
କେନ୍ଦ୍ରାପଡ଼ା,୧ା୧୦: ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପୌରପାଳିକା ଟାଉନ ହଲରେ ପାଳିତ ହୋଇଯାଇଛି। ସକାଳେ ସେମାନଙ୍କ ପାଇଁ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ଯୋଗଗୁରୁ ସଞ୍ଜୟ ମଥାନ ସେମାନଙ୍କୁ ଯୋଗାଭ୍ୟାସ କରାଇଥିଲେ। ଏହାପରେ ପୌରପରିଷଦ ନିକଟସ୍ଥ ଫ୍ରେଜର ବିଦ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମିର୍ଜା କରିମ ବେଗଙ୍କ ନେତୃତ୍ୱରେ ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରମୋଦ କୁମାର ପ୍ରହରାଜ, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ, ସଦର ମହକୁମା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ବେହୁରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରୁପାଲୀ ପ୍ରିୟଦର୍ଶିନୀ, ବରିଷ୍ଠ ନାଗରିକ ସଂଘର ସଭାପତି ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଯୋଗ ଓ ବ୍ୟାୟାମ କରିବା ଦ୍ୱାରା ବରିଷ୍ଠ ନାଗରିକମାନେ ସୁସ୍ଥ ରହିପାରିବେ ବୋଲି ଅତିଥିମାନେ କହିଥିଲେ। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ବରିଷ୍ଠ ନାଗରିକଙ୍କ ପାଇଁ ଥିବା ଯୋଜନା, ଆଇନ ଓ ସ୍ୱାସ୍ଥ୍ୟ ଶିବିର ବିଷୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରିୟଦର୍ଶିନୀ କହିଥିଲେ। ଶିବିରରେ ମୋଟ ୨୨୪ ଜଣ ବରିଷ୍ଠ ନାଗରିକ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସବୁ ବ୍ଲକର ସାମାଜିକ ସୁରକ୍ଷା କର୍ମଚାରୀ, ସ୍ୱତନ୍ତ୍ର ବିଦ୍ୟାଳୟର କର୍ମଚାରୀ ଓ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କେନ୍ଦ୍ରାପଡା ନିମାଇଁ ଚରଣ ମାନସିକ ସ୍ୱତନ୍ତ୍ର ବିଦ୍ୟାଳୟ ଅଧ୍ୟକ୍ଷ ସ୍ୱପ୍ନାଂଶୁ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।











