ଜିଲ୍ଲା ସାହିତ୍ୟ ପରିଷଦର ସାରସ୍ୱତ ସମାରୋହ , ସାହିତ୍ୟ ନାଗରିକ ସମାଜର ନେତୃତ୍ୱ ନେବା ଆବଶ୍ୟକ



କେନ୍ଦ୍ରାପଡ଼ା,୫ା୧: ବ୍ୟକ୍ତିର ସମ୍ପର୍କ ପରିବାରଠୁ ନାଗରିକ ସମାଜ ଯାଏ ପରିବ୍ୟାପ୍ତ ହେବା ଉଚିତ। ମାତ୍ର ସାଂପ୍ରତିକ ସମୟରେ ବ୍ୟକ୍ତି ଓ ସମୂହର ସମ୍ପର୍କ କ୍ରମଶଃ ଛିନ୍ନ ହେବାରେ ଲାଗିଛି। ମଣିଷ ନିଜର ପତିଆରା ବୃଦ୍ଧି ପାଇଁ ଗୁରୁତ୍ୱ ଦେଉଥିବା ବେଳେ ସ୍ୱାର୍ଥ ସାଧନ ପାଇଁ ସମାଜ, ଜନ୍ମମାଟିକୁ ଗୁରତ୍ୱ ଦେବା ବଦଳରେ ନିର୍ଦ୍ଦିଷ୍ଟ ବ୍ୟକ୍ତି,ଦଳ ଉପରେ ଗୁରୁତ୍ୱ ଦେଉଛି। ଏଭଳି ସଂକଟଜନକ ସମୟରେ ସାହିତ୍ୟ କେବଳ ଗଳ୍ପ, ପ୍ରବନ୍ଧ, କବିତାରେ ସୀମିତ ନରହି ନାଗରିକ ସମାଜର ନେତୃତ୍ୱ ନେବା ଆବଶ୍ୟକ ବୋଲି କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦର ଚତୁର୍ବର୍ିଂଶ ତମ ବାର୍ଷିକ ସାରସ୍ୱତ ସମାରୋହର ଉଦଘାଟକ ଭାବେ ଯୋଗଦେଇ ସମ୍ବାଦ ଗୃପର ଅଧ୍ୟକ୍ଷ ସୈାମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ପରିଷଦର ସଭାପତି କବି ଅପର୍ଣ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟ ସାଧାରଣ ଲୋକଙ୍କ ବୋଧଗମ୍ୟ ହେଲେ ଆହୁରି ପରିବ୍ୟାପ୍ତ ଓ ପ୍ରସାରିତ ହୋଇପାରିବ ବୋଲି କହିଥିଲେ। ଏହି ଅବସରରେ କବି ଅଶ୍ୱିନୀ ମିଶ୍ରଙ୍କୁ ଶ୍ରୀବଳଦେବ ସମ୍ମାନ, ଗାଳ୍ପିକା ସ୍ୱାଗତିକା ସ୍ୱାଇଁଙ୍କୁ ଅଦ୍ୱୈତ କଥା ପୁରସ୍କାର, ଅନୁବାଦକ ତପନ କୁମାର ପଣ୍ଡାଙ୍କୁ ବ୍ରହ୍ମାନନ୍ଦ ଅନୁବାଦ ପୁରସ୍କାର, କବି କୃଷ୍ଣ ସିଂଙ୍କୁ ତୁଳସୀ ସମ୍ମାନ,କବି ଚିତ୍ତରଞ୍ଜନ ନାୟକଙ୍କୁ ଦୀପକ କବିତା ସମ୍ମାନ ଓ ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଡକ୍ଟର ଅସିତ ମହାନ୍ତିଙ୍କୁ ଆର୍ତ୍ତବଲ୍ଲଭ ଗବେଷଣା ପୁରସ୍କାର ପ୍ରଦାନ କରାଯାଇଥିଲା। ପୁସ୍ତକ ଉନ୍ମୋଚନ ପର୍ବରେ ୩୮ଟି ଜୀବନବାଦୀ କବିତାକୁ ନେଇ ସଂକଳିତ କବି ପ୍ରମୋଦ ମଲ୍ଲିକଙ୍କ ଦ୍ୱିତୀୟ କବିତା ସଂକଳନ “ମୂହତ୍ତେର୍ତ୍ତ ମୋକ୍ଷ”କୁ ଶ୍ରୀ ପଟ୍ଟନାୟକ ଉନ୍ମୋଚନ କରିଥିଲେ। ଟାଇମ୍ ପାସ୍ ପ୍ରକାଶିତ କବୀ ଅପର୍ଣ୍ଣା ମହାନ୍ତିଙ୍କ ‘ଶ୍ରେଷ୍ଠ କବିତା’ ମଧ୍ୟ ଏଠାରେ ଉନ୍ମୋଚିତ ହୋଇଥିଲା । ଏହି ସଭାରେ ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରା, କବି ସରୋଜ ରଞ୍ଜନ ମହାନ୍ତି, ପ୍ରଫେସର ନନ୍ଦକିଶୋର ପରିଡା, ବିଶିଷ୍ଟ ସାହିତ୍ୟିକ ଅଲେଖ ପଢିଆରୀ, କବି ଶତ୍ରୁଘ୍ନ ପାଣ୍ଡବ, ଗାଳ୍ପିକ ଗିରୀଶ ସାହୁ, ସେନାପତି ପ୍ରଦ୍ୟୁମ୍ନ କେଶରୀ, ଗାଳ୍ପିକ ପଦ୍ମକାନ୍ତ ଧଳ, ପ୍ରମୋଦ ଧଳ, ଜ୍ଞାନରଞ୍ଜନ ନାୟକ, କବି ନିରାକାର ଦାସ, ପ୍ରଫେସର ଲକ୍ଷ୍ମୀନାରାୟଣ ଅଧିକାରୀ, ତପନ କୁମାର ପତି, ଭୁବନ ମୋହନ ଜେନା, ଅତୁଲ ବଳ, ସାମ୍ୱାଦିକ ଗଣେଶ ସାମଲ, ବିଧାୟକ ଧ୍ରୁବ ସାହୁ, ଅର୍ଚ୍ଚନା ନାୟକ, ଇଂ ନୀଳାଦ୍ରି ମହାପାତ୍ରଙ୍କ ସମେତ ଜିଲ୍ଳା ଓ ଜିଲ୍ଲା ବାହାରର ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଚଳିତ ବର୍ଷ ବୈଷ୍ଣବ ଚରଣ ସାମଲ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ତାଙ୍କୁ ପରିଷଦ ପକ୍ଷରୁ ସ୍ୱତନ୍ତ୍ର ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା। ସମ୍ୱାଦ ସାହିତ୍ୟ ଘର ସଭାପତି ସୁକାନ୍ତ କୁମାର ଏବଂ ସାହିତ୍ୟ ଭୂମି ପକ୍ଷରୁ ବ୍ରଜବନ୍ଧୁ ଦାଶ ମଧ୍ୟ ଶ୍ରୀ ସାମଲଙ୍କୁ ସମ୍ୱର୍ଦ୍ଧିତ କରିଥିଲେ। କବୀ ନବଜ୍ୟୋତି ରାୟ ସଭା ସଂଚାଳନା କରିଥିଲା ବେଳେ ପରିଷଦର ସଂପାଦକ ସରୋଜ କୁମାର ମହାନ୍ତି ବିବରଣୀ ପାଠ କରିଥିଲେ । ମାତୃଦତ୍ତ ମହାନ୍ତି ମଞ୍ଚ ଆମନ୍ତ୍ରଣ ଏବଂ କଥାକାର ମାନସ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଗାଳ୍ପିକ ଅରବିନ୍ଦ ଧଳ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading