ଅଷ୍ଠଦଶ ଲୋକ ସଭା ସହ ୪ ରାଜ୍ୟ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ ବିଧାନସଭା ଲାଗି ନିର୍ବାଚନ ଶେଷ ହୋଇ ଫଳ ପ୍ରକାଶ ପାଇଛି । କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ସରକାର ଗଠନ କରିବାକୁ ଯାଉଛି । ସେହିଭଳି ଓଡ଼ିଶାରେ ଭାଜପା, ଅରୁଣାଚଳ ପ୍ରଦେଶରେ ବିଜେପି, ସିକ୍କିମରେ ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍କେଏମ୍) ଏବଂ ଆନ୍ଧ୍ରରେ ଟିଡିପି (ତେଲୁଗ ଦେଶମ ପାଟି) ସରକାର ଗଠନ କରିବା ଲାଗି ସଂଖ୍ୟା ପାଇଯାଇଛନ୍ତି । ମାତ୍ର ଓଡିଶାରେ ୨୪ ବର୍ଷ ପରେ ବିଜେଡି ସରକାର ବଦଳରେ ଭାଜପା ସରକାର ସଂଖ୍ୟା ଗରିଷ୍ଠତା ହାସଲ କରିଛି । ହେଲେ ବିଜେଡିର ୨୪ ବର୍ଷର ଶାସନକୁ ଲୋକେ ସହଜରେ ଭୁଲିପାରୁ ନାହାଁନ୍ତି ।
ଚଳିିତ ନିର୍ବାଚନ ସମୟରେ ବିଭିନ ଆସନକ୍ଷେତ୍ରରେ ସେତେ ଉଷ୍ମତା ଦେଖା ଯାଉନଥିଲା । କେବଳ କେତେକ ସଭା ସମିତିକୁ ଛାଡ଼ିଦେଲେ ଗ୍ରାମାଂଚଳରେ ପୂର୍ବ ନିର୍ବାଚନଭଳି ଉତ୍ସାହ ଉନ୍ମାଦନା ଦେଖିବାକୁ ମିଳୁନଥିଲା । ମାଇକ୍ ପ୍ରଚାର ଓ ପ୍ରସାର ମଧ୍ୟ ସେପରି ଆଖି ଦୃଶିଆ ହୋଇନଥିବା ବେଳେ ଭୋଟରଙ୍କ ନୀରବତା ଭାଜପାକୁ ଅକୁଣ୍ଠ ସମର୍ଥନ ମିଳିଛି ବୋଲି ରାଜନୈତିକ ସମିକ୍ଷକ ମାନେ ମତ ପ୍ରକାଶ କରିଛନ୍ତି ।
ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ଜୁନ ମାସ ୪ ତାରିଖ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି । ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏକାକୀ ୭୮ ଆସନ ପାଇ ବହୁମତ ହାସଲ କରିଛି । ବିଜେଡିକୁ କେବଳ ୫୧ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବା ବେଳେ କଂଗ୍ରେସ ୧୪ଟି , ସ୍ୱାଧୀନ ୩ଟି ଏବଂ ସିପିଆଇ(ଏମ୍) ଗୋଟିଏ ଆସନ ପାଇଛନ୍ତି । ୨୦୧୯ରେ ଭାଜପା ୨୩ ଆସନ ପାଇଥିବା ବେଳେ ଚଳିତ ନିର୍ବାଚନରେ ଅଧିକ ୫୫ ଆସନ ପାଇବା ଓଡ଼ିଶାରେ ପଦ୍ମର ସୁଅ ବହିଛି ।
ସେହିଭଳି ରାଜ୍ୟର ୨୧ ଲୋକସଭା ଆସନ ମଧ୍ୟରୁ ଭାଜପା ୨୦ଟି ସଂସଦୀୟ କ୍ଷେତ୍ରରେ ବିଜୟଲାଭ କରିଥିବା ବେଳେ କଂଗ୍ରେସ ଗୋଟିଏ ସିଟ୍ ଜିତିଛି । ୨୦୧୯ ନିର୍ବାଚନରେ ଭାଜପା ୮ଟି ଆସନ ପାଇଥିବା ବେଳେ ଏଥର ଅଧିକ ୧୧ ଆସନ ଜିତିବା ଓଡ଼ିଶାର ରାଜନୈତିକ ପାଣିପାଗକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି ।