
କେନ୍ଦ୍ରାପଡା, ୨୪/୭: କେନ୍ଦ୍ରାପଡ଼ା ସହର ଉପକଣ୍ଠ ଆଳିଜଙ୍ଗା ଗ୍ରାମର କିଡ଼ନୀ ବ୍ୟାଧିଗ୍ରସ୍ତ କବି ମନୋଜ ଦାସଙ୍କୁ ସହାୟତାର ହାତ ବଢ଼ାଇଛି କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜେର୍ସ(କେମ) ସଂଗଠନ । କାବ୍ୟ ସାହିତ୍ୟରେ ବିଭିନ୍ନ ଅନୁଷ୍ଠାନରୁ ପୁରସ୍କୃତ ଶ୍ରୀ ଦାସ ଗତ କିଛିମାସ ଧରି କିଡ଼ନୀ ରୋଗରେ ପୀଡିତ ଅଛନ୍ତି । ଶ୍ରୀ ଦାସ ତାଙ୍କ ପରିବାରର ଏକ ମାତ୍ର ରୋଜଗାରକ୍ଷମ ସଦସ୍ୟ । ବ୍ୟୟବହୁଳ ଚିକିତ୍ସାରେ ଥିବା ଖବର ପାଇ ତାଙ୍କ ବାସଭବନରେ କେମ୍ର କର୍ମକର୍ତ୍ତାମାନେ ବୁଧବାର ଭେଟି ଆଶ୍ୱାସନା ଦେବା ସହ ଅନୁଷ୍ଠାନର ଆପଦକାଳୀନ କଲ୍ୟାଣ ପାଣ୍ଠିରୁ ପଚାଶ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଉକ୍ତ ଟିମ୍ରେ କେମ୍ର ସଭାପତି ଇଂ ଅକ୍ଷୟ କୁମାର ପାଣି, ସମ୍ପାଦକ ମହମ୍ମଦ ଜାହିଦ ଖାଁଙ୍କ ସମେତ ଶିବଚରଣ ସାମଲ, ପ୍ରଦ୍ୟୁମ୍ନ ବେଉରା, ବଂଶୀଧର ମହାନ୍ତି, ଲଷ୍ମୀକାନ୍ତ ନାୟକ, ଯଯାତି କେଶରୀ ମହାନ୍ତି ପ୍ରମୁଖ ଉକ୍ତ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ଥିବା ଶ୍ରୀ ଦାସଙ୍କୁ ସମବେଦନା ଜଣାଇବା ସହ ଆଶୁଆରୋଗ୍ୟ କାମନା କରିଥିଲେ । ସୂଚନାଯୋଗ୍ୟ କବି ଶ୍ରୀ ଦାସଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଏକ ପାଥୋଲାବ ଥିବାବେଳେ ସେ ବିଭିନ୍ନ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ସହ ଜଡିତ ଅଛନ୍ତି । କେମ୍ର ମୁଖ୍ୟ ଉପଦେଷ୍ଟା ଡଃ ବିରଜା ରାଉତରାୟ, ଡଃ ବାସୁଦେବ ଦାସ, କବି ନିରାକାର ଦାସ, ନବଜ୍ୟୋତି ରାୟ, ଭବାନୀ ମହାପାତ୍ର, ମାତୃଦତ୍ତ ମହାନ୍ତି, ନୃସିଂହ ତ୍ରିପାଠୀ ପ୍ରମୁଖ ଶ୍ରୀ ଦାସଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି ।











