ୍ଟରରେ ଅପରେସନ ଆରମ୍ଭ ହୋଇଛି ।ଆଗକୁ ସେ କହିଛନ୍ତି, ବିଭିନ ପ୍ରଭାବିତ ଅଞ୍ଚଳରେ ସମସ୍ତ ପ୍ରାଣୀ ସମ୍ପଦ ପାଇଁ ବି ବ୍ୟବସ୍ଥା ହୋଇଛି । ପ୍ରାଣୀ ସମ୍ପଦ ପାଇଁ ୩୬୦ଟି ଆଶ୍ରୟସ୍ଥଳୀ ତିଆରି କରାଯାଇଛି । ୬୪୫୪ ପଶୁ ସ୍ଥାନାନ୍ତରିତ ହୋଇଛନ୍ତି । ଘରେ ରଶିରେ ବାନ୍ଧି କେହି ଗାଈ ଗୋରୁଙ୍କୁ ନ ରଖିବାକୁ ପରାମର୍ଶ ଦିଆଯାଇଛି । ସବୁ ରିଲିଫ କେନ୍ଦ୍ରରେ ରୋଷେଇ ଖାଦ୍ୟ ବ୍ୟବସ୍ଥା ହୋଇଛି । ପିଲାମାନଙ୍କ ପାଈଁ ଶିଶୁ ଖାଦ୍ୟ ଓ କ୍ଷୀର ବ୍ୟବସ୍ଥା ହୋଇଛି । ୨୧୩ ମେଡିକାଲ ଟିମ୍ ଅଛନ୍ତି । ପଶୁ ସମ୍ପଦ ପାଇଁ ୧୨୦ ଟିମ୍ ରହିଛନ୍ତି । ୩୭୦୦ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯାଇଛି । ୨ ଜଣ ସୁରକ୍ଷୀତ ପ୍ରସବ କରିଛନ୍ତି, ୩୮୫ ରେସପନ୍ସ ଟିମ୍ ଗ୍ରାଉଣ୍ଡରେ ଅଛନ୍ତି । ୧୯ ଏନଡିଆରଏଫ, ୫୧ ଓଡ୍ରାଫ, ୯୫ ଓଏଫଡିସି, ୨୨୦ ଅଗ୍ନିଶମ ଟିମ୍ ମୁତୟନ ହୋଇଛନ୍ତି । ଆଶା ଦିଦି ଓ ଅଙ୍ଗନବାଡି ଦିଦି ମୁତୟନ ଅଛନ୍ତି । ଆଜି ମଧ୍ୟରାତ୍ରିରୁ ଭୋର ୪ଟା ଭିତରେ ଲ୍ୟାଣ୍ଡଫଲ ହେବ । ଭିତରକନିକା ଧାମରା ଭିତରେ ଲ୍ୟାଣ୍ଡଫଲ ହେବ । ଦିଗ ପରିବର୍ତ୍ତନ କଲେ ବି ସବୁ ଦିଗରୁ ସରକାର ପ୍ରସ୍ତୁତ ଅଛନ୍ତି । ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ନ ଛାଡିବାକୁ ଅନୁରୋଧ କରିଛନ୍ତି ରାଜସ୍ୱ ମନ୍ତ୍ରୀ ।


Next Post

ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

Thu Oct 24 , 2024
କେନ୍ଦ୍ରାପଡା, ୨୪ା୧୦: ଆଜି ପୂର୍ବାହ୍ନ ୧୧.୩୦ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ମୁକାବିଲା ନିମନ୍ତେ ନିଆଯାଇଥିବା ଆଗୁଆ ପଦକ୍ଷେପ ବିଷୟରେ ଆଭାସୀ ମାଧ୍ୟମରେ ସମୀକ୍ଷା କରିଛନ୍ତି । କେନ୍ଦ୍ରାପଡ଼ା ଓସୱାନ ହଲରେ ଉକ୍ତ ଆଭାସୀ ବୈଠକରେ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଗସ୍ତରେ ଆସିଥିବା ପୂର୍ବତନ ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଜିଲ୍ଲା ମୁଖ୍ୟ […]

You May Like