ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଧନୁ ସଂକ୍ରାନ୍ତୀ

SRI BALDEBJEWNKA MANDIRARE DHANU SANKRANTI-min


କେନ୍ଦ୍ରାପଡ଼ା,୧୬ା୧୨:କେନ୍ଦ୍ରାପଡା ତୁଳସୀକ୍ଷେତ୍ରର କ୍ଷେତାଧିପତି ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଧନୁ ସଂକ୍ରାନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଧନୁ ସଂକ୍ରାନ୍ତିରେ ପ୍ରଭୁଙ୍କ ପାଖରେ ପହିଲି ଭୋଗ ଆରମ୍ଭ ହୋଇ ଲାଗି ହୋଇଛି ଧନୁମୁଆଁ। ଶାସ୍ତ୍ର ପ୍ରଚଳିତ ପ୍ରଥା ଅନୁଯାୟୀ ମା’ ଲକ୍ଷ୍ମୀ ସାଆନ୍ତାଣୀ ଧନୁ ସଂକ୍ରାନ୍ତି ପୂର୍ବ ରାତି ମାସନ୍ତ୍‌ରେ ନିଜ ପିତ୍ରାଳୟକୁ ଯାତ୍ରା କରିଥାନ୍ତି। ଏହି ଯାତ୍ରା ଏକ ମାସ ଧରି ମକର ସଂକ୍ରାନ୍ତି ପୂର୍ବ ମାସନ୍ତ ପର୍ଯ୍ୟନ୍ତ ଚାଲିଥାଏ। ଏହି ସମୟରେ ମନ୍ଦିରର ସମସ୍ତ ଦାୟିତ୍ୱ ମାତା ଜସମତିଙ୍କ ପାଖରେ ଥାଏ। ମା’ ଜସମତି ବ୍ରାହ୍ମ ମୁହୂର୍ତ୍ତର୍ରୁ ଉଠି ପୁତ୍ର ବଳରାମ ଓ ଶ୍ରୀକୃଷ୍ଣଙ୍କ ଲାଗି ସମସ୍ତ ବ୍ୟଞ୍ଜନ ପ୍ରସ୍ତୁତ କରି ପୁତ୍ରଙ୍କ ପାଖରେ ପରଷି ଦେଇଥାନ୍ତି। ଏହି ଭୋଗକୁ ପହିଲି ଭୋଗ କୁହାଯାଇଥାଏ। ଆଜି ତୁଳସୀ କ୍ଷେତ୍ରରେ ଏହି ପହିଲି ଭୋଗ ଆରମ୍ଭ ହୋଇ ଯାଇଛି। ମଙ୍ଗଳବାର ଭୋର ଚାରିଟାରୁ ଦ୍ୱାର ଉନ୍ମୁକ୍ତ କରାଯାଇ ଜୟ ମଙ୍ଗଳା ଆଳତି ହୋଇଥିଲା। ପରେ ନୀତିସ୍ନାନ ଓବ ବେଶ ବଲ୍ଲଭ ହୋଇଥିଲା। ଏହି ବଲ୍ଲଭ ସମୟରେ ପ୍ରଭୁଙ୍କ ପାଖରେ ପହିଲି ଭୋଗ ଅର୍ପଣ କରାଯାଇଥିଲା। ଏହି ଭୋଗରେ ପୋଡପିଠା, ପକୁଡ଼ି, ଡାଳିମ୍ବ, ଲଡୁ ଓ କାକରା ଭୋଗ ଲାଗି କରାଯାଇଥିଲା। ଭୋଗ ସମ୍ପନ୍ନ ପରେ ଆଳତି ହୋଇଥିଲା। ଏହି ଆଳତି ଭୋଗ ଏକ ମାସ ଧରି ଚାଲିବ। ଆଜି ପବିତ୍ର ଧନୁ ସଂକ୍ରାନ୍ତି ଥିବାରୁ ମହାପ୍ରଭୁଙ୍କ ପାଖ ରେ ଧନୁମୁଆଁ ଭୋଗ ଲାଗି କରାଯାଇଥିଲା। ଭୋଗ ସମର୍ଣ୍ଣ ପରେ ପାର୍ଶ୍ୱ ଦେବଦେବୀଙ୍କର ପାଖରେ ଲାଗି ହୋଇଥିଲା। ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପୋଲିସ୍ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା ବୋଲି ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତ।