ସିମ୍ଫୋନି ପକ୍ଷରୁ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡା ୨୮/୧୦- ପୁନର୍ବାସ ପରିସରରେ ବିବିଧ କଳାର ସମ୍ବିଳିତ ମଞ୍ଚ “ସିମ୍ଫୋନି’ ପକ୍ଷରୁ ଆସନ୍ତା ଡିସେମ୍ବର ମାସରେ ଜିଲ୍ଲାରେ ପ୍ରଥମଥର ହେବାକୁ ଯାଉଥିବା ତ୍ରିଦିବସୀୟ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏହି ବୈଠକରେ ଅଭିଜ୍ଞ ବିଶାରଦ ଭାବେ ଓଡିଶା ନାଟ୍ୟ ସଂଘର ସମ୍ପାଦକ ଶୁଭକାନ୍ତ ପାଢୀ, ଆକାଶବାଣୀର ବେତାର ନାଟ୍ୟ ଶିଳ୍ପୀ ସମୀର ମିଶ୍ର, ବରିଷ୍ଠ ନାଟ୍ୟ ସଙ୍ଘଠକ ଓ ଉପଦେଷ୍ଟା କୌଳାସ ମହାନ୍ତି, ନିର୍ଦ୍ଦେଶକ ସଞ୍ଜୟ ମଲ୍ଲିକ, ବିଶିଷ୍ଟ ନୃତ୍ୟାଙ୍ଗନା ଜୟଶ୍ରୀ ଦାସ, ନାଟ୍ୟ ଅଭିନେତା ତଥା ଚିତ୍ର ଶିଳ୍ପୀ ଅଜୟ ପଣ୍ଡା ପ୍ରମୁଖ ଏହାର ବାସ୍ତବାୟନ ନିମନ୍ତେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶ୍ରୀ ପାଢ଼ୀ ସିମ୍ଫୋନିର ଏହି ଅନନ୍ୟ ପ୍ରୟାସ ସଙ୍କଟଗ୍ରସ୍ତ ଓଡ଼ିଆ ନାଟକର ପ୍ରସାର ବୃଦ୍ଧିରେ ସହାୟକ ହେବ ବୋଲି କହିଥିଲେ । ଏହି ବ୍ୟାପକ ସୃଜନାତ୍ମକ ଅଭିନବ ପ୍ରୟାସ କେନ୍ଦ୍ରାପଡ଼ା ଜିଲ୍ଲାର ସାଂସ୍କୃତିକ ଶ୍ରୀ ବୃଦ୍ଧି କରିବା ସହିତ ଏହା ଦ୍ୱାରା ରାଜ୍ୟର ପ୍ରସିଦ୍ଧ ସୌଖିନ ନାଟ୍ୟସଂସ୍ଥାର ଅଭିନୟ ପ୍ରଦର୍ଶନର ସୁଯୋଗ ଜିଲ୍ଲାବାସୀ ପାଇ ପାରିବେ ବୋଲି ମୁଖ୍ୟ ଉପଦେଷ୍ଟା ଶ୍ରୀ ରାଉତରାୟ ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ସଂଯୋଜକ ସ୍ୱପ୍ନାଂଶୁ କୁମାର ଦାସ ସ୍ୱାଗତ୍ ଭାଷଣ ପ୍ରଦାନ କରିଥିଲେ । ସମ୍ପାଦକ ଡ. ବିନାୟକ ପ୍ରସାଦ ପ୍ରଧାନ ଅନୁଷ୍ଠାନର ଆଭିମୁଖ୍ୟ ଓ ଆଜି ଯାଏ ହୋଇଥିବା କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସହ ସଂଯୋଜକ ଡ. ଗିରିଜା କାନ୍ତ ଦାସ,ଦିବ୍ୟ ରଞ୍ଜନ ବେହେରା ଡ. ଆଶୁତୋଷ ରାଉତ, ଗୋଲାପ ରାଉତ ନିଜର ମତ ରଖିଥିଲେ । ଅନୁଷ୍ଠାନର ବରିଷ୍ଠ ସଭ୍‌ଯ କଳାକାର ପଣ୍ଡା,ଶୁଭାଂଶୁ କୁମାର ଦାସ, ଅବନ୍ତୀ ବେହେରା, ରଣଧୀର ଜେନା, ନୃସିଂହ ଚରଣ ତ୍ରିପାଠୀ, ପ୍ରେମାନନ୍ଦ ଖଣ୍ଡୁଆଳ, ଇଶ୍ୱର ଚନ୍ଦ୍ର ପୃଷ୍ଟି, କ୍ଷୀରେଦ କର,ଶାନ୍ତନୁ ମଲ୍ଲିକ, ରଶ୍ମି ରଞ୍ଜନ ବାରିକ୍ ପ୍ରମୁଖ ସ୍ୱମତ ଉପସ୍ଥାପିତ କରିଥିଲେ । ବରିଷ୍ଠ କବି ଓ ଉପଦେଷ୍ଟା ନିରାକାର ଦାସ, ଶିକ୍ଷାବିତ୍ ଶୁଭଙ୍କର ନାୟକ, ଚିତ୍ର ଶିଳ୍ପୀ ସିନୁ ଦାସ ପ୍ରମୁଖ ଆଭାସୀ ମାଧ୍ୟମରେ ଯୋଗ ଦେଇ ଥିଲେ। ସର୍ବସମ୍ମତି କ୍ରମେ ସିମ୍ଫୋନିର ସଭାପତି ଭାବେ ବିଶିଷ୍ଟ କବି ଓ ଅନୁବାଦିକା ନବଜ୍ୟୋତି ରାୟଙ୍କୁ ମନୋନୀତି କରାଯାଇ ଥିଲା । ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସେ ନିଜ ଦାୟିତ୍ୱ ସୂଚାରୁ ରୂପେ ସମ୍ପନ୍ନ କରିବେ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ । ସର୍ବଶେଷରେ କଳାକାର ଦିବ୍ୟ ରଞ୍ଜନ ବେହେରା ଓ ଅନିତା ବେହେରା, ଗାଳ୍ପିକ ବିରଜା ରାଉତରାୟଙ୍କ ଆବୃତ୍ତିରେ “ଝରକା ସେପଟେ ସେହି ସୁନ୍ଦରୀ ଝିଅଟି’ କୁ ଗଳ୍ପ୍‌ାଭିନୟ କରିଥିଲେ । ଯାହାର ପ୍ରଚ୍ଛଦ ସଙ୍ଗୀତ ଗୁରୁ କଳାକାର ପଣ୍ଡା ଗାନ କରିଥିଲେ । ଗଲ୍ପାଭିନୟଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ରୋମାଞ୍ଚପୂର୍ଣ୍ଣ ହୋଇଥିଲା । ପରିଶେଷରେ କୋଷାଧ୍ୟକ୍ଷ ବଂଶୀଧର ମହାନ୍ତି ସମସ୍ତଙ୍କୁ କୃତଜ୍ଞତା ଓ ଧନ୍‌ଯବାଦ୍ ପ୍ରଦାନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading