

କେନ୍ଦ୍ରାପଡ଼ା,୧୦ା୭:କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରରୁ ଏସପିଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ହଳଦିଢିହ ଛକ ନିକଟରେ ଏକ ଦୁର୍ଘଟଣାରେ ଦୁଇ ଜଣ ସାମ୍ବାଦିକ ଓ ଜଣେ ସ୍ଥାନୀୟ ଲୋକ ଗୁରୁତର ଆହତ ହୋଇଛନ୍ତି। ସାମ୍ବାଦିକ ଦୁଇଜଣ ହେଲେ ଓଟିଭି ଜିଲ୍ଲା ବ୍ୟୁରୋ ମନୋଜ କୁମାର ସ୍ୱାଇଁ ଓ କ୍ୟାମେରାମ୍ୟାନ ଉମାକାନ୍ତ ମହାପାତ୍ର। ସେହିପରି ଏହି ଦୁର୍ଘଟଣାରେ ଅନ୍ୟ ଜଣେ ବାଇକ ଆରୋହୀ ଜଝାଙ୍ଗ ନିକଟ ଖମାର କେଶପୁର ଗ୍ରାମର ଅଖିଳ କୁମାର ସାହୁ ଆହତ ହୋଇଛନ୍ତି।

ଖବର ନେବାରୁ ଜଣାପଡିଛି ଶୁକ୍ରବାର ମଧ୍ୟାହ୍ଣ ପ୍ରାୟ ସାଢେ ୧୨ଟା ବେଳେ ଦୁଇ ଜଣ ସାମ୍ବାଦିକ ମନୋଜ ଓ ଉମାକାନ୍ତ କେନ୍ଦ୍ରାପଡ଼ାରୁ ଏସପିଙ୍କ କାର୍ଯ୍ୟାଳୟ ନିକଟ ଏକ ଗ୍ରାମକୁ ଖବର ସଂଗ୍ରହ ପାଇଁ ଯାଉଥିଲେ। ଏହି ସମୟରେ ପଛ ପଟୁ ଏକ ପିକ ଅପ ଭ୍ୟାନ୍ ଅନ୍ୟ ଏକ ବାଇକ ଆରୋହୀ ଅଖିଳଙ୍କ ବାଇକଙ୍କୁ ପ୍ରଥମେ ଧକ୍କା ଦେଇଥିଲା। ଏହାଦ୍ୱାରା ଅଖିଳ ଭାରସାମ୍ୟ ହରାଇ ମନୋଜ ଚଳାଉଥିବା ବାଇକକୁ ପଛ ପଟୁ ପିଟିଥିଲେ। ଫଳରେ ମନୋଜ ଓ ଅଖିଳଙ୍କ ବାଇକ ତଳେ ପଡି ଯାଇଥିଲା। ଏହାଦ୍ୱାରା ଉଭୟ ମନୋଜ ଓ ଉମାକାନ୍ତ ଗୁରୁତର ହୋଇଥିଲେ। ସେହିପରି ଅଖିଳ ମଧ୍ୟ ତଳେ ପଡି ଗୁରୁତର ହୋଇଥିଲେ। ସମସ୍ତଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅଖିଳ ଓ ଉମାକାନ୍ତଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଯାଇଛି। ଏକ ଗାଈ ପଶି ଯିବାରୁ ପିକ ଅପ ଭ୍ୟାନ୍ଟି ଭାରସାମ୍ୟ ହରାଇ ଅଖିଳଙ୍କ ବାଇକକୁ ପିଟି ଦେଇଥିଲା। ଭୟରେ ପିକଅପ ଭ୍ୟାନ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଦୁଇଟି ବାଇକ ଜବତ କରିଛି। ଫେରାର ପିକ ଅପ ଭ୍ୟାନକୁ ଠାବ କରାଯିବ ବୋଲି ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ କହିଛନ୍ତି।

Leave a Reply