
ପଟ୍ଟାମୁଣ୍ଡାଇ, ତା ୮/୭-ଦୀର୍ଘ ୨୫ବର୍ଷ ଧରି ରାଜ୍ୟ ଶାସନ କରିବା ପରେ ଚଳିତ ନିର୍ବାଚନରେ ବିଜେଡି ପରାଜୟ ବରଣ କରିଛି । ସମ୍ପ୍ରତି ବିରୋଧୀ ଦଳ ଭୂମିକାରେ ଥିବା ବିଜେଡିର ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରିବା ପାଇଁ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାଙ୍ଗଠନିକ ସ୍ତରରେ ବ୍ୟାପକ ଅଦଳବଦଳ କରି ଜନସାଧାରଣଙ୍କ ସମସ୍ୟା ନେଇ ଜୋରଦାର ଲଢେଇ କରିବାକୁ ବିଜେଡିକୁ ଏକ ସଶକ୍ତ ବିରୋଧୀଦଳରେ ପରିଣତ କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ରାଜ୍ୟ ବିଜେଡି ସୁପ୍ରିମୋ ଶ୍ରୀପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ରାଜ୍ୟ ଯୁବବିଜେଡି ସଭାପତି ବିଧାୟକ ବ୍ୟାମୋକେଶ ରାୟ ବିଜେଡିର ଛାମୁଆ ସଂଗଠନ ଯୁବବିଜେଡିକୁ ଅଧିକ ସଶକ୍ତ ଓ କ୍ରିୟାଶୀଳ କରିବା ପାଇଁ ଯୁବବିଜେଡି ସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି । ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ପୌରାଂଚଳରେ ଯୁବବିଜେଡି ସଂଗଠନକୁ ଅଧିକ ସଶକ୍ତ ଓ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ଯୁବବିଜେଡି ସଭାପତି ବିଧାୟକ ବ୍ୟାମୋକେଶ ରାୟଙ୍କ ଅନୁମୋଦନକ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ଯୁବବିଜେଡି ସଭାପତି ରାଜେଶ ଦାସ ଦୀର୍ଘବର୍ଷ ଧରି ଯୁବଛାତ୍ର ସଂଗଠନ ଦାୟିତ୍ୱରେ ରହି ବିଭିନ୍ନ କଲେଜ ଛାତ୍ର ସଂସଦ ନିର୍ବାଚନରେ ଛାତ୍ରବିଜେଡିକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ଜିଲ୍ଲା ଯୁବବିଜେଡି ସାଧାରଣ ସମ୍ପାଦକ ତଥା ପଟ୍ଟାମୁଣ୍ଡାଇ ଅଂଚଳର ଯୁବଛାତ୍ର ସଂଗଠକ ଅଶୋକ ଧଳଙ୍କୁ ପଟ୍ଟାମୁଣ୍ଡାଇ ନଗର ଯୁବବିଜେଡି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ।

ଏଥି ପାଇଁ ଯୁବନେତା ଶ୍ରୀଧଳ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ୟ ଯୁବବିଜେଡି ସଭାପତି ବିଧାୟକ ବ୍ୟାମୋକେଶ ରାୟ, ରାଜନଗର ବିଧାୟକ ଧ୍ରୁବ ସାହୁ, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ଜିଲ୍ଲା ଯୁବବିଜେଡି ସଭାପତି ରାଜେଶ ଦାସ,ରାଜ୍ୟ ବିଜେଡି ସମ୍ପାଦକ ମିଟୁ ଦାଶ ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଆଗାମୀଦିନରେ ପଟ୍ଟାମୁଣ୍ଡାଇର ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଯୁବବିଜେଡି ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିବ ବୋଲି ନବ ନିଯୁକ୍ତ ନଗର ଯୁବ ବିଜେଡି ସଭାପତି ଅଶୋକ ଧଳ ପ୍ରକାଶ କରିଛନ୍ତି । ତାଙ୍କର ନୂତନ ନିଯୁକ୍ତି ପାଇଁ ଯୁବନେତା ଶ୍ରୀଧଳଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।











