ଦିବ୍ୟାଙ୍ଗଙ୍କୁ କଳିଙ୍ଗ ନବଦିଗନ୍ତ ସ୍ୱେଛାସେବୀ ସଂଗଠନର ସହାୟତା

କେନ୍ଦ୍ରାପଡ଼ା,୧୧ା୧: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମର କିରଣ ସ୍ୱାଇଁ ଜଣେ ଦାଦନ ଶ୍ରମିକ ଭାବେ ସୁଦୁର ବାଙ୍ଗାଲୋରରେ ପାଣି ପାଇପ ମିସ୍ତ୍ରୀ ଭାବେ କାମ କରନ୍ତି। କାମ କରିବା ସମୟରେ ଅସାବଧାନତା ବଶତଃ ତାଙ୍କର ଡାହାଣ ଗୋଡର କାଣୀ ଆଙ୍ଗୁଠିରେ ଆଘାତ ଲାଗି ଏକ କ୍ଷତ ସୃଷ୍ଟି ହୋଇଥିଲା। ସେହି କ୍ଷତ ଧିରେ ଧିରେ ସଂକ୍ରମିତ ହୋଇ ପ୍ରଥମେ କାଣି ଆଙ୍ଗୁଠି ପରେ କ୍ରମାନ୍ୱୟରେ ସମସ୍ତ ଆଙ୍ଗୁଠି କଟାଯିବା ପରେ ମଧ୍ୟ ନଶୁଖିବାରୁ ଏବେ ତାଙ୍କର ଗୋଟିଏ ଗୋଡର ଆଣ୍ଠୁ ପର୍ଯ୍ୟନ୍ତ କଟା ଯାଇଛି। ତଥାପି କ୍ଷତ ଶୁଖୁନାହିଁ। ଏବେ କାମ କରି ଚାରି ଜଣ ପରିବାର ପ୍ରତିପୋଷଣ କରିବା ଓ ନିଜର ଚିକିତ୍ସା କରିବା ପାଇଁ ମଧ୍ୟ ସେ ସଂପୂର୍ଣ୍ଣ ଅକ୍ଷମ। ଏଭଳି ଏକ ସମ୍ବାଦ ପ୍ରଥମେ ସୋସିଆଲ ମିଡ଼ିଆରୁ ଖବର ପାଇଲା ପରେ କଳିଙ୍ଗ ନବଦିଗନ୍ତ ସଂଗଠନର ସଭାପତି ବିଜୟ ଦାସଙ୍କ ନେତୃତ୍ୱରେ ସଂଗଠନର କିଛି ସଦସ୍ୟ କିରଣ ସ୍ୱାଇଁଙ୍କ ମହୁ ବାସଭବନରେ ପହଞ୍ଚି ସଂପୂର୍ଣ୍ଣ ଘଟଣା ବିଷୟରେ ଆଲୋଚନା କରିଥିଲେ। ପରିବାରକୁ ସମବେଦନା ଜଣାଇବା ସହ ୫୦୦୦ ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରାଯାଇଥିଲା। କିପରି ଭାବେ ସେ ସମ୍ପୁର୍ଣ ସୁସ୍ଥହେବେ ଏବଂ ତାଙ୍କ ପରିବାର କିପରି ଭାବରେ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବ ସେନେଇ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇବା ପାଇଁ ସଂଗଠନର ସଭାପତି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତିମାନ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନର ସମ୍ପାଦକ ପ୍ରକାଶ ମହାନ୍ତି, କୋଷାଧ୍ୟକ୍ଷ ଦାଶରଥି ସାହୁ, ଗୟାଧର ଧଳ, ଶିଶିର ଓଝା, ରଶ୍ମିରଞ୍ଜନ ସାମଲ, ସନ୍ତୋଷ କୁମାର ତରାଇ, ବାବାଜୀ ଦାସ, ଅନ୍ତର୍ଯ୍ୟାମୀ କୁଣ୍ଡ, ପ୍ରବିର କୁମାର ରଥ, ଅଖିଳ ସୁତାର, କାଳିପ୍ରସାଦ ନାୟକ, କିଶୋର ସାହୁ, ସୋନାଲି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।











