ପଟ୍ଟାମୁଣ୍ଡାଇ ୨୮।୧ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତରେ ସରପଂଚ ପଦ ନିମନ୍ତେ ମଙ୍ଗଳବାର ଉପନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ବେଳେ ଏଥିରେ ୬୫.୦୩ ପ୍ରତିଶତ ମତଦାନ ହୋଇଛି । ୩ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଭୋଟ ବାକ୍ସରେ ସିଲ୍ ହୋଇଛି। ବୁଧବାର ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ ଭୋଟ ଗଣତି ହେବ। ଏହି ପଂଚାୟତର ୧୩ଟି ୱାର୍ଡରେ ୨୧୯୩ ଜଣ ମହିଳା ଭୋଟର ଓ ୨୪୧୦ ଜଣ ପୁରୁଷ ଭୋଟରଙ୍କୁ ମିଶାଇ ମୋଟ୍ ୪୬୦୩ ଜଣ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫୮୦ ଜଣ ମହିଳା ଓ ୧୪୨୬ ଜଣ ପୁରୁଷ ଭୋଟରଙ୍କୁ ମିଶାଇ ମୋଟ୍ ୩୦୦୬ ଜଣ ଭୋଟର ମତଦାନ ହୋଇଥିବା ସଂପର୍କରେ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ବିଡିଓ ଶୁଭ୍ରାଂଶୁ ସାହୁ ସୂଚନା ଦେଇଛନ୍ତି ।
୨୦୨୨ରେ ଅନୁଷ୍ଠିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଏଠାରେ ସ୍ୱର୍ଗତ ସୌଦାମିନୀ ସେଠୀ ସରପଂଚ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ୨୦୨୩ ଅକ୍ଟୋବର ମାସରେ ତାଙ୍କର ଆକାଳ ବିୟୋଗ ହୋଇଥିଲା । ଏଥିନେଇ ସରପଂଚ ପଦବୀ ନିମନ୍ତେ ଉପନିର୍ବାଚନ ହୋଇଥିଲା । ଏଥିରେ ବିଜେଡି ସମର୍ôଥତ ପ୍ରାର୍ଥୀ ଅନନ୍ୟାଶୁଭସ୍ମୀତା ସେଠୀ, ବିଜେପି ସମର୍ôଥତ ପ୍ରାର୍ଥୀ ଲିଲା ମଲିକ ଓ କଂଗ୍ରେସ ସମର୍ôଥତ ପ୍ରାର୍ଥୀ ଜୋସ୍ନାରାଣୀ ସେଠୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସକାଳ ୭ଟାରୁ ଦିବା ୧ଟା ପର୍ଯ୍ୟନ୍ତ ବେଶ୍ ଶାନ୍ତି ଶୃଙ୍ଖଳା ମଧ୍ୟରେ ଭୋଟ୍ ଗ୍ରହଣ କରାଯାଇଥିଲା । ୧୩ଟି ବୁଥ୍ରେ ୧୪ଜଣ ପ୍ରିଜାଇଡିଂ ଅଫିସର, ୩୬ଜଣ ପୁଲିଂ ଅଫିସରଙ୍କୁ ନିୟୋଜିତ କରାଯାଇଥିଲା । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିର୍ବାଚନ ଅଧିକାରୀ ଭାବେ ପଟ୍ଟାମୁଣ୍ଡାଇ ବିଡିଓ ସାହୁ, ମାଜିଷ୍ଟ୍ରେଟ ଦାୟିତ୍ୱରେ ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ, ରାଜନଗର ତହସିଲଦାର ଅଜୟ ସାର ଓ ସେକ୍ଟର ଅଧିକାରୀ ଭାବେ ବିଶ୍ୱଜିତ ମିଶ୍ର ପ୍ରମୁଖ ନିର୍ବାଚନୀ ଦାୟିତ୍ୱ ତୁଲାଇଥିଲେ। ମତଦାନ ପରେ ଭୋଟ୍ ବାକ୍ସ ଗୁଡିକୁ କଡା ସୁରକ୍ଷା ମଧ୍ୟରେ ଅଣାଯାଇ ପଟ୍ଟାମୁଣ୍ଡାଇ ପଂଚାୟତ ସମିତିର ଷ୍ଟ୍ରଙ୍ଗ ରୁମ୍ରେ ରଖାଯାଇଛି ।