କଲେଜରୁ ଏସି ଚୋରି ଘଟଣା , ପୁରାତନ ଛାତ୍ରମାନଙ୍କ ଧାରଣା , ପ୍ରତିଶୃତି ପରେ ସ୍ଥଗିତ


କେନ୍ଦ୍ରାପଡ଼ା, ୧୨ା୭: କେନ୍ଦ୍ରାପଡା ମହାବିଦ୍ୟାଳୟରୁ ଏସି ଚୋରି ଘଟଣାର ମାଷ୍ଟରମାଇଣ୍ଡ ଗିରଫ ଓ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା କରାଯିବା ଦାବିରେ ଟାଉନ ଥାନା ସମ୍ମୁଖରେ ବିଗତ ୫ଦିନ ଧରି ଧାରଣାରତ ମହାବିଦ୍ୟାଳୟର ପୁରାତନ ଛାତ୍ରମାନେ ଆଜି ଅପରାହ୍ନରେ ଦାବି ପୁରଣର ପ୍ରତିଶୃତି ପାଇବା ପରେ ଧାରଣାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯିବା ଘୋଷଣା କରିଛନ୍ତି । ଆଜି ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦେଶରେ ପୋଲିସ ମୁଖ୍ୟାଳୟର ଡିଏସପି ସରିତା ମହାପାତ୍ର ଧାରଣାସ୍ଥଳରେ ପହଞ୍ଚି ଧାରଣାକାରୀ ପୁରାତନ ଛାତ୍ର ଚିତ୍ତରଞ୍ଜନ ଦାସ, ଭାଗିରଥୀ ଜେନା, ଗୟାଧର ଧଳ, ମୀର ମୁର୍ଶିଦ୍ଦ ପ୍ରମୁଖଙ୍କ ସହ ଆଲୋଚନା କରିବା ପରେ ଦାବି ସମ୍ପର୍କରେ ଆରକ୍ଷୀ ଅଧିକ୍ଷକଙ୍କ ସହ କଥା ହୋଇଥିଲେ । ଏହି ଘଟଣାର ତଦନ୍ତ ପୋଲିସ ମୁଖ୍ୟାଳୟରେ ଥିବା ଜଣେ ଇନିସପେକ୍ଟର ପାହ୍ୟାର ଅଧିକାରୀଙ୍କ ଦ୍ୱାରା କରାଯିବା, ପୁରାତନ ଛାତ୍ରମାନେ ଥାନାଧିକାରୀଙ୍କୁ ପ୍ରଦାନ କରିଥିବା ଲିଖିତ ଅଭିଯୋଗର ତଦନ୍ତ କରାଯିବା ସହିତ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବିପତ୍ରକୁ ରାଜ୍ୟ ପୋଲିସ ମୁଖ୍ୟଙ୍କୁ ପଠାଯିବ ବୋଲି ଡିଏସପି ଶ୍ରୀମତୀ ମହାପାତ୍ର ଏସପିଙ୍କ ପକ୍ଷରୁ ଧାରଣାକାରୀଙ୍କୁ ପ୍ରତିଶୃତି ଦେବାପରେ ଧାରଣାକୁ ସ୍ଥଗିତ ରଖାଯାଇଥିଲା । ଆଜିର ଧାରଣାରେ ପୁରାତନ ଛାତ୍ର ଚିତ୍ତରଞ୍ଜନ ଦାସ, ଆଦିକନ୍ଦ ରାଉଳ, ରମଣୀରଞ୍ଜନ ରାଉତରାୟ, ଭାଗିରଥୀ ଜେନା, ନିରଞ୍ଜନ ପରିଡା, ମୀର ମୁର୍ଶିଦ୍ଦ, ବିକାଶ ଚନ୍ଦ୍ର ବେଉରା, ଗୟାଧର ଧଳ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading