
କେନ୍ଦ୍ରାପଡ଼ା,୨୩ା୧: କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ଚିତ୍ରଶିଳ୍ପୀ ଅଶୋକ ନାୟକଙ୍କୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କଳା ଓ ସଂସ୍କୃତିର ବିକାଶ ପାଇଁ ସିନିୟର ଫେଲୋସିପ ପ୍ରଦାନ କରାଯାଇଛି। ଏହି ଫେଲୋସିପ ତାଙ୍କୁ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ମିଳିବ। ଏହି ସମୟ ମଧ୍ୟରେ ସେ କଳା ଓ ସଂସ୍କୃତିର ବିକାଶ ନିମନ୍ତେ ଗବେଷଣା କରିବେ। ବର୍ଷ ଶେଷ ବେଳକୁ ଭାରତ ସରକାରଙ୍କୁ ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରିବେ। ଭାରତ ସରକାରଙ୍କ ପକ୍ଷରୁ ସିନିୟର ଫେଲୋସିପ ପାଇବାରେ ଶ୍ରୀ ନାୟକ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଥମ ଚିତ୍ରଶିଳ୍ପୀ। ମାଳତିଲତା ଚାରିଟେବୁଲ ଟ୍ରଷ୍ଟ ଅଧିନରେ ଶ୍ରୀ ନାୟକ କେନ୍ଦ୍ରାପଡ଼ା ସହରର ନସଡ଼ିପୁର ଓ ମହିପାଳ ଠାରେ କୁନ୍ତଳାକୁମାରୀ ଚିତ୍ରକଳା ଶିକ୍ଷାକେନ୍ଦ୍ର ଖୋଲି ଶତାଧିକ ଛାତ୍ରଛାତ୍ରୀଙ୍କୁ କଳା ଶିକ୍ଷା ପ୍ରଦାନ କରି ଆସୁଛନ୍ତି। ସେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ପଞ୍ଚାୟତର ପେରିଜପୁର ଗ୍ରାମର ସ୍ୱର୍ଗତ କିଶୋର ନାୟକ ଓ ସ୍ନେହଲତା ନାୟକଙ୍କ ଜ୍ୟେଷ୍ଠପୁତ୍ର ଅଟନ୍ତି। ନିକଟରେ ଶ୍ରୀ ନାୟକ ଦୁବାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆଧାରିତ ଚିତ୍ରକଳା ପ୍ରଦର୍ଶନୀ କରି ଉଚ୍ଚ ପ୍ରଶଂସିତ ହେବା ସହ ଜିଲ୍ଲା ପାଇଁ ଗୌରବ ଆଣିଥିଲେ।











