ଭିଜିଲାନ୍ସ ମାମଲା ଥାଇ ଶିକ୍ଷକ ପାଇଛନ୍ତି ପଦୋନ୍ନତି, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଶିକ୍ଷାବିତ୍


କେନ୍ଦ୍ରାପଡ଼ା,୨୮ା୭: ଭିଜିଲାନ୍ସ ମାମଲାକୁ ଚପାଇ ଦେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ପୂର୍ବରୁ କାର୍ଯ୍ୟ କରୁଥିବା ଜନୈକ ଶିକ୍ଷକ ଗୋଟିଏ ପରେ ଗୋଟିଏ ପଦୋନ୍ନତି ନେଇ ଏବେ ବ୍ଲକ ଶିକ୍ଷାଧିକାରୀ ହୋଇଛନ୍ତି । ଏ ନେଇ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଜଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଶିକ୍ଷକ ଜଣକ ପୂର୍ବରୁ କେନ୍ଦ୍ରାପଡ଼ା ବ୍ଲକ ଅଧିନ ନାନକାରସ୍ଥିତ ଗୋବର୍ଦ୍ଧନ ବିଦ୍ୟାପୀଠରୁ ପ୍ରାଥମିକ ଶିକ୍ଷକ ଭାବେ ଚାକିରି ଆରମ୍ଭ କରିଥିଲେ । ଏହାପରେ ସେ ପଦୋନ୍ନତି ପାଇ ସ୍କୁଲ ସବ୍‌ଇନ୍ସପେକ୍ଟର ହେଲେ । ଏହି ସମୟରେ ତାଙ୍କୁ ବିଦ୍ୟାଳୟର ଦାୟିତ୍ୱ ସହ ଇନ୍ଦିରା ଆବାସ ବଣ୍ଟନ ଦାୟିତ୍ୱ ଦିଆଯାଇଥିଲା । ଫଳରେ ସେ ଇନ୍ଦିରା ଆବାସ ବଣ୍ଟନରେ ବ୍ୟାପକ ହେରଫେର କରିବାରୁ ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଥିଲା । ଏ ସଂପର୍କରେ ତତ୍‌କାଳୀନ ଆରକ୍ଷୀ ଅଧୀକ୍ଷକ ଭିଜିଲାନ୍ସ କଟକ ପତ୍ର ସଂଖ୍ୟା ୧୭୭୦/୨୨.୦୨.୨୦୧୩ରେ ପଞ୍ଚାୟତରାଜ ବିଭାଗକୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ତତ୍‌କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କେନ୍ଦ୍ରାପଡ଼ା ଶିକ୍ଷା ପରିଦର୍ଶକ(ଡିଆଇ)ଙ୍କୁ ପତ୍ରସଂଖ୍ୟା ୧୦୭୬/୦୫.୦୮.୨୦୧୩ ରେ ତୁରନ୍ତ ପଦକ୍ଷେପ ନେଇ ବିଭାଗକୁ ଜଣାଇବାକୁ ନିର୍ଦେଶ ଦେଇଥିଲେ । ପୁନର୍ବାର ଶିକ୍ଷା ନିର୍ଦ୍ଦେଶକ ପତ୍ର ସଂଖ୍ୟା ୪୪୮୪/୨୭.୦୯.୨୦୧୩ ଜିଲ୍ଲା ଶିକ୍ଷାଧିକାରୀ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କୁ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ । କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ପୁନଶ୍ଚ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ପତ୍ର ସଂଖ୍ୟା ୨୪୩୩/୧୮.୦୨.୨୦୧୫ ଜିଲ୍ଲା ଶିକ୍ଷାଧିକାରୀ ଓ ଡେରାବିଶ ମଣ୍ଡଳ ଶିକ୍ଷାଧିକାରୀଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତତ୍‌କାଳୀନ ମଣ୍ଡଳ ଶିକ୍ଷାଧିକାରିଣୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ । ଯାହା ଫଳରେ ଭିଜିଲାନ୍ସରେ ମାମଲା ଥାଇ ମଧ୍ୟ ସେ ଲେବୁଲ-୩ ପ୍ରଧାନ ଶିକ୍ଷକରୁ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀକୁ ପଦୋନ୍ନତି ପାଇଥିଲେ । ଇନ୍ଦିରା ଆବାସ ବଣ୍ଟନରେ ବିଭିନ୍ନ ପ୍ରକାରର ଦୁର୍ନୀତିରେ ସଂପୃକ୍ତ ରହିବାରୁ ତାଙ୍କୁ ନିଲମ୍ବନ କରାଯାଇଥିଲା । ଏହାସହ ତାଙ୍କ ସର୍ଭିର୍ସ ବୁକରେ ଦାଗ ମଧ୍ୟ ବସିଥିଲା । ହେଲେ ସେ ସବୁକୁ ଚପାଇ ଦେଇ ସେ ପଦୋନ୍ନତି ପାଇଛନ୍ତି । ତତ୍‌କାଳୀନ ଡେରାବିଶ ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ହାତବାରିଶି କରି ଏହି ପଦୋନ୍ନତି ସେ ପାଇଥିଲେ । ନିର୍ଦ୍ଦେଶାଳୟର ପତ୍ରସଂଖ୍ୟା ୧୯୧୩୨/୨୨.୦୮.୨୦୨୩ ରୁ ସ୍ପଷ୍ଟ ଅନୁମେୟ ଯେ ତାଙ୍କ ଚାକିରିରେ ପ୍ରବେଶ ସନ୍ଦେହ ଘେରରେ ରହିଛି । ତାଙ୍କର ନିଲମ୍ବନ ପରେ କାର୍ଯ୍ୟରେ ଯୋଗଦାନ କରିଥିବା, ସେବା ପୁସ୍ତକରେ ଜାଲିଆତି କରିବା, ଚାକିରି ଆରମ୍ଭ କରିଥିବା ବିଦ୍ୟାଳୟର ସରକାରୀ କରଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁନଶ୍ଚ ଶିକ୍ଷା ନିର୍ଦ୍ଦେଶାଳୟର ପତ୍ରସଂଖ୍ୟା ୫୩୮୮/୨୪.୦୪.୨୦୨୩ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ପତ୍ରାଙ୍କ ୧୮୮୩/୨୧.୦୨.୨୦୨୪ରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ସେ ସମସ୍ତ ସରକାରୀ ନୀତି ନିୟମକୁ ଜଳାଞ୍ଜଳୀ ଦେଇ ମନ୍ଦ ଉଦ୍ଦେଶ୍ୟରେ ନିଜର ସେବା ପୁସ୍ତକକୁ ଗତ ୨୨.୦୮.୨୦୨୩ରେ ଶିକ୍ଷା ନିର୍ଦ୍ଦେଶାଳାୟରୁ ନିଜ ହାତରେ ଆଣି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଅଦ୍ୟାବଧି ଦାଖଲ କରି ନାହାଁନ୍ତି । ତେଣୁ ସେଥିରେ ମନ୍ଦ ଉଦ୍ଦେଶ୍ୟ ରଖି ଜାଲିଆତି କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାର ତଦନ୍ତ କରାଗଲେ ବହୁ ଦୁର୍ନୀତି ସାମ୍ନାକୁ ଆସିବ ବୋଲି ଡେରାବିଶ ବ୍ଲକ ଅଧିନ ଚାନ୍ଦୋଳ ଡାଳିଜି ଅଞ୍ଚଳର ଶିକ୍ଷାବିତ୍ ଅକ୍ଷୟ କୁମାର ବେହେରା କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ସେ ଚାକିରୀ ଆରମ୍ଭ କରିଥିବା ଗୋବର୍ଦ୍ଧନ ବିଦ୍ୟାପୀଠ ନାନକାରର ଗଠନ, ସ୍ୱୀକୃତି, ଅନୁଦାନ ଓ ସରକାରୀକରଣ ହେବା ସନ୍ଦେହ ଘେରରେ ରହିଥିବା ସମ୍ପର୍କରେ ମଧ୍ୟ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading