ପାବନ କ୍ଷେତ୍ରରେ ଝୁଲଣ ଯାତ୍ରା ଉଦ୍‌ଯାପିତ



କେନ୍ଦ୍ରାପଡା,୨୧/୮: କେନ୍ଦ୍ରାପଡା କୋରୋସ୍ଥିତ ପାବନ କ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀକ୍ଷେତ୍ର ନୀତି ପରମ୍ପରା ଅନୁସାରେ ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ସପ୍ତଦିବସ ବ୍ୟାପୀ ପବିତ୍ର ଝୁଲଣ ଯାତ୍ରା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ୨୦ ତାରିଖରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବିଶିଷ୍ଟ ପ୍ରବକ୍ତା ତଥା ଶିକ୍ଷାବିତ୍ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉତ୍କଳୀୟ ତଥା ଶ୍ରୀଜଗନ୍ନାଥଙ୍କ ମହିମାମୟ ସଂସ୍କୃତିରେ ଝୁଲଣ ଯାତ୍ରାର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ ପରିବେଷଣ କରି ସମବେତ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ବିମୋହିତ କରିଥିଲେ । କଳା ନିକେତନର ପ୍ରତିଷ୍ଠାତା ସଂପାଦକ ସଂଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ବଳିଷ୍ଠ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ନିରୁପମା ଜେନା, ରଂଜନ ବରାଳ, ସ୍ମୃତିରଂଜନ ସ୍ୱାଇଁ, ଅମର ବିଶ୍ୱାଳ, ଅଲେଖ ମଲିକ, ରାଜକିଶୋର ଜେନା, ବିଷ୍ଣୁଚରଣ ବାରିକ, ବାବୁ ପାତ୍ର, କୈଳାସ ପରିଡା ପ୍ରମୁଖ ଭକ୍ତି ସଂଗୀତ ପରିବେଷଣ କରିଥିଲେ । ରୂପାଲି ସୂତାର, ଭାଗ୍ୟଲକ୍ଷ୍ମୀ ପଣ୍ଡା, ମାମାଲି ପାପାଲି ସାହୁ, ଅଭିଲିପ୍ସା ସାହୁ ଏବଂ ରେଖାଞଳି ଜେନା ପ୍ରମୁଖ ଶିଳ୍ପୀମାନେ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ବିମଳ ପରିଡା ଅକ୍ଷୟ ମହାନ୍ତିଙ୍କ ସୁପ୍ରସିଦ୍ଧ ଭଜନ ଗୋ ରାଧେ ବଂଶିଟି ଆମର ଦିଅ ଶୀର୍ଷକ ଗୀତଟିକୁ ଗାଇଥିଲେ । ଝୁଲଣ ଯାତ୍ରା ଅବସରରେ ଭାବଗ୍ରାହୀ କଳା ନିକେତନ ତରଫରୁ ଇଚ୍ଛାପୁର ସ୍ଥିତ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ଏବଂ ପୁରୁଷୋତ୍ତମପୁରସ୍ଥିତ ଶ୍ରୀରାମ ମନ୍ଦିରରେ ମଧ୍ୟ ଆକର୍ଷଣୀୟ ଭଜନ ଓ ନୃତ୍ୟ ପରିବେଷିତ ହୋଇଥିଲା । ରେଡିଓ ଭାବଗ୍ରାହୀ ତରଫରୁ ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ମନ୍ଦିର ପରିଚାଳନା ଟ୍ରଷ୍ଟର ସଭାପତି ବଳରାମ ମହାନ୍ତି, ସମ୍ପାଦକ ସୀତାକାନ୍ତ ଜେନା ଏବଂ ରାଜକିଶୋର ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହିତ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading