ଓଡିଶା ଜୀବିକା ମିଶନରେ ଦୁର୍ନୀତି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓସାର ଧାରଣା



କେନ୍ଦ୍ରାପଡ଼ା, ୨୯ା୭: କେନ୍ଦ୍ରାପଡା ଜିଲ୍ଲା ଜୀବିକା ମିଶନ ଓ ମିଶନଶକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ସେହି ଦୁର୍ନୀତିର ତଦନ୍ତ କରାଯିବା ଦାବିରେ ସୋମବାର ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ବିଭିନ୍ନ ଯୋଜନାରେ ଆଖିବୁଝା ଲୁଟ୍‌ରେ ସାମିଲ ଥିବା ଜିଲ୍ଲା ପ୍ରକଳ୍‌ପ ସଂଯୋଜକ ତଥା ଜିଲ୍ଲା ପ୍ରକଳ୍ପ ପରିଚାଳକ କୈଳାସ ଚନ୍ଦ୍ର ସେନାପତିଙ୍କୁ ବହିଷ୍କାର କରିବା ଓ ମିଥ୍ୟା ତଥ୍ୟ ପ୍ରଦାନ ପାଇଁ ମାମଲା ରୁଜୁ କରିବା, ୨୦୧୮ରୁ ବର୍ତ୍ତମାନ ସୁଦ୍ଧା ମିଶନଶକ୍ତି ଓ ଓଡିଶା ଜୀବିକା ମିଶନକୁ ମିଳିଥିବା ପାଣ୍ଠିର ଖର୍ଚ୍ଚ ଉପରେ ସ୍ୱତନ୍ତ୍ର ଅଡିଟ୍ କରାଯିବା, ଜିଲ୍ଲାପାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନରେ ପଡି ରହିଥିବା ମିଶନଶକ୍ତି ଓ ଓଡିଶା ଜୀବିକା ମିଶନ ସମ୍ପର୍କିତ ଆବେଦନ ଗୁଡିକର ସମସ୍ତ ତଥ୍ୟ ପ୍ରଦାନ କରାଯିବା,ଦୁର୍ନୀତିରେ ସହଯୋଗୀ ସାଜିଥିବା ତଥା ତଥ୍ୟ ଲୁଚାଉଥିବା ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ପରିଷଦର ପୂର୍ବତନ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରାଯିବା, ମିଶନଶକ୍ତି ଓ ଓଡିଶା ଜୀବିକା ମିଶନ କାର୍ଯ୍ୟାଳୟରେ ବ୍ୟବହୃତ ହେଉଥିବା ଭଡାଗାଡି ଗୁଡିକର ସମସ୍ତ ପ୍ରକ୍ରୀୟା ଓ ଖର୍ଚ୍ଚର ଯାଞ୍ଚ କରାଯିବା, ଦୁଇବର୍ଷରୁ ଉର୍ଦ୍ଧ୍ୱ ରହିଥିବା ବ୍ଲକ ମହିଳା ମହାସଙ୍ଘ ଓ ଜିଲ୍ଲା ମହିଳା ମହାସଙ୍ଘର ନେତୃମଣ୍ଡଳୀ(ସଭାନେତ୍ରୀ, ସମ୍ପାଦିକା ଓ କୋଷାଧ୍ୟକ୍ଷ)ଙ୍କୁ ଆଇନ ଅନୁଯାୟି ବହିଷ୍କାର କରାଯାଇ ନୂତନ ନେତୃମଣ୍ଡଳୀ ଚୟନ କରାଯିବା, ଜିଲ୍ଲା ମହିଳା ମହାସଙ୍ଘ ଓ ବ୍ଲକ ମହିଳା ମହାସଙ୍ଘ ପ୍ରାପ୍ତ କରିଥିବା ସମସ୍ତ ସରକାରୀ ପାଣ୍ଠିର ସ୍ୱତନ୍ତ୍ର ଅଡିଟ କରାଯିବା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଶନଶକ୍ତି ଅଧିନରେ କାର୍ଯ୍ୟକାରୀ ହେଉଥିବା ମିଶନଶକ୍ତି କାଫେରେ ଯେଉଁ ସ୍ୱୟଂ ସହାୟିକା ଗୋଷ୍ଠି ନିୟୋଜିତ ହୋଇଛନ୍ତି ସେହି ନିୟୋଜନ ପ୍ରକ୍ରୀୟାର ଯାଞ୍ଚକରାଯିବା ପ୍ରଭୃତି ଦାବି ନେଇ ଓସାର ଜିଲ୍ଲା ଆବାହକ ପ୍ରତାପ ମହାନ୍ତିଙ୍କ ନେତୃତ୍ୱରେ ଏହି ଧାରଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପୂର୍ବରୁ ଏହି ଦୁର୍ନୀତି ସଂକ୍ରାନ୍ତରେ ସୂଚନା ଅଧିକାର ଆଇନରେ ତଥ୍ୟ ମଗାଯାଇଥିବା ବେଳେ ସେହି ତଥ୍ୟ ପ୍ରଦାନ କରାଯାଇନଥିଲା । ସେଥିରୁ ଜଣାପଡିଥିଲା ଯେ ବିଭାଗ ଦୁର୍ନୀତିରେ ବୁଡି ରହିଛି । କୈଳାସ ସେନାପତି ନିଜ ଦୁର୍ନୀତିକୁ ଘଣ୍ଟ ଘୋଡାଇବାକୁ ଏବେ କେତେକ ମହିଳା ସଂଗଠନର ସାହାଯ୍ୟ ନେଇଥିବା କହିଛନ୍ତି ଓସାର ଆବାହକ ଶ୍ରୀ ମହାନ୍ତିି । ଯେଉଁ ମହିଳାମାନେ ଗତ ଶୁକ୍ରବାର ଶ୍ରୀ ସେନାପତିଙ୍କୁ ସୁରକ୍ଷା ଦେବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ସେମାନଙ୍କୁ ଏଥିରେ ପରୋକ୍ଷରେ ଶ୍ରୀ ସେନାପତି ପ୍ରରୋଚିତ କରିଥିବା କହିଛନ୍ତି ଶ୍ରୀ ମହାନ୍ତି । ଏହି ସମସ୍ତ ଦୁର୍ନୀତିର ତଦନ୍ତ ଦାବିରେ ଓସା ପକ୍ଷରୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଆଜି ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିବା ଶ୍ରୀ ମହାନ୍ତି କହିଛନ୍ତି । ଏହି ଧାରଣା କାର୍ଯ୍ୟକ୍ରମରେ ଆଇନଜୀବୀ ପ୍ରଦୀପ କୁମାର ଦାଶ, ସାଗର କୁମାର ଜେନା, ନିରଞ୍ଜନ ପରିଡା, ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ, ହରେକୃଷ୍ଣ ପାତ୍ର, ଅମରବର ବିଶ୍ୱାଳ, ସୁମନ୍ତ ସେଠୀ, ମାନସ ଆଚାର୍ଯ୍ୟ, ଜୟଦେବ ସିଂ, ହେମନ୍ତ ପତି, ରତିପ୍ରିୟ ନାୟକ, ସନ୍ତୋଷ କୁମାର ବେହେରା, ପ୍ରଦ୍ୟୁମ୍ନ ସ୍ୱାଇଁ, ତ୍ରିଲୋଚନ ମଲିକ, ବସନ୍ତ କୁମାର ପରିଡା, ବିମଲ ରଞ୍ଜନ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading