କେନ୍ଦ୍ରାପଡ଼ା,୫ା୧୨: କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ରାପଡା ମଣ୍ଡଳ ଅନ୍ତର୍ଗତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ତ୍ରିଦିବସୀୟ ସାମାଜିକ ଲିଙ୍ଗଗତ ସମତା ଆଧାରିତ କାର୍ଯ୍ୟକ୍ରମ “ବର୍ଣ୍ଣାଳୀ’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ହିରଣ୍ୟ କୁମାର ବାରିକ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବପ୍ରସାଦ ନାୟକ ଉପସ୍ଥିତ ଥିଲେ। ଏଥିରେ ୩୭ଜଣ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷକ କାକୁଲି ମଲ୍ଲିକ, ସାଗରିକା ମିଶ୍ର, ଜିତେନ୍ଦ୍ର ତ୍ରିପାଠୀ ଓ ବିଷ୍ଣୁଚରଣ ସାମଲ ପ୍ରମୁଖ ସାମାଜିକ ଲିଙ୍ଗଗତ ସମସ୍ୟା, ସାମାଜିକ ଭେଦଭାବ ଓ ଶିକ୍ଷା, ଏହାକୁ ପ୍ରଭାବିତ କରୁଥିବା ଅନୁଷ୍ଠାନ, ପିତୃକୈନ୍ଦ୍ରିକ ପରିବାରର ପ୍ରଭାବ, ବର୍ଣ୍ଣାଳୀ ପୁସ୍ତକର ଗୁରୁତ୍ୱ, ପାଠ୍ୟ ପୁସ୍ତକ ସହ ସଂଯୋଗୀକରଣ ଆଦି ୧୫ ଗୋଟି ଅଧିବେଶନ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଦ୍ୱିତୀୟ ଦିବସରେ ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ ଯୋଗଦେଇ ଶିବିରାର୍ଥୀମାନଙ୍କୁ ଲିଙ୍ଗଗତ ଅସମାନତା, ସମାନତା ଓ ସମତା ଉପରେ ଆଲୋକପାତ କରିବା ସହ ଶିବିରକୁ ଉତ୍ସାହିତ କରିଥିଲେ । ବିଭିନ୍ନ ଅଧିବେଶନରେ ଶୈକ୍ଷିକ ଓ ସହ ଶୈକ୍ଷିକ କାର୍ଯ୍ୟ ସହପ୍ରଶିକ୍ଷାର୍ଥୀମାନଙ୍କ ସଂପୃକ୍ତି ପ୍ରଶିକ୍ଷଣ ଶିବିରକୁ ଅତ୍ୟନ୍ତ ଚିତାକର୍ଷକ କରିଥିଲା। ଶେଷ ଦିବସରେ ସମଗ୍ର ଶିକ୍ଷାର କାର୍ଯ୍ୟକ୍ରମ ସଂଯୋଜକ ବିନୋଦ ବିହାରୀ ଦାସ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଅପରପକ୍ଷରେ ସମାନ୍ତରାଳ ଭାବେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ଆଧାରିତ ଉତ୍ସର୍ଗୀକୃତ ୫୦ଜଣ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ “ପ୍ରୟୋଗ’ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଶିକ୍ଷକ ଅନନ୍ତ କୁମାର ପରିଡା, ମହମ୍ମଦ ଅଜଗର ଅଲ୍ଲି, ଶ୍ରୀଧର ସାହୁ, ସ୍ନେହଲତା ପରିଡ଼ା ପ୍ରମୁଖ ୧୨ଗୋଟି ଅଧିବେଶନ ମାଧ୍ୟମରେ ପ୍ରଶିକ୍ଷାର୍ଥୀମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ। ଉକ୍ତ ଦୁଇଟି କାର୍ଯ୍ୟକ୍ରମକୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କିଶୋର ଚନ୍ଦ୍ର ଜେନା, ଅଚ୍ୟୁତାନନ୍ଦ ସାମଲ, ମହମ୍ମଦ ଗୟାସୁଦ୍ଦିନ ପ୍ରମୁଖ ସଫଳତାର ସହ ପରିଚାଳନା କରିଥିଲେ।