ଦ୍ୱାବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା ଉଦ୍‌ଘାଟିତ , ବହିର ଉତ୍ସବ ହେଉଛି ପୁସ୍ତକ ମେଳା



କେନ୍ଦ୍ରାପଡା, ୬ା୧- କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ) ଦ୍ୱାରା ଆୟୋଜିତ ଏକବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳା ମହିପାଳ ସ୍ଥିତ ଟେଲିକମ ପଡିଆରେ ଉଦ୍‌ଘାଟିତ ହୋଇଯାଇଛି । କେମ୍‌ର ସଭାପତି ଇଂ ଅକ୍ଷୟ ପାଣିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଓ ଉଦ୍‌ଘାଟକ ଭାବେ ବର୍ଷିଆନ ସାହିତ୍ୟିକ କୃଷ୍ଣ ସିଂହ ଯୋଗ ଦେଇ କହିଲେ ଯେ ଆମ ସଂସ୍କୃତି କୃଷିର ସଂସ୍କୃତି । କୃଷି ହେଉଛି ଆମର ପ୍ରଧାନ କର୍ମକ୍ଷେତ୍ର । ଆଦିମ ମାନବ ଭିତରେ ସତ୍ୟ ନିହିତ ଅଛି । ଯେଉଁ ସାହିତ୍ୟକମାନେ ଉପଲବ୍ôଧ କରି ସାହିତ୍ୟ ରଚନା କରନ୍ତି ସେହି ସାହିତ୍ୟ କାଳଜୟୀ । ଓଡିଶାର କୋଣାର୍କ ମନ୍ଦିର, ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର ଖୋଦେଇରେ ଯେଉଁ କଳା ନିପୁଣତା ରହିଛି ତାହା ହିଁ ଓଡିଆ ସାହିତ୍ୟର ଇତିହାସ । ଗାନ୍ଧୀ ‘ଜୟ ଜଗତ୍‌’ ଓ ବୁଦ୍ଧ ‘ବିଶ୍ୱ ଆମର ମାତୃଭୂମି ହେବ’, ଏହା ହିଁ ଭାରତର ସଂସ୍କୃତି ଓ ଆଦର୍ଶ, ଯାହା ଆମର ଶାସ୍ତ୍ର କହେ ‘ବସୁଧୈବ କୁଟୁମ୍ବକମ୍‌’ । ବିଶିଷ୍ଟ ସାହିତ୍ୟିକ ଓ ସ୍ତମ୍ଭକାର ଦାଶ ବେନହୁର ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଲେ ଯେ ବହିର ଉତ୍ସବ ହେଉଛି ପୁସ୍ତକ ମେଳା । ବହି ସମାଜର ଜୀବନଶୈଳୀକୁ ପରିବର୍ତ୍ତନ କରେ । ବହିର ବିକଳ୍ପ ଭାବ ବହନ କରେ । ନିଜର ଭାବକୁ ନେଇ ବହିି ପ୍ରସ୍ତୁତ କରାଯାଏ । ବହିର ଉତ୍ସ ମଣିଷର ମସ୍ତିଷ୍କ । ବହି କାଳେ କାଳେ ସ୍ୱରୂପ ବଦଳାଇଛି । ଆଜିର ଆଧୁନିକ ଯୁଗରେ ବହିର ବିକଳ୍ପ ମୋବାଇଲ, କମ୍ପ୍ୟୁଟରକୁ ବୁଝାଏ । ସାହିତ୍ୟ ଯୋଡେ, ଗଢେ ଓ ମଣିଷ ଗଠନ କରେ । ତେଣୁ ବହି ଅମର । ଭାରତର ଆତ୍ମାକୁ ବୁଝିବା ପାଇଁ ବହି ମାଧ୍ୟମରେ ରାମାୟଣ, ମହାଭାରତ ଓ ଗୀତା ଲେଖାଯାଇଛି । ସେ କହିଥିଲେ ଯେ ସାହିତ୍ୟର ବଡଭାଇ ଛବି । ଛବି ସବୁବେଳେ ଲେଖାଠାରୁ ଆଗରେ ଥାଏ । ସେହିପରି ବିଶିଷ୍ଟ ଅତିଥି ଭାବେ ଖ୍ୟାତନାମା ଆନ୍ତର୍ଜାତିକ ଚିତ୍ରଶିଳ୍ପୀ ବଳଦେବ ମହାରଥା ଯୋଗଦେଇ ଚିତ୍ର ମାଧ୍ୟମରେ କଗନ୍ନାଥଙ୍କ ଗାଥା ବର୍ଣ୍ଣନା କରିଥିଲେ । ସମ୍ପାଦକ ଜାହିଦ୍ ଖାଁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ କେମ୍ ଦ୍ୱାରା ପ୍ରକାଶିତ ମୁଖପତ୍ର “କେନ୍ଦ୍ରାପଡା ପରିକ୍ରମା” ଭିତର କନିକା ବିଶେଷାଙ୍କ ଅତିଥିମାନଙ୍କ ଦ୍ୱାରା ଲୋକାର୍ପଣ କରାଯାଇଛି । ଆଜିର ଏହି ମେଳାରେ କେମ୍‌ର ପ୍ରତିଷ୍ଠାତା ଡ. ବିରଜା ରାଉତରାୟ, ସାହିତ୍ୟ ସଂସଦର ପୂର୍ବତନ ସଭାପତି ତଥା ବିଶିଷ୍ଟ ଗାଳ୍ପିକ ରାମଚନ୍ଦ୍ର ବେହେରା, ଲେଖକ ନିରାକାର ଦାସ, ଶିକ୍ଷାବିତ୍ ନନ୍ଦକିଶୋର ପରିଡା, ସମାଜସେବୀ ଅଜୟ ରାଉତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହାପରେ କେନ୍ଦ୍ରାପଡାର ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଦର୍ଶିତ ଚିତ୍ର ଗ୍ୟାଲେରିକୁ ଅତିଥିମାନେ ଉଦ୍‌ଘାଟିତ କରିଥିଲେ । କେମ୍‌ର ସଦସ୍ୟ ନବଜ୍ୟୋତି ରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବାହ୍ନରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ରଗୁରୁ ହିମାଂଶୁ ଦାସଙ୍କ ନେତୃତ୍ୱରେ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତାକୁ ଶୁଭାଂଶୁ ଦାସ, ଧର୍ମଦର୍ଶୀ କର, ଜ୍ୟୋତିରଞ୍ଜନ ନାୟକ, ସୌମ୍ୟରଞ୍ଜନ ପଟ୍ଟନାୟକ, ରାଜେନ୍ଦ୍ର ମହାପାତ୍ର, ସନ୍ଦୀପ ସାହୁ, ପ୍ରଶାନ୍ତ ଆଚାର୍ଯ୍ୟ, ପ୍ରତାପ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହିମାଂଶୁ ଭୂଷଣ ପରିଡା, ଅତିରିକ୍ତ ସଭାପତି ସରୋଜକାନ୍ତ ସାହୁ, ଉପଦେଷ୍ଠା ଶିବ ଚରଣ ସାମଲ, ରଞ୍ଜିତ ପରିଡା, ନୃସିଂହ ତ୍ରିପାଠୀ, ଆଇନଜୀବୀ ମହମ୍ମଦ ମୁସ୍ତକ, ଅମରିନ ସାହାଦତ, ଶେଷଦେବ ଦାସ, ମିର ମୁରସିଦ୍‌, ବିକାଶ ଚନ୍ଦ୍ର ସ୍ୱାଇଁ, ଦିଲ୍ଲୀପ ସାହୁ, ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।


Next Post

ଡକ୍ଟରେଟ୍ ଉପାଧି ପାଇଲେ ତ୍ରିଲୋଚନ ବରାଳ

Mon Jan 6 , 2025
କେନ୍ଦ୍ରାପଡା,୬ା୧: କେନ୍ଦ୍ରାପଡା ଜିଲ୍ଲା ଆୟବା ଗ୍ରାମର ସ୍ୱର୍ଗତ ପୁରୁଷୋତ୍ତମ ବରାଳ ଓ ପଦ୍ମାବତୀ ବରାଳଙ୍କ ସୁପୁତ୍ର ତ୍ରିଲୋଚନ ବରାଳଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି । ଗତ ଡିସେମ୍ବର ୩୧ ତାରିଖରେ ପୁରୀ ଟାଉନହଲଠାରେ ୱାର୍ଲ୍ଡ ଚାରିଟି ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ସମାଜସେବା କ୍ଷେତ୍ରରେ ତିଲୋଚନ ବରାଳଙ୍କୁ ଡକ୍ଟରେଟ୍ ଉପାଧିରେ ସମ୍ବର୍ଦ୍ଧିତ କରାଯାଇଛି । ଡକ୍ଟର ତ୍ରିଲୋଚନ ବରାଳ ନାମରେ ନାମିତ କରାଗଲା । ସେ […]

KANIKA