ଆତ୍ମନିର୍ଭରଶୀଳତାର ବାଟ ଦେଖାଉଛନ୍ତି ଗୃହିଣୀ

0
WhatsApp Image 2026-10-05 at 03.00.06


ଡେରାବିଶ ୩/୧୦ ବେବର୍ତ୍ତା ଅଜୟ ଦାସ- ଇଚ୍ଛାଶକ୍ତି ଓ ନିଷ୍ଠା ଥିଲେ ଘରର ଚାରିକାନ୍ଥ ଭିତରେ ରହି ମଧ୍ୟ ସ୍ୱାବଲମ୍ବୀ ହୋଇହୁଏ ବୋଲି ଏହାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବୋଲରା ହାଟସ୍ଥ ୨୬ ଜଣ ଗୃହିଣୀ। ସ୍ଥାନୀୟ ଅଂଚଳର ଗୃହୀଣୀ ଇସରତ୍ ଜାହାଁଙ୍କ ପ୍ରଚେଷ୍ଟାରେ ଗଠିତ ସ୍ୱାଧୀନ ପ୍ରଡ୍ୟୁସର ଗ୍ରୁପ୍ ମାଧ୍ୟମରେ ଏହି ମହିଳାମାନେ ନିଜ ନିଜର ଘରକାମ ସାରି ଝୋଟରୁ ବିଭିନ୍ନ ସାମଗ୍ରୀ ତିଆରି କରିବା ସହ ଆଜି ଅତିରିକ୍ତ ରୋଜଗାରର ପନ୍ଥା ଆପଣେଇ ପାରିଛନ୍ତି।


୨୦୧୯ ମସିହାରେ ମାତ୍ର ୧୮ ହଜାର ଟଙ୍କାର ସ୍ୱଳ୍ପ ନିବେଶରୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ଆଜି ନିଜର ଉଚ୍ଚଗୁଣବତା ଓ ସୁନ୍ଦର କାରୁକାର୍ଯ୍ୟ ଯୋଗୁଁ ସାରା ଦେଶରେ ଚହଳ ସୃଷ୍ଟି କରିପାରିଛି। ପରିବେଶ ଅନୁକୂଳ ଝୋଟର ବ୍ୟବହାରକୁ ପ୍ରାଧାନ୍ୟ ଦେଇ ଏହି ମହିଳା କାରିଗରମାନେ ଚିତାକର୍ଷକ ହ୍ୟାଣ୍ଡବ୍ୟାଗ୍‌, ଫାଇଲ୍ ଫୋଲ୍ଡର, ସପିଂ ବ୍ୟାଗ୍‌, ବୋତଲ ବ୍ୟାଗ୍‌, ଲାପଟପ୍ ବ୍ୟାଗ୍ ଓ ଆସନ ଆଦି ପ୍ରସ୍ତୁତ କରୁଛନ୍ତି। ଝୋଟ କାମ ବ୍ୟତୀତ ଏହି ଗ୍ରୁପର ମହିଳାମାନେ ଶାଳପତ୍ର ସିଲେଇ, ଏମ୍ବ୍ରୋଡରୀ, ଏବଂ ଉଲ୍ ଆଧାରିତ ବିଭିନ୍ନ ସାମଗ୍ରୀ ମଧ୍ୟ ତିଆରି କରୁଛନ୍ତି। ସେମାନଙ୍କର ଏହି କଳା ଓ ନିପୁଣତାକୁ ଆଧାର କରି ସରକାରଙ୍କ କୃଷି ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସରକାରୀ ଫାଇଲ୍ ଫୋଲ୍ଡର ପ୍ରସ୍ତୁତି ପାଇଁ ବରାଦ ମିଳୁଛି। ତେବେ ଏହି ସଫଳତା ପଛରେ ରହିଛି କଠିନ ପରିଶ୍ରମ ଓ ସଂଘର୍ଷ।
ସ୍ଥାନୀୟ ଅଂଚଳରେ ଆବଶ୍ୟକୀୟ କଂଚାମାଲ ମିଳୁନଥିବାରୁ କଟକ ଓ କଲିକତା ଭଳି ବଡ଼ ବଡ଼ ସହରରୁ ରଅ-ମ୍ୟାଟେରିଆଲ୍ ଆଣିବାକୁ ପଡ଼ୁଛି। ମହିଳାମାନେ ଦିନକୁ ଦୁଇଟି ପାଳିରେ ସମୟ ବାହାର କରି ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି। ଏଠାରେ ଗୋଟିଏ ବ୍ୟାଗ୍‌ର ବିକ୍ରି ମୂଲ୍ୟ ୧୫୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଏହି ଗ୍ରୁପର ପ୍ରତ୍ୟେକ ସଦସ୍ୟା ମାସିକ ୩ ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ନିଜ ପରିବାରକୁ ଆର୍ଥିକ ସହଯୋଗ ଯୋଗାଇଦେଉଛନ୍ତି। ସରକାରୀ ସହାୟତା ଭାବେ ଏପର୍ଯ୍ୟନ୍ତ ସେମାନଙ୍କୁ ମାତ୍ର ୨ ଲକ୍ଷ ୪ ହଜାର ଟଙ୍କା ମିଳିଛି ବୋଲି ସଭାପତି ଆସମା ବିବି ସଂପାଦୀକା ରଂଜିଦା ଖାନମ, ମଞ୍ଜୁଲତା ବେହେରା ଓ ସଂଗିତା ସାହୁ ପ୍ରମୁଖ କହିଛନ୍ତି।
ରାଜ୍ୟ ସରକାର ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ଅନେକ ଯୋଜନା ପ୍ରଚାର କରୁଛନ୍ତି। ଏହାସହ ଉଦ୍ୟୋଗୀଙ୍କୁ ସହାୟତା ପାଇଁ ମିଶନଶକ୍ତି ଓ ସୁଭଦ୍ରା ଶକ୍ତି, ଲକ୍ଷପତିଦିଦି, ଜିଲା ଶିଲ୍ପକେନ୍ଦ୍ର, କେବିଆଇବି, କେବିଆଇସି, ଭଳି କାର୍ଯ୍ୟାଳୟ ସକ୍ରିୟ ଥିବା ଦାବି କରାଯାଉଥିଲେ ବି ଏହି ୨୬ ଜଣିଆ ଗ୍ରୁପକୁ ଆବଶ୍ୟକୀୟ ଅନୁଦାନ ଓ ସହଯୋଗ ମିଳିପାରିନାହିଁ। ନିଜ ପ୍ରଚେଷ୍ଟାରେ ଗଢ଼ିଉଠିଥିବା ଏହି ଗ୍ରୁପର ନିଆରା ପ୍ରୟାସକୁ ଦୃଷ୍ଟିରେ ରଖି ସରକାର ସିଜିଟିଏମସି ଯୋଜନା ଜରିଆରେ ବିନା ବନ୍ଧକରେ ଋଣ, ଉତ୍ପାଦ ବିକ୍ରି ପାଇଁ ଉପଯୁକ୍ତ ବଜାର ଏବଂ ପ୍ରୋତ୍ସାହନମୂଳକ ସରକାରୀ ଅନୁଦାନ ଯୋଗାଇ ଦେବା ଜରୁରୀ। ସରକାରୀ ପ୍ରୋତ୍ସାହନ ମିଳିଲେ ଏହି ମହିଳାମାନଙ୍କ ସହ ଅଂଚଳର ଅନ୍ୟ ଗ୍ରାମୀଣ ମହିଳାମାନେ ମଧ୍ୟ ଆତ୍ମନିର୍ଭରଶୀଳ ହୋଇ ଆଗକୁ ବଢ଼ିପାରିବେ। ନେହେଲେ ଏହି ସ୍ୱାବଲମ୍ବନ ଆଶା ଅଧାରେ ରହିଯିବ ବୋଲି ବୁଦ୍ଧିଜିବି ମାନେ କହିଛନ୍ତି।


Leave a Reply

Your email address will not be published. Required fields are marked *