
କେନ୍ଦ୍ରାପଡ଼ା,୧୬ା୮:କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟ କରୁଥିବା କୋଟିପତି ସହକାରୀ ଯୋଗାଣ ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଦୁର୍ନୀତି ନିବାରଣ ବିଭାଗ ହାତରେ ଧରା ପଡିଛନ୍ତି। ତାଙ୍କର କେନ୍ଦ୍ରାପଡ଼ା, କଟକ ଓ ଭୁବନେଶ୍ୱର ପ୍ରଭୃତି ୫ଟି ସ୍ଥାନରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଚଢଉ ବେଳେ ଜଣାପଡିଛି। ଏହି ଚଢାଉରୁ କଟକ ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣନଗରରେ ଥିବା ଏକ ମହଲା ବିଶିଷ୍ଟ କୋଠା ଘର, ଭୁବନେଶ୍ୱର ଲିଙ୍ଗିପୁରର ଥିବା ଏକ ଦୁଇ ମହଲା ବିଶିଷ୍ଟ କୋଠା ଘର, କଟକ(କଲ୍ୟାଣନଗର) ଓ ଭୁବନେଶ୍ୱର (ଲିଙ୍ଗିପୁର) ମୁଖ୍ୟ ସ୍ଥାନରେ ଥିବା ଦୁଇଟି ଜମି ଚିହ୍ନଟ କରାଯାଇଛି। କେବଳ ଏତିକି ନୁହେଁ କଟକ ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରେ ତାଙ୍କ ପତ୍ନୀଙ୍କ ନାମରେ ଏକ ଲକର ରହିଥିବା ଜଣାପଡିଛି। ସେହିପରି ତାଙ୍କ ନାମରେ ଓ ପତ୍ନୀଙ୍କ ନାମରେ ଥିବା ବୀମା ରାଶିର ଯାଞ୍ଚ ଚାଲିଛି।
ବର୍ତ୍ତମାନ ସୁଧା ମୋଟ ଜମା ରାଶି ୨ କୋଟି ୮୬ ଲକ୍ଷ ୯ ହଜାର ୫୬୯ ଟଙ୍କା ରହିଥିବା ଜଣାପଡିଛି। ତାଙ୍କ ଘରୁ ୮୫୦ ଗ୍ରାମର ସୁନା ଅଳଙ୍କାର ସମେତ ୪ଟି ସୁନା ବିସ୍କୁଟ୍ ଓ ଗୋଟିଏ ହୀରା ହାର ଜବତ କରାଯାଇଛି। ଏଥିସହ ଏକ ମାରୁଜି ସୁଇଫ୍ଟ କାର ଓ ଦୁଇଟି ଦୁଇ ଚକିଆ ଗାଡି ଠାବ କରାଯାଇଛି। କେନ୍ଦ୍ରାପଡ଼ା ସରକାରୀ କାର୍ଯ୍ୟାଳୟ, କଟକ ନୂଆପଡ଼ାରେ ଥିବା ପୌତୃକ ସଂପତ୍ତି ଉପରେ ଚଢାଉ କରାଯାଇଛି। କଟକ ଭିଜିଲାନ୍ସ ଅଦାଲର୍ତର ସ୍ୱତନ୍ତ୍ର ଜଜ୍ଙ୍କ ଆଦେଶକ୍ରମେ ଏହି ଚଢଉ କରାଯାଇଥିବା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଚଢାଉରେ ୪ ଜଣ ଡିଏସ୍ପି, ଜଣେ ସହକାରୀ କମାଣ୍ଡାଣ୍ଟ, ୫ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ସହ ଯୋଗୀ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ରିପୋର୍ଟ ଲେଖା ହେବା ବେଳକୁ ଏହି ଚଢଉ ଓ ଯାଞ୍ଚଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ଜଣାପଡିଛି।











