
ପଟ୍ଟାମୁଣ୍ଡାଇ ୧୮/୯ ପଟ୍ଟାମୁଣ୍ଡାଇ ପଂଚାୟତ ସମିତିର ୩ୟ ଅଧିବେଶନ ବ୍ଲକ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପୌରହିତ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଣ,ପରିମଳ ଓ ମହିଳା ଶିଶୁ ବିକାଶ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର କରି ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେବା ସହ କେନ୍ଦ୍ର ସରକାର ପଟ୍ଟାମୁଣ୍ଡାଇ ବ୍ଲକର ୮ଟି ଗାଁକୁ ଇକୋ ସେନସିଟିଭ ଜୋନରେ ସାମିଲ କରିଥିବା ସୂଚନା ଦେଇ ପଂଚାୟତ ପ୍ରତିନିଧିଙ୍କ ମତ ଅନୁଯାୟୀ ଅଂଚଳବାସୀ ସଠିକ ଫୋରମରେ ଏହାର ପ୍ରତିବାଦ କରିବାକୁ ଆହ୍ୱାନ ଦେଇଥିଲେ ।

କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ବିଭିନ୍ନ କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ନିଜର ଦକ୍ଷତା ପ୍ରଦର୍ଶନ କରିଛି । ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ଉପରେ ଗୁରୁତ୍ୱାରୋପ କରି ପାନୀୟଜଳ, ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଆଦି କ୍ଷେତ୍ରରେ ରହିଥିବା ସମସ୍ୟା ଦୂର ଦିଗରେ ସରକାରୀ ଅଧିକାରୀମାନେ ନିଷ୍ଠାର କାର୍ଯ୍ୟ କରିବାକୁ ପରାମର୍ଶ ଦେଇ ଏ ଦିଗରେ ସରକାରୀ ସ୍ତରରେ ସମସ୍ତ ସହଯୋଗ ଯୋଗାଇବାକୁ ପ୍ରତିଶୃତି ଦେଇଥିଲେ ।

କେନ୍ଦ୍ରାପଡ଼ା ସାଂସଦ ପ୍ରତିନିଧି ଶଶିକାନ୍ତ ସ୍ୱାଇଁ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ଅନୁପସ୍ଥିତି ଥିବା ନେଇ ବିରକ୍ତି ପ୍ରକାଶ କରିବା ସହିତ ଉନ୍ନତ ମାନର ଛତୁଆ ଯୋଗାଣ, ସ୍ୱଚ୍ଛ ଭାରତ ଅଭିଯାନରେ ଅନିୟମିତତାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ବିଭିନ୍ନ ପଂଚାୟତରେ ପ୍ରକୃତ ହିତାଧିକାରୀ ମାନଙ୍କୁ ଖାଦ୍ୟ ଶୁରକ୍ଷା ଯୋଜନାରେ ସାମିଲ କରିବା ସହ ଶିକ୍ଷକ ଓ ଡାକ୍ତର ନିଯୁକ୍ତି ଓ ପାନୀୟ ଜଳ ସମସ୍ୟା ଦୂର ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରକାଶ କରିଥିଲେ । ପଂଚାୟତ ବୈଠକରେ ପାନୀୟଜଳ, ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଣ ଓ ମହିଳା ଶିଶୁ ବିକାଶ ଉପରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା । ସାନଜରିଆ ସରପଂଚ ନିରାକାର ନାୟକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ବେଳେ କ୍ଷତିଗସ୍ତ ରାସ୍ତା ମରାମତି ଓ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରିବାକୁ ଦାବୀ କରିଥିଲେ । ସିଂହ ଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀ ନେଇ ପଂଚାୟତ ସମିତି ରିଜୋଲେସନ କରିବାକୁ ଅନୁରୋଧ କରିବା ସହିତ ସିଂହ ଗାଁ ପଂଚାୟତର ବିଭିନ୍ନ ସମସ୍ୟା ଉଠାଇ ଥିଲେ । ବଡ଼ମୂଳବସନ୍ତ ସରପଂଚ ସନ୍ତୋଷ ସେଠୀ ନପଙ୍ଗ ପାନୀୟଜଳ ସମସ୍ୟା, ଉପଯୁକ୍ତ ହିତାଧିକାରୀଙ୍କୁ ରାସନକାର୍ଡ ଓ ପଂଚାୟତରେ ୨ଟି ଡିଲର ନିଯୁକ୍ତି ଦାବୀ କରିଥିଲେ । ଶାସନ ସରପଂଚ ସଂଗ୍ରାମ ବାରିକ ମାଳିପୁର ଗ୍ରାମକୁ ପାନୀୟ ଜଳ ଯୋଗାଇବା ଓ ଶିକ୍ଷକ ଡ଼େପୁଟେସନ ବନ୍ଦ କରିବାକୁ ଦାବୀ କରିଥିଲେ । ବିଲିକଣା ସରପଂଚ ଲଷ୍ମୀପ୍ରିୟା ଷଢଙ୍ଗୀ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣରେ ଅନିୟମିତତାର ତଦନ୍ତ ପାଇଁ ଦାବୀ କରିଥିଲେ । ଗଙ୍ଗାରାମପୁର ସଭ୍ୟ ବିଶ୍ୱରଂଜନ ଭୂୟାଁ ଡିଲରମାନେ ଖାଉଟିଙ୍କୁ କୁପନ ପ୍ରଦାନ କରିବାକୁ ଦାବୀ କରିଥିଲେ । ନରସିଂହପୁର ସରପଂଚ ଦୀପ୍ତିମୟୀ ପରିଡା ପାନୀୟଜଳ ସମସ୍ୟା ଓ ଶିକ୍ଷକ ନିଯୁକ୍ତି ପାଇଁ ଦାବୀ କରିଥିଲେ । ଦିହୁଡିପୁର ସରପଂଚ ନରେଶ ମଲିକ ଗରିବ ଲୋକଙ୍କୁ ଅନ୍ତୋଦୟ ଯୋଜନାରେ ସାମିଲ କରିବାକୁ ଦାବୀ କରିଥିଲେ । ଚନ୍ଦନନଗର ସମିତି ସଭ୍ୟ ମାନସ ମଲିକ ଅଧଯୋଡି ଗ୍ରାମର ପାନୀୟଜଳ ସମସ୍ୟା ଦୂର କରିବା ସହ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ ତ୍ୱରାନ୍ୱିତ କରିବାକୁ ଦାବୀ କରିଥିଲେ । ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ମଞ୍ଜୁରୀ ପାଇଥିବା ୫୮ ଡାକ୍ତର ପଦବୀ ମଧ୍ୟରୁ ୯ ଜଣ ଡାକ୍ତର ନିଯୁକ୍ତି ଦିଆଯାଇଥିବାରୁ ଉପସ୍ଥିତ ସମସ୍ତ ସରପଂଚ ଓ ସମିତିସଭ୍ୟ ଉଦବେଗ ପ୍ରକାଶ କରି ସବଡ଼ିଭିଜନ ହସ୍ପିଟାଲ ସମେତ ସମସ୍ତ ଗ୍ରାମାଂଚଳ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ନିଯୁକ୍ତି କରିବାକୁ ଦାବୀ କରିଥିଲେ । ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ ବିଗତ ବୈଠକ ବିବରଣୀ ପାଠ କରିବା ସହିତ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ବୈଠକରେ ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ, ବ୍ଲକ ସହନିର୍ବାହୀ ଯନ୍ତ୍ରୀ ଇଂ ଜଳଧର ବେହେରା, ସବଡିଭିଜନ ହସ୍ପିଟାଲ ମୁଖ୍ୟଚିକିତ୍ସାଧିକାରୀ ଡା ନିରାକାର ପରିଡା, ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ, ଜିଲ୍ଲାପରିଷଦ ସଦସ୍ୟା ଜ୍ୟୋତିର୍ମୟୀ ବେହେରା ଓ ପ୍ରିୟଦର୍ଶନୀ ତରାଇ, ସାମସ୍ତ ସରପଂଚ ସମିତି ସଭ୍ୟାସଭ୍ୟ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।










