ସେଣ୍ଟ ଜାଭିଅର ହାଇସ୍କୁଲର ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା,୧୧ା୧: କେନ୍ଦ୍ରାପଡା ସହରର ଗୋପସ୍ଥିତ ସେଣ୍ଟ ଜାଭିଅର ହାଇସ୍କୁଲର ଚତୁର୍ଦଶତମ ବାର୍ଷିକ ଉତ୍ସବ ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ହାଇସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ବେହେରାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ସେ ଆଜକୁ ୫୨ବର୍ଷ ତଳେ ଆଇ.ଆଇ.ଟି.ରୁ ଇଞ୍ଜିନିଅରିଂରେ ଡିଗ୍ରୀ ହାସଲ କରିବା ପରେ ଭାରତରେ ସେତେବେଳେ ତାଙ୍କ ପାଇଁ କୈାଣସି ସୁଯୋଗ ନଥିବାରୁ ସେ ଆମେରିକା ଯାଇ ସେଠାରେ ପିଏଚଡି କରିଥିଲେ । ପରେ ଜଣେ ଅଧ୍ୟାପକ ଭାବେ ଚାକିରୀ ପାଇଥିଲେ। ଡ. ଦାସ ବଳଦେବ ହାଇସ୍କୁଲ ଓ କେନ୍ଦ୍ରାପଡା ହାଇସ୍କୁଲ ଭଳି ସରକାରୀ ବିଦ୍ୟାଳୟରେ ପାଠପଢି ଥିଲେ। ଜାଭିଅର ହାଇସ୍କୁଲ ଭଳି ସୁବିଧା ସୁଯୋଗ ସେ ପାଇନଥିଲେ। ପିଲାମାନଙ୍କୁ ମନଦେଇ ପାଠପଢିବା ସହ ପିତାମାତା ଓ ଶିକ୍ଷକଙ୍କୁ ଭକ୍ତି ଏବଂ ସମ୍ମାନ ଦେବା ସହ ମା’ ଓ ମାଟିକୁ ନଭୁଲିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଗଣେଶ ଚନ୍ଦ୍ର ସାମଲ ଯୋଗଦେଇ କହିଲେ ପିଲାମାନେ ଉଚ୍ଚାଭିଳାଷି ହେବା ଉଚିତ। କାରଣ ପିଲାଟି ଦିନରୁ ଉଚ୍ଚାଭିଳାଷି ହେଲେ ଜଣେ ଭବିଷ୍ୟତରେ ନିଜ ଲକ୍ଷ୍ୟ ପଥରେ ପହଞ୍ଚି ପାରିବ। ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଯୋଗଦେଇ ନିଜେ କିପରି କଣ୍ଟକମୟ ପଥ ଅତିକ୍ରମ କରି ଭାରତୀୟ ପୋଲିସ ସେବା ଅଧିକାରୀ ହୋଇପାରିଲେ ତାହାର କାହାଣୀ ବର୍ଣ୍ଣନା କରିଥିଲେ। ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ମୋବାଇଲ ଫୋନର ଅପବ୍ୟବହାର ଏବେ ପିଲାଙ୍କ ପାଇଁ କାଳ ସାଜିଛି। ସେ କହିଲେ ସେ ଯେତେବେଳେ ଭାରତୀୟ ଲୋକସେବା ଆୟୋଗ(ୟୁପିଏସସି) ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ନିଜର ଆଇ ଫୋନ ଛାଡି କେବଳ କଥାବାର୍ତ୍ତା ହେବା ପାଇଁ ଏକ କିପ୍ୟାଡ ଫୋନ ବ୍ୟବହାର କରୁଥିଲେ। ସେ କହିଲେ ସ୍ମାର୍ଟ ଫୋନ ଜରିଆରେ ବହୁ ସୂଚନା ମିଳିପାରିବ। ଯାହା ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ସହାୟକ ହୋଇପାରିବ। ତେଣୁ ଫୋନର ସଦୁପଯୋଗ କରିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ପୂର୍ବତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଧଳ, ବିଦ୍ୟାଳୟର ମୁଖ୍ୟ ଉପଦେଷ୍ଟା ପ୍ରାଧ୍ୟାପିକା ପ୍ରତିଜ୍ଞା ସାମଲ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅଧ୍ୟକ୍ଷ ଶ୍ରୀ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ଉତ୍ସବ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିବା ବେଳେ ଶିକ୍ଷକ ଧୃତିରଞ୍ଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।











