ଗଛ ନବଞ୍ଚିଲେ ଅମ୍ଳାଜାନ ସ୍ଥିତି ଗମ୍ଭୀର ହୋଇପଡିବ: ଶ୍ରୀମା



କେନ୍ଦ୍ରାପଡ଼ା,୮ା୭:ବୃକ୍ଷରୋପଣ ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ କହିଛନ୍ତି ଯେ ବୃକ୍ଷ ହିଁ ଜୀବନ। ବୃକ୍ଷ ବିନା ମଣିଷ ଜୀବନ ସମ୍ଭବ ନୁହେଁ। ଗଛ ନବଞ୍ଚିଲେ ଅମ୍ଳାଜାନ ସ୍ଥିତି ଗମ୍ଭୀର ହୋଇପଡିବ। ନିଆଳି, ବରପଦା, ଚଣ୍ଡିଆ, ବାଲିଆ, ନଅଣ, ହରିପୁର, ଜନକ ପ୍ରଭୃତି ଗ୍ରାମ୍ୟରାସ୍ତା ପାଶ୍ୱର୍ରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମା କହିଛନ୍ତି ଯେ ଗଛ ଲଗାଇ ପରିବେଶ ବଞ୍ଚାଅ। ଏହି କାର୍ଯ୍ୟକ୍ରମରେ ଶ୍ରୀମାଙ୍କ ଉଦ୍ୟମରେ ବିଭିନ୍ନ ଫଳ ଓ ଫୁଲଗଛର ସାତ ଶହ ଚାରା ରୋପଣ କରାଯାଇଥିଲା। ଶ୍ରୀମା ପ୍ରତ୍ୟେକ ପରିବାରକୁ ଗୋଟିଏ ଗୋଟିଏ ଗଛର ଚାରା ବଣ୍ଟନ କରି ସେମାନଙ୍କ ପିଲାଙ୍କ ନାମରେ ସେହି ଚାରାକୁ ରୋପଣ କରି ତାର ଯତ୍ନ ନେଇ ସେହି ଗଛକୁ ବଞ୍ଚାଇ ରଖିବାକୁ ପରାମର୍ଶ ଦେଇଥିଲେ। ପରିବେଶ ସୁସ୍ଥ ରହିଲେ ଜନଜୀବନ ଶାନ୍ତିରେ ରହିପାରିବ ବୋଲି ଶ୍ରୀମା କହିଥିଲେ। ଏହାବ୍ୟତିତ ଜଳବାୟୁ ପରିବର୍ତ୍ତନ ଓ ଅସାନ୍ତ ପୃଥିବୀକୁ ଶାନ୍ତ କରିବାକୁ ହେଲେ ସମଗ୍ର ପୃଥିବୀ ପୃଷ୍ଟରେ ସବୁଜ ବଳୟ ସୃଷ୍ଟି କରାଯିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ସେ କହିଥିଲେ। ଏଥିପାଇଁ ପ୍ରତ୍ୟେକ ଗାଁ, ପଞ୍ଚାୟତ ଓ ବିଦ୍ୟାଳୟ ଗୁଡିକରେ ସଚେତନତାର ବାର୍ତ୍ତା ଦିଆଯିବା ଆବଶ୍ୟକ ବୋଲି କହିଥିଲେ। ଅଳିଆ ଆବର୍ଜ୍ଜନା ସଫା କରିବା, ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରାଯିବା ସମ୍ପର୍କରେ ଶ୍ରୀମା ଉପସ୍ଥିତ ଲୋକମାନଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଡ. ଭାଗ୍ୟଧର ସାହୁ, ଡ. ରାମଚନ୍ଦ୍ର ସାମଲ, ସଚିନ୍ଦ୍ର ଜେନା, ଭୁବନୀ ଦାସ, ନିରଞ୍ଜନ ପାତ୍ର, ଭାଗବତ ସାମଲ, କୃଷ୍ଣଚନ୍ଦ୍ର ସାମଲ, ଚକ୍ରଧର ପାତ୍ର, ଜନ ଜେନା, ଉମାକାନ୍ତ ବଳ, ରାଜେନ୍ଦ୍ର ପ୍ରସାଦ ରାଏ, କୁଳମଣି ଜେନା, ଭଞ୍ଜ ସାର, ବାଇନ ଜେନା, ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।


Be the first to comment

Leave a Reply

Your email address will not be published.