ଦଳ ସଫେଇ ବେଳେ ଶ୍ରମିକଙ୍କ ମୃତ୍ୟୁ ଘଟଣା : ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ



କେନ୍ଦ୍ରାପଡ଼ା,୨୨ା୮:କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ମାଲୁଆ ନିକଟରେ ଗୋବରୀ ନଦୀରୁ ଦଳ ସଫେଇ କରୁଥିବା ସମୟରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତ ଶ୍ରମିକ ହେଉଛନ୍ତି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କୋରୁଆ ମାଲୁଆ ଗ୍ରାମର ବାବୁଲା ସେଠୀ(୫୬)। ଗୁରୁତର ହୋଇଥିବା ଶ୍ରମିକ ସେହି ଗ୍ରାମର କୁସିଆ ସେଠୀ । ଏ ନେଇ ଗ୍ରାମ୍ୟ ଉନ୍ନୟନ(ଆର.ଡି.) ବିଭାଗ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଏତଲା ଦିଆଯାଇଛି। ଏହି ଅଘଟଣ ପାଇଁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ସତ୍ୟଜିତ ବେହେରା ଦାୟୀ ବୋଲି ଲୋକେ କହିଛନ୍ତି। ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଗୋବରୀ ନଦୀରୁ କୋରୁଆ ମାଲୁଆ ଠାରେ ଦଳ ସଫେଇ କାର୍ଯ୍ୟ ଚାଲିଥିଲା। ଶୁକ୍ରବାର ତିନିଜଣ ଶ୍ରମିକ ଏହି କାର୍ଯ୍ୟରେ ନିୟୋଜିତ ଥିଲେ। ଗୋବରୀ ନଦୀର ସେହିଠାରେ ୨୦ରୁ୨୫ ଫୁଟ ଗଭୀର ଜଳ ଥିବାବେଳେ ପ୍ରଖର ସ୍ରୋତ ମଧ୍ୟ ପ୍ରବାହିତ ହେଉଥିଲା । ଏଠାରେ ନବନିର୍ମିତ ସେତୁରେ ଦଳ ଲାଗି ଜଳ ପ୍ରବାହରେ ବାଧା ସୃଷ୍ଟି କରୁଥିବାରୁ ଏହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସଫେଇ କରାଯାଉଥିଲା । କିନ୍ତୁ ଯେଉଁ ଶ୍ରମିକମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟ କରାଯାଉଥିଲା ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇ ନଥିଲା। ଯାହା ଫଳରେ ଅକାଳରେ ଜଣେ ଶ୍ରମିକଙ୍କ ଜୀବନ ଦୀପ ଲିଭିଗଲା। ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଦାୟୀ ବୋଲି ଯୁବ ନେତା ରଶ୍ମୀରଞ୍ଜନ ଚୈାଧୁରୀ କହିଛନ୍ତି। ଏକ ଟ୍ରାକ୍ଟର ସହାୟତାରେ ବଲହା ଦ୍ୱାରା ଦଳ ସଫେଇ ସମୟରେ ବଲାହ ବାବୁଲା ସେଠୀ ଦେହରେ ବାଜିଥିଲା ସେ ନଦୀରେ ଖସିପଡି ସ୍ରୋତରେ ଭାସି ଯାଇଥିଲା । ବାବୁଲାକୁ ରକ୍ଷା କରିବା ପାଇଁ କୁସିଆ ସେଠୀ ନଦୀକୁ ଡେଇଁ ୫୦ ମିଟର ଦୂରରୁ ବାବୁଲାକୁ ଉଦ୍ଧାର କରିଥିଲା । ତେବେ କୁସିଆ ମଧ୍ୟ ଆହାତ ହୋଇଥିଲେ। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ବାବୁଲାଙ୍କୁ ମୃତ ଘୋଷଣା କରିଥିଲେ । କୁସିଆର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନକୁ ପଠାଇ ଦିଆଯାଇଛି । ମୃତ ବାବୁଲାର ପରିବାର ସଦର ଥାନାରେ ଏ ଘଟଣାକୁ ନେଇ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ଏ ସଂକ୍ରାନ୍ତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଜ୍ୟୋତିପ୍ରକାଶ ସାମଲଙ୍କୁ ପଚାରିବାରୁ ସେ କହିଲେ ମୁଁ ନୂଆ କରି ଯୋଗ ଦେଇଥିବାରୁ ଏ ବିଷୟରେ କୌଣସି ତଥ୍ୟ ମୋର ହସ୍ତଗତ ହୋଇନାହିଁ।


Be the first to comment

Leave a Reply

Your email address will not be published.