କେନ୍ଦ୍ରାପଡ଼ା,୧ା୧୨: କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆଜି ପୂର୍ବାହ୍ନରେ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରମୋଦ କୁମାର ପ୍ରହରାଜଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଏଡ୍ସ ଦିବସ ପାଳନ ହୋଇଯାଇଛି । ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଏଡ୍ସ ସମ୍ପର୍କିତ ‘ଜୀବନ ଗୀତ’ ସ୍ଥାନୀୟ ଏଏନ୍ଏମ୍ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗାନ କରାଯାଇଥିଲା । ପ୍ରାରମ୍ଭରେ ଡା. ପ୍ରହରାଜ ବିଶ୍ୱ ଏଡ୍ସ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଦୂରାରୋଗ୍ୟ ଭାବେ ପରିଗଣିତ ହେଉଥିବା ଏଡ୍ସ ରୋଗକୁ କିପରି ପ୍ରତିହତ କରାଯାଇ ପାରିବ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ । ସାଧାରଣ ନାଗରିକ, ଗର୍ଭବତୀ ମହିଳା ଓ ମହିଳା ଯୌନକର୍ମୀଙ୍କ କ୍ଷେତ୍ରରେ ଥିବା ସଂକ୍ରମଣ ହାର ପୁରୁଷ ଯୌନକର୍ମୀ ସଂକ୍ରମଣ ହାର ଅଧିକ ରହିଛି ଯାହା ଚିନ୍ତାର ବିଷୟ ବୋଲି ସେ କହିଥିଲେ । ରାଜ୍ୟରେ ୨୦୦୩ ମସିହାଠାରୁ ୨୦୨୪ ମସିହା ଅକ୍ଟୋବର ମାସ ମଧ୍ୟରେ ୬୩,୪୩୭ ଏଚ୍ଆଇଭି ସଂକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆମ ଜିଲ୍ଲାରେ ୯୦୭ ସଂଖ୍ୟା ରହିଛି ବୋଲି ସୂଚନା ପ୍ରଦାନ କରାଯାଇଛି । ଏମାନଙ୍କ ମଧ୍ୟରେ ୭୩୦ଜଣ ପଜିଟିଭ୍ ଅଛନ୍ତି । କେନ୍ଦ୍ରାପଡା ଏଆର୍ଟି ସେଣ୍ଟରରେ ୨୦୦୩ ମସିହାଠାରୁ ୨୦୨୪ ମସିହା ଅକ୍ଟୋବର ମଧ୍ୟରେ ୩୫୮ ଏଚ୍ଆଇଭି ବ୍ୟକ୍ତିଙ୍କ ପଞ୍ଜୀକରଣ ହୋଇଥିବା ବେଳେ ୩୪୭ଜଣଙ୍କୁ ଓøଷଧ ପ୍ରଦାନ କରାଯାଉଛି । ୫୭୭ଜଣ ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତିଙ୍କୁ ମଧୁବାବୁ ପେନ୍ସନ ଯୋଜନାରେ ଅର୍ଥରାଶି ପ୍ରଦାନ କରାଯାଉଛି । ୧୪୯ଜଣ ଏଚ୍ଆଇଭି ପଜିଟିଭ୍ ବ୍ୟକ୍ତି ମଧୁବାବୁ ପେନ୍ସନ ଯୋଜନାରେ ଉପକୃତ ପାଇଁ ଅନିଚ୍ଛା ପ୍ରକାଶ କରିଥିବା ବେଳେ ଏବେ ୪ଜଣଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବସ୍ଥା କରାଯାଇଛିି । ଆଜିର ଏହି ଦିବସର ପାଳନ ଉପଲକ୍ଷେ ବିଷୟବସ୍ତୁ ରହିଥିଲା “ଟେକ୍ ଦ ରାଇଟ୍ ପାଥ୍” । ଏହି ଦିବସ ପାଳନ ଉପଲକ୍ଷେ ଏଏନ୍ଏମ୍ ଛାତ୍ରଛାତ୍ରୀ, ସ୍ୱେଚ୍ଚାସେବୀ ସଂଗଠନ ପକ୍ଷରୁ ଏକ ସଚେତନ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏଚ୍ଆଇଭି ନୋଡାଲ ଅଧିକାରୀ ଡା. ପିକେ ବେହେରା ପାୱାରପଏଣ୍ଟ ମାଧ୍ୟମରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଓ ରୋଗୀମାନଙ୍କୁ ପ୍ରଦାନ କରାଯାଉଥିବା ଚିକିତ୍ସା ଓ ପରୀକ୍ଷା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ବୈଠକରେ ଡା. କିଶୋର ମିଶ୍ର, ଡା. ବିକେ ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂହ, ବିଏସ୍ଏସ୍ଓ ସୁଧାଂଶୁ ଶେଖର ବେହେରା, ଜିଲ୍ଲା ଟିବି ଏଚ୍ଆଇଭି କୋ-ଅର୍ଡିନେଟର, ଓଡିଶା ରାଜ୍ୟ ଏଡ୍ସ୍ ନିୟନ୍ତ୍ରଣ ସୋସାଇଟି କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ସଂଗଠନ (ଏଲ୍ଡବ୍ଲୁଏସ୍, ତୁଳସୀ ନେଟ୍ୱାର୍କ) ଏବଂ ଏଏନ୍ଏମ୍ ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଡିଏମ୍ଆର୍ସିଏଚ୍ କୃଷ୍ଣଚନ୍ଦ୍ର ଲୋହା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିବା ସହ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ସଚେତନତାର ବାର୍ତ୍ତା ସମାଜର ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ ।