ପଟ୍ଟାମୁଣ୍ଡାଇ ତା ୨୯/୭-ପଟ୍ଟାମୁଣ୍ଡାଇ ରେ ବନ୍ୟା ପରିସ୍ଥିତି ଅପରିବର୍ତ୍ତିତ ରହିଛି । ବନ୍ୟାଜଳ ପ୍ରାୟ ସ୍ଥିର ରହିଛି । ଅଳଭା ଠାରେ ଗତକାଲି ଥିବା ବନ୍ୟା ଜଳ ପତ୍ତନ ୧୫ଫୁଟ ରହିଛି । ବନ୍ୟା ପରିସ୍ଥିତି ଅପରିବର୍ତ୍ତିତ ରହିଥିଲେ ମଧ୍ୟ ତୁହା କୁ ତୁହା ବର୍ଷା ବନ୍ୟା ବିପନ୍ନଙ୍କ ଦୁର୍ଦଶା ଦ୍ବିଗୁଣିତ କରିଛି । ବ୍ରାହ୍ମଣୀ ନଦୀରେ ଦେଖା ଦେଇଥିବା ୨ୟ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିଂହ ଗାଁ ପଂଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଥିବାବେଳେ ମାଳି ପୁର ରାସ୍ତାରେ ବନ୍ୟା ସ୍ରୋତ ପ୍ରବାହିତ ଯୋଗୁଁ ଶ୍ରୀରାମପୁର ଡାମରପୁର ଓ ବଳଭଦ୍ରପୁର ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି । ସେହିପରି ବାଛରା -ମଣ୍ଡପଡା ରାସ୍ତା ରେ ବନ୍ୟାର ପ୍ରଖର ସ୍ରୋତ ପ୍ରବାହିତ ହେଇଥିବାରୁ ବାଛରା – ମଣ୍ଡପଡା ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି । ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ଆସି ବ୍ୟାପକ କ୍ଷୟ କ୍ଷତି ସାଙ୍ଗକୁ ଫସଲହାନୀ ଘଟି ଗରିବ ଖଟିଖିଆ ଓ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ବନ୍ୟା ଯୋଗୁଁ ଜଳମଗ୍ନ ହୋଇଥିବା ଅଂଚଳ ରୁ ବନ୍ୟା ପାଣି ଛାଡି ଯାଇଥିଲେ ମଧ୍ୟ ଚାଷଜମି ଗୁଡିକ ବୁଡି ରହିଥିଲା । ଚାଷଜମିରୁ ବନ୍ୟା ପାଣି ଶୁଖି ନଥିବାବେଳେ ବ୍ରାହ୍ମଣୀ ନଦୀରେ ପୁଣି ୨ୟ ବନ୍ୟା ଆସିଛି । ବାରମ୍ବାର ବନ୍ୟା ଆସିବା ଫଳରେ କ୍ଷୟକ୍ଷତି ଓ ଫସଲହାନୀ ଆଶଙ୍କାରେ ଗରିବ ଖଟିଖିଆ ଓ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି । କିଛିଦିନ ପାଇଁ କୁମ୍ଭୀର ଭୟ ଲୋକମାନଙ୍କ ମନରୁ ଲିଭି ଯାଇଥିବାବେଳେ ପୁନରାୟ ବନ୍ୟା ଆସିବା ଯୋଗୁଁ କୁମ୍ଭୀର ଭୟ ରେ ସମଗ୍ର ଧୋୟାଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ଓ ପୌରାଞ୍ଚଳର ୧୧ଟି ୱାର୍ଡର ହଜାର ହଜାର ଏକର ଜମି ଜଳମଗ୍ନ ହୋଇପଡିଛି । ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଂଚାୟତର ସିଂହଗାଁ, କୃଷ୍ଣଦାସପୁର ରାଉଳିଆଡିଆ, ପାଣିସାଉଁଳିଆ ଆଦି ଜଳମଗ୍ନ ହୋଇ ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି। ଅଳପୁଆ ପଂଚାୟତ ଗୋଜିଆକଣ, ବିଲମଳିକସାହି, ବେହେରାସାହି, ମିଶ୍ରବାଗ, ସେଠୀସାହି, ଜେନାସାହି, ପାହାନ୍ତାସିଂହ ସାହି,ତରଡ଼ିପାଳ ପଂଚାୟତରପୋଖରୀକୂଳ,ଗୋପାଳପୁର, ଜେନାସାହି, ବିଶ୍ୱାଳ ସାହି, ନାଥସାହି, ମଳିକସାହି,ଘାଗରାଡିଆ ପେଣ୍ଠପାଳ ପଂଚାୟତର କୂଳସାହି, କୋଳଥିଆ, ବାଲିକିରା,ଦାଣ୍ଡିସାହି ଦାଣ୍ଡିସାହି,ଅଣ୍ଢରା ପଂଚାୟତର ବ୍ରହ୍ମପୁର,ବିଷ୍ଣୁପୁର, ବ୍ରାହ୍ମଣସାହି, ଦାଣ୍ଡିଉପର, ଅମୃତମଣୋହି ପଂଚାୟତର ନୂଆଡିଆ,ଜଗନ୍ନାଥ ପୁର, ଶାନ୍ତିପଡା, ସିଦ୍ଧବାଲି, ବଲୁରିଆ ପଂଚାୟତର ଫୁଲପାଟଣା ଆଦି ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇ ପଡିଛି । ପେଣ୍ଠପାଳ ପଂଚାୟତ କୋଳଥିଆ ଜେନାସାହି ନିକଟରେ ଆର ଡି ରାସ୍ତା୫୦ ଫୁଟ ଘାଇ ହୋଇ ବନ୍ୟା ସୁଅ ଛୁଟିବା ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର, ଡାମରପୁର, ନୀଳକଣ୍ଠପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର ଶାସନ ଆଦି ପଂଚାୟତର ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇପଡିଛି । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ବିଡ଼ିଓ ଅଶୋକ ମହାନ୍ତି ବନ୍ୟା ବିପନ୍ନ ଅଳପୁଆ, ତରଡ଼ିପାଳ, ପେଣ୍ଠପାଳ, ସିଂହଗାଁ, ଅମୃତ ମଣୋହି ଆଦି ପଂଚାୟତଗସ୍ତ ବନ୍ୟା ସ୍ଥିତି ଓ ଲୋକମାନଙ୍କ ଅବସ୍ଥା ଅନୁଧ୍ୟାନ କରିଥିଲେ । ବ୍ଲକ ଅଧକ୍ଷ ଓ ବିଡ଼ିଓଙ୍କ ସହିତ ଅଳପୁଆ ସରପଞ୍ଚ ପଦ୍ମିନୀ ବେହେରା, ସମିତି ସଭ୍ୟ ରାମଚନ୍ଦ୍ର ସେଠୀ, ତରଡ଼ି ପାଳ ସରପଞ୍ଚ ଦେବବ୍ରତ ନାୟକ, ସମିତି ସଭ୍ୟ ନିରଞ୍ଜନ ବାରିକ, ପେଣ୍ଠପାଳ ସରପଞ୍ଚ ଅନ୍ନପୂର୍ଣ୍ଣା ସେଠୀ, ସମିତି ସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ, ସିଂହଗାଁ ସରପଞ୍ଚ ଗଣେଶ ଦାସ, ସମିତି ସଭ୍ୟ ଅଭୟ ସ୍ୱାଇଁ, ଅମୃତମଣୋହି ସରପଞ୍ଚ ନିରୁପମା ଦାସ ପ୍ରମୁଖ ପଂଚାୟତ ପ୍ରତିନିଧିମାନେ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ବ୍ଲକ ଅଧକ୍ଷ ଓ ବିଡ଼ିଓ ବନ୍ୟା ବିପନ୍ନ ଲୋକ ମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ପଂଚାୟତ ନିର୍ବାହୀ ଅଧିକାରୀ ଓ ପଂଚାୟତ ପ୍ରତିନିଧିଙ୍କୁ ନିର୍ଦେଶ ଦେଇଥିଲେ । ଏଥି ସହିତ ବ୍ଲକ ଅଧକ୍ଷ ଓ ବିଡ଼ିଓ ମାଳିପୁର ଯାଇ ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର, ଶାସନ ପଂଚାୟତ ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିଲେ । ବ୍ଲକ ଅଧକ୍ଷ ଓ ବିଡ଼ିଓଙ୍କ ସହିତ ଶ୍ରୀରାମପୁର ସରପଞ୍ଚ ସସ୍ମିତା ସେଠୀ, ଡାମରପୁର ସରପଞ୍ଚ ଅନୁସୂୟା ନାଥ, ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା, ଶାସନ ସରପଞ୍ଚ ସଂଗ୍ରାମ ବାରିକ ପ୍ରମୁଖ ଆଲୋଚନା କରି ବନ୍ୟା ପରିସ୍ଥିତି ଓ ଲୋକମାନଙ୍କ ଅଭାବ ଅସୁବିଧା ଜଣାଇଥିଲେ । ବ୍ଲକ ଅଧକ୍ଷ ଓ ବିଡ଼ିଓ ବିପନ୍ନ ଲୋକମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ପଂଚାୟତ ନିର୍ବାହୀ ଅଧିକାରୀ ଓ ପଂଚାୟତ ପ୍ରତିନିଧିଙ୍କୁ ନିର୍ଦେଶ ଦେଇଥିଲେ । ପେଣ୍ଠପାଳ ପଂଚାୟତ କୋଳଥିଆ ଜେନାସାହି ଆର ଡି ରାସ୍ତାରେ ୫୦ଫୁଟ ଘାଇ ହୋଇ ଗମନାଗମନ ବାଧା ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକରେ ପୁନଃରାୟ ଦେଖା ଦେଇଥିବା ବନ୍ୟା ପରିସ୍ଥିତି ସଫଳ ମୁକାବିଲା ପାଇଁ ବ୍ଲକ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ କରାଯାଇ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଅଣ୍ଢରା ପଂଚାୟତ ଗିରିସାହି- ବ୍ରାହ୍ମଣସାହି କଲଭର୍ଟ ଭୁଶୁଡି ପଡିଥିବାରୁ ୬ନଂ ୱାର୍ଡକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏହି କଲଭର୍ଟ ତୁରନ୍ତ ପୁନଃ ନିର୍ମାଣ କରିବାକୁ ସମାଜସେବୀ ପ୍ରଶାନ୍ତ ସ୍ୱାଇଁ ଦାବୀ କରିଛନ୍ତି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବାଲିପଡ଼ା, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା, କଷଣଅଣ୍ଟା, ନୂଆଗାଁ, କାକୁଡିପଲ୍ଲୀ, ତନୁପୁର, ନନ୍ଦିନୀନଗର, ଷଣ୍ଢପଲ୍ଲୀ, ଅଳଭା ଆଦି ବିଭିନ୍ନ ଗ୍ରାମ ଓ ୧୧ଟି ୱାର୍ଡ ଜଳମଗ୍ନ ହୋଇପଡିବା ସହିତ ଶହ ଶହ ଏକର ଚାଷଜମି ମଧ୍ୟ ବୁଡି ରହିଛି । ଜଳସମ୍ପଦ ବିଭାଗ ସହସହକାରୀ ଯନ୍ତ୍ରୀ ଇଂ ମନୋରଞ୍ଜନ ସାହୁ ପ୍ରମୁଖ ଦୁର୍ବଳ ନଦୀବନ୍ଧ ଗୁଡିକ ପରିଦର୍ଶନ କରି ବିଭାଗୀୟ କର୍ମଚାରୀ ସହାୟତାରେ ବାଲିବସ୍ତା ପକାଇ ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ନୂତନ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ନିର୍ଦେଶରେ ବ୍ଲକ ଓ ପୌର ପ୍ରଶାସନ ବନ୍ୟା ମୁକାବିଲା ପାଇଁ ସଜାଗ ହୋଇପଡିଛି । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ପୌରାଞ୍ଚଳର ବନ୍ୟା ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ରାଜନଗର ବିଧାୟକ ଧ୍ରୁବ ସାହୁ ଓ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ବନ୍ୟା ବିପନ୍ନ ଲୋକ ମାନଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାର ଙ୍କ ନିକଟରେ ଦାବୀ କରିଛନ୍ତି ।