ଭିତରକନିକା ସଂରକ୍ଷଣ ପ୍ରଶିକ୍ଷଣ ଶିବିର


କେନ୍ଦ୍ରାପଡା ଜିଲା ରାଜନଗର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଦିନିକିଆ ଭିତରକନିକା ସଂରକ୍ଷଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଚିଲିକା ଉନ୍ନୟନ କର୍ତୁପକ୍ଷଙ୍କ ଆନୁକୂଲ୍ୟରେ ଓ ଜିଆଇଜେଡ ସହାୟତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ ବନଖଣ୍ଡ ଅଧିକାରୀ ସୁଦର୍ଶନଗୋପୀନାଥ ଯାଦବ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ଯାଦବ ଭିତରକନିକା ଜାତୀୟ ଉଦ୍ୟାନ, ଭିତରକନିକା ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ କିପରି ପରିଚାଳନା କରାଯାଉଛି, ଏହାର ସଂରକ୍ଷଣ ପାଇଁ କି କି ପଦକ୍ଷେପ ଗ୍ରହଣ କରାଯାଉଛି, ବିଶେଷକରି ଲୁଣାଜଙ୍ଗଲ ବୃଦ୍ଧିରେ ଆଦ୍ରଭୂମିର ସଂରକ୍ଷଣ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । କନିକା ଜମିଦାରରୁ ଏଯାବତ୍ ଭିତରକନିକା ଅଭୟାରଣ୍ୟ ଓ ପରେ ଜାତୀୟ ଉଦ୍ୟାନ ଏବଂ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ପକ୍ଷୀ ଓ ପ୍ରାଣୀ ସମୂହ ଉପରେ ଆଲୋକପାତ କରିଥିଲେ । ବିଶେଷକରି କୁମ୍ଭୀର ମଣିଷ ସଂଘର୍ଷ ମଧ୍ୟରେ ପ୍ରଶାସନ କିପରି ସଚେତନତା କାର୍ଯ୍ୟକ୍ରମ ନିଆଯାଇଛି, ସେ ନେଇ ଅବଗତ କରାଇଥିଲେ । ସହକାରୀ ବନସଂରକ୍ଷକ ଗଗନବିହାରୀ ମଲ୍ଲିକ ଭିତରକନିକା ଉପରେ କରାଯାଇଥିବା ଭିଡିଓ ପ୍ରଦର୍ଶନ କରିଥିଲେ । ଚିଲିକା ଉନ୍ନୟନ କର୍ତୁପକ୍ଷଙ୍କ ପକ୍ଷରୁ ବରିଷ୍ଠ ବୈଜ୍ଞାନିକ ରବିନ୍ଦ୍ରନାଥ ସାମଲ, ପଲ୍ଲୀଶ୍ରୀ ଅନୁଷ୍ଠାନର ସଂପାଦକ ଦୂର୍ଗାପ୍ରସାଦ ଦାସ, ଅବସରପ୍ରାପ୍ତ ଅଧ୍ୟାପକ ଡଃ ବିଶ୍ୱଜିତ ମହାପାତ୍ର, ଚିଲିକା ଉନ୍ନୟନ ର୍କୁପକ୍ଷଙ୍କ ଅନ୍ୟତମ ଗବେଷକ ଡଃ ସାଇରାମ ପଣ୍ଡା ଯୋଗ ଦେଇ ଆଦ୍ରଭୂମି ସଂରକ୍ଷଣରେ ସ୍ଥାନୀୟ ଲୋକଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିବା ଶିବିରାର୍ଥୀମାନଙ୍କୁ ଚାରି ଭାଗରେ ବିଭକ୍ତ କରାଯାଇ ଲୁଣା ଜଙ୍ଗଲ ସଂରକ୍ଷଣ ଓ ବୃଦ୍ଧି, ବନ୍ୟଜୀବ ସଂରକ୍ଷଣ ଓ ବୃଦ୍ଧି, ସାମୁଦ୍ରିକ ଜୀବ ଓ ମତ୍ସ୍ୟ ସଂରକ୍ଷଣ, ବିଭିନ୍ନ ପ୍ରଜାତିର ପକ୍ଷୀ ଓ ସରୀସୃପଙ୍କ ସଂରକ୍ଷଣ ଓ ସଚେତନତା ବୃଦ୍ଧି ପାଇଁ ମତାମତ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱେଛାସେବୀ ସଙ୍ଗଠନ ନେଚର୍ସ ଫ୍ରେଣ୍ଡର ବସନ୍ତକୁମାର ହାତି, ଶଶଧର ସେଠୀ, ଆପୁଆର ସତ୍ୟବ୍ରତ ପଣ୍ଡା, ବିରେନକୁମାର ଦାସ, ପିପୁଲ ଫର ଆନିମଲର ସୁଧାଶୁଂ କୁମାର ପରିଡା, ସରଂପଚ ଶାନ୍ତିଲତା ବିଶ୍ୱାଳ, ପରିବେଶବିତ୍ ଜଗନ୍ନାଥ ଦାସ, ମହେଶ୍ୱର ବେହେରା, ନିର୍ମଳକୁମାର ସ୍ୱାଇଁ, ନିରଂଜନ ରାଉତ, କୁମୁଦିନୀ ରାଉତରାୟ, ଛବିଲତା ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading