
କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ବିରୁପା ନଦୀର ଇନ୍ଦୁପୁର ଘାଟରେ ଜଣେ ଯୁବକକୁ ମାଡ ମାରି ର୍ଫିଙ୍ଗି ଦେଇଥିବା ନିଖୋଜ ଯୁବକଙ୍କ ମୃତଦେହ ପଟ୍ଟାମୁଣ୍ଡାଇ ଜଗନ୍ନାଥପୁର ବ୍ରାହ୍ମଣୀ ନଦୀ ଘାଟରେ ଗୁରୁବାର ଅପରାହ୍ନରେ ଉଦ୍ଧାର କରାଯାଇଛି । ଯୁବକ ଜଣଙ୍କ ହେଲେ ନିକିରାଇ ଗ୍ରାମର ମଂଟୁ ମଲ୍ଲିକ । ଚଉଦକୁଲାଟ ପୋଲିସ ଖବର ପାଇ ଅଗ୍ନିଶମ ବିଭାଗ ସାହାଯ୍ୟରେ ମୃତଦେହ ଉଦ୍ଧାର କରିଛି।
ପ୍ରକାଶ ଯେ ଗତ ବୁଧବାର ନିକିରାଇ ଗ୍ରାମର ଦିଜ ମଲ୍ଲିକଙ୍କ ପୁଅ ମଂଟୁ ମଲ୍ଲିକ (୩୬)ଙ୍କୁ କେତେଜଣ ଯୁବକ ଅପହରଣ କରି ନେଇ ତାଙ୍କୁ ମାଡ ମାରି ଇନ୍ଦୁପୁର ପାଖ ଦେଇ ଯାଇଥିବା ବିରୂପା ନଦୀକୁ ଠେଲି ଦେଇଥିଲେ ।ମଂଟୁଙ୍କ ପରିବାର ପକ୍ଷରୁ ନିକିରାଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ନିକିରାଇ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ବିରୂପା ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ ମଂଟୁଙ୍କ ପତା ମିଳିନଥିଲା। ମଂଟୁ ନଦୀରେ ନିଖୋଜ ହୋଇଯାଇଥିବାବେଳେ ସମସ୍ତ ଦୃଶ୍ୟ ନିକଟସ୍ଥ ଏକ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା। ଫୁଟେଜକୁ ଭିତିିକରି ପୋଲିସ ତଦନ୍ତ କରୁଥିବା ବେଳେ ଗୁରୁବାର ତାଙ୍କ ମରଶରିର ଉଦ୍ଧାର କରାଯାଇଛି ।











