
କେନ୍ଦ୍ରାପଡ଼ା,୨୭ା୧୧: ଜଣେ ଦଶମ ଶ୍ରେଣୀ ଛାତ୍ରୀକୁ ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ୱତନ୍ତ୍ର ପୋକସୋ କୋର୍ଟ ଜଜ୍ ଆସାମୀ କାଳନ୍ଦୀ ମଲ୍ଲିକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ମାଧ୍ୟମରେ ପିଡିତାଙ୍କୁ ଦେଢ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ପାଟକୁରା ଥାନା ଅନ୍ତର୍ଗତ ଏକ ଗ୍ରାମର କାଳନ୍ଦୀ ଓ ତାଙ୍କର ଦୁଇ ସହଯୋଗୀ ଗତ ୨୦୧୩ ମସିହା ଏପ୍ରିଲ ମାସ ୪ ତାରିଖ ସନ୍ଧ୍ୟାରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ। ଛାତ୍ରୀ ଜଣକ ପାଖ ଗ୍ରାମରେ ଥିବା ଏକ ସାମାଜିକ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ଏ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ପାଟକୁରା ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। କିନ୍ତୁ କାଳନ୍ଦୀ ଛାତ୍ରୀଙ୍କୁ ନେଇ ପଞ୍ଜାବ ପଳାଇଥିଲେ। ଫଳରେ ପୋଲିସ କାଳନ୍ଦୀର ସନ୍ଧାନ ପାଇ ନଥିଲା। କାଳନ୍ଦୀ ପଞ୍ଜାବରେ କିଛି ଦିନ ଛାତ୍ରୀଙ୍କୁ ରଖିବା ପରେ କୋରାପୁଟ୍ ଆସିଥିଲେ। କୋରାପୁଟ୍ରେ କିଛି ମାସ ରହିବା ପରେ ଛାତ୍ରୀ ଜଣକ ଅନ୍ତଃସତ୍ତ୍ୱା ହୋଇଥିଲେ। ଏହାପରେ କାଳନ୍ଦୀ ପାଟକୁରା ଥାନା ଅଧିନ ନିଜ ଗ୍ରାମକୁ ଛାତ୍ରୀଙ୍କୁ ନେଇ ଆସିଥିଲା। ଅପହରଣର ଏକ ବର୍ଷ ପରେ ଛାତ୍ରୀ ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। କିନ୍ତୁ ଶିଶୁ କନ୍ୟାଟିର ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଯାଇଥିଲା। ଏ ସଂକ୍ରାନ୍ତରେ ଛାତ୍ରୀଙ୍କ ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଫଳରେ ପୋଲିସ କାଳନ୍ଦୀକୁ ଗିରଫ କରିଥିଲା। ଏହାପରେ ପୋଲିସ ଅଦାଲତରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା। ମାମଲାର ବିଚାର ଚାଲିଥିବା ବେଳେ ୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ସ୍ୱତନ୍ତ୍ର ପୋକସୋ କୋର୍ଟ ବିଚାରପତି ପ୍ରଜ୍ଞା ପରମିତା ରାଉଳ ଆସାମୀ କାଳନ୍ଦୀଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସାକ୍ଷ୍ୟ ପ୍ରମାଣ ଅଭାବରୁ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ବିଚାରପତି ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି।











