ବିଦ୍ୟାଳୟରେ ଚେତାଶୂନ୍ୟ ହୋଇଗଲେ ଛାତ୍ରୀଛାତ୍ର



କେନ୍ଦ୍ରାପଡ଼ା,୧୧ା୭ : କେନ୍ଦ୍ରାପଡା ସହର ନିକଟ ଭ୍ରମରଦିଆପାଟଣାର ଉଦୟନଗର ଗାଁରେ ଥିବା ଟାଇମସ୍ ଗୁରୁକୂଳ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଦ୍ୟାର୍ଥୀ ମାନେ କ୍ଲାସ କରୁଥିବା ସମୟରେ ଅସହ୍ୟ ଗୁଳୁଗୁଳି ଓ ବିଦ୍ୟୁତ ବିଭ୍ରାଟ ଯୋଗୁ  ୧୨ ଛାତ୍ରୀଛାତ୍ର ସଂଜ୍ଞାହୀନ ହୋଇ ପଡିଛନ୍ତି ।  ବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ କେନ୍ଦ୍ରାପଡା ଜିଲା ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଦ୍ୟାଳୟରେ ପଙ୍ଖା ଚାଲୁ ନରହିବା ରୁ ଭେଂଟିଲେସନ ଅଭାବରୁ ଏପରି ହୋଇଥିବା କୁହାଯାଉଛି ।


ଘଟଣାରୁ ପ୍ରକାଶ ଯେ ଦୁଇ ଦିନ ହେବ ସଂପୃକ୍ତ ବିଦ୍ୟାଳୟରେ ବିଦ୍ୟୁତ ବିଭ୍ରାଟ ଦେଖା ଦେଇଥିଲା । ସେଠାରେ ଥିବା ଇନଭୋଟରର ବ୍ୟାଟେରୀ ସରିଯାଇଥିଲା । ଫଳରେ ବିଦ୍ୟାଳୟର ପଙ୍ଖା ଚାଲୁ ନଥିଲା । ଏହାସତ୍ୱେ ବିଦ୍ୟାଳୟ କର୍ତୃପକ୍ଷ ଛାତ୍ରୀଛାତ୍ରମାନଙ୍କୁ ବିନା ପଙ୍ଖାରେ ଶ୍ରେଣୀ ଗୃହରେ ବସାଉଥିଲେ । ଏ ନେଇ ପିଲାମାନେ ବିଦ୍ୟାଳୟ କର୍ତୃପକ୍ଷଙ୍କୁ ବୁଧବାର ଠାରୁ ଜଣାଇଥିଲେ । ହେଲେ ବିଦ୍ୟାଳୟ କର୍ତୃପକ୍ଷ ଏହାକୁ ହାଲୁକା ଭାବେ ଗ୍ରହଣ କରିଥିଲେ । ଭେଂଟିଲେସନ ଭଲ ହେଉ ନଥିବାରୁ ଗୁରୁବାର ମଧ୍ୟାହ୍ନ ୧୨ଟାରେ ଜଣେ ପରେ ଜଣେ ଏହିପରି ୧୨ ଜଣ ଛାତ୍ରଛାତ୍ରୀ ଚେତାଶୂନ୍ୟ ହୋଇ ପଡିଥିଲେ । ଅନ୍ୟ ଛାତ୍ରୀଛତ୍ରମାନେ ଏ ନେଇ ବିଦ୍ୟାଳୟ କର୍ତୃପକ୍ଷଙ୍କୁ ଜଣାଇଥିଲେ । ଫଳରେ ବିଦ୍ୟାଳୟ କର୍ତୃପକ୍ଷ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତି କରିଥିଲେ । ଅସୁସ୍ଥ ଥିବା ଛାତ୍ରୀଛାତ୍ରମାନେ ହେଲେ ରିତେଶ ପୃଷ୍ଟି, ପ୍ରୀତିଛନ୍ଦା ନାୟକ, ବଦ୍ରିନାଥ ବେହେରା, ଅଙ୍କିତା ପ୍ରିୟଦର୍ଶିନୀ ସାହୁ, ଆୟୁଷା ମଲ୍ଲିକ, ଦିବ୍ୟ ରଞ୍ଜନ ମହାପାତ୍ର, ସମ୍ପର୍କ ପାତ୍ର ପ୍ରମୁଖ ୧୨ ଛାତ୍ରୀଛାତ୍ର । ସେମାନଙ୍କ ମଧ୍ୟରୁ ୪ଜଣ ଗୁରୁତର ହେବାରୁ ଚିକିତ୍ସାଳୟରେ ଆଡମିଶନ କରାଯାଇଛି । ଏହି ଘଟଣାକୁ ନେଇ ଅଭିଭାବକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ଖବର ନେବାରୁ ଜଣାପଡିଛି ଗତ ଡାକ୍ତରଖାନାରେ ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କୁ ଶିଶୁ ରୋଗ ବିଶେଷଜ୍ଞ ଡା. କିଶୋର ଚନ୍ଦ୍ର ମିଶ୍ର ଚିକିତ୍ସା କରିଥିଲେ । ତାଙ୍କ ସହ ଡାକ୍ତରଖାନାର ଜିଲା ମେଡିକାଲ ଅଫିସର ପ୍ରମୋଦ କୁମାର ପ୍ରହରାଜ ଉପସ୍ଥିତ ଥିଲେ । ଏହି ଘଟଣାକୁ ନେଇ ବିଦ୍ୟୁତ ବିଭାଗର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାସହ ସଂପୃକ୍ତ ଶିକ୍ଷାନୁଷ୍ଠାନ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


Discover more from

Subscribe now to keep reading and get access to the full archive.

Continue reading