

ପଟ୍ଟାମୁଣ୍ଡାଇ ୩୧/୮ -ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଂଚାୟତ କୋଳଥିଆ ବ୍ରାହ୍ମଣ ସାହି ଘୋଷରା ନିକଟ ଘାଇରେ ଘଟିଛି ଏକ ଦୁଃଖଦ ଘଟଣା। ବନ୍ୟା ସ୍ରୋତରେ ଦୁଇଜଣ ବ୍ୟକ୍ତି ଭାସିଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଅନ୍ୟ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସ୍ଥାନୀୟ ବାଲିକିରା ଗ୍ରାମର ତ୍ରିଲୋଚନ ରାଉଳ (୫୫) ବୋଲି ଗ୍ରାମବାସୀ ସୁଚନା ଦେଇଛନ୍ତି । ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ମିଳିଥିବା ସୂଚନା ଅନୁଯାୟୀ, ପେଣ୍ଠପାଳ ପଂଚାୟତ ବାଲିିକିରା ଗ୍ରାମର ତ୍ରିଲୋଚନ ରାଉଳ ଏବଂ ବାଙ୍କବିହାରୀ ରାଉଳ ସୋମବାର ଅପରାହ୍ନ ଅଢେଇଟାରେ ନିଜ ନିଜର କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ବ୍ରାହ୍ମଣୀ ଓ ଖରସ୍ରୋତା ନାଦୀରେ ବନ୍ୟା ଯୋଗୂଁ ଧୋୟାଂଚଳର ଏକାଧିକା ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ବେଳେ ଗ୍ରାମୀଣ ରାସ୍ତାରେ ମଧ୍ୟ ବନ୍ୟାଜଳ ବୁଡିରହିଛି । ଏଥିନେଇ ଦୁହେଁ କୋଳଥିଆ ବ୍ରାହ୍ମଣ ସାହି ଘୋଷରା ନିକଟରେ ଥିବା ଘାଇ ଦେଇ ବନ୍ୟାଜଳକୁ ପାରି ହେବାକୁ ଚେଷ୍ଟା କରୁଥିବା ବେଳେ ଉଭୟ ନିୟନ୍ତ୍ରଣ ହରାଇ ସ୍ରୋତରେ ଭାସି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକମାନେ ତୁରନ୍ତ ସହାୟତାର ହାତ ବଢ଼ାଇଥିଲେ। ଗ୍ରାମବାସୀଙ୍କ ଆପ୍ରାଣ ଉଦ୍ୟମ ଯୋଗୁଁ ବାଙ୍କବିହାରୀଙ୍କୁ ସୁରକ୍ଷିତ ଭାବେ ବନ୍ୟା ସ୍ରୋତରୁ ଉଦ୍ଧାର କରାଯାଇପାରିଛି। ମାତ୍ର ଦୁର୍ଭାଗ୍ୟବଶତଃ, ତ୍ରିଲୋଚନ ପ୍ରବଳ ଜଳସ୍ରୋତର ଅଥଳ ଜଳରାଶି ମଧ୍ୟକୁ ଚାଲିଯାଇଥିଲେ । ଯାହାଫଳରେ ତାଙ୍କର କୌଣସି ପତା ମିଳିନଥିଲା। ଘଟଣା ସମ୍ପର୍କରେ ଖବର ପାଇବା ପରେ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଁଚିିଥିଲେ। ବୋଟ୍ ଏବଂ ଆବଶ୍ୟକୀୟ ଉଦ୍ଧାର ସାମଗ୍ରୀ ସାହାଯ୍ୟରେ ଅଗ୍ନିଶମ କର୍ମଚାରୀମାନେ ନିଖୋଜ ତ୍ରିଲୋଚନଙ୍କୁ ଖୋଜିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗ୍ରାମବାସୀ ଓ ଉଦ୍ଧାରକାରୀ ଦଳ ନିଖୋଜ ତ୍ରିଲୋଚନଙ୍କୁ ଜଲ୍ଦି ଉଦ୍ଧାର କରିବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି।

Leave a Reply