
କେନ୍ଦ୍ରାପଡା, ୧୦ା୧୦: ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ ନିମନ୍ତେ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶମତେ ଅକ୍ଟୋବର ୨ ତାରିଖଠାରୁ ୧୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ସଚେତନତା କାର୍ଯ୍ୟକ୍ରମ ସମଗ୍ର ରାଜ୍ୟରେ ଚାଲୁରହିଥିବା ବେଳେ ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲାରେ ୮ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି । ବୁଧବାର ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ କେନ୍ଦ୍ରାପଡା ବ୍ଲକ କନଫରେନ୍ସ ହଲରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନ୍ଦନା ଖଟୁଆ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ସ୍ୱାଗତିକା ପାତ୍ର, ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ସମାଜରେ ସଙ୍ଗଠିତ ହେଉଥିବା ବିବିନ୍ନ ଲିଙ୍ଗଗତ ବୈଷମତା, ଶିଶୁ କନ୍ୟା ନିମନ୍ତେ ହିଂସା, ଦ୍ୱେଷ, ଅର୍ଥନୈତିକ ଭେଦଭାବକୁ ପ୍ରତିହତ କରି ସମସ୍ତ ଭାରତବାସୀ ଏକ ସୁନ୍ଦର ତଥା ସୁରକ୍ଷିତ ଶୈଶବ ନିମନ୍ତେ ଶପଥ ନେବାପାଇଁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରକଳ୍ପ ସ୍ତରରେ ଆୟୋଜନ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଶିଶୁ କନ୍ୟା ମାନଙ୍କୁ ଅଭିବାଦନ ଜଣାଇବା ସହିତ ସେମାନଙ୍କର ଉତ୍ତରୋତ୍ତର ଅଭିବୃଦ୍ଧି କାମନା କରିଥିଲେ। ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ ପଲ୍ଲିଶ୍ରୀ ମହିଳା ସମିତିର ଅନ୍ତେବାସିନୀ କିଶୋରୀମାନେ। ଏହାଛଡା ମହିଳାମାନଙ୍କର ବିଭିନ୍ନ ପାରଦର୍ଶିତାକୁ ପ୍ରୋତ୍ସାହନ ଓ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବିଭିନ୍ନ ବର୍ଗରେ ଶିଶୁ କନ୍ୟାମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସଚେତନତା ଉଦେଶ୍ୟରେ ଏକ ଦସ୍ତଖତ ଅଭିଯାନ ଓ ଝୋଟି ପ୍ରଦର୍ଶନୀ ବେଶ୍ ଉତ୍ସାହଜନକ ହୋଇଥିବା ବେଳେ ତର୍କ ପ୍ରତିଯୋଗୀମାନଙ୍କର ବିଭିନ୍ନ ତଥ୍ୟଗତ ଉପସ୍ଥାପନା ସମୟ ଉପଯୋଗୀ ହୋଇଥିଲା । ସମ୍ମାନୀତ ଅତିଥିମାନଙ୍କର ଉପଦେଶାତ୍ମକ ବକ୍ତବ୍ୟରେ ଦେଶ ଓ ଜାତିର ଅଭିବୃଦ୍ଧିରେ ନାରୀ ପ୍ରଗତିର ଅଂଶୀଦାରଙ୍କୁ ସୁଦୃଢ କରିବା ଉଦେଶ୍ୟରେ ସମସ୍ତଙ୍କର ସହଯୋଗ କାମନା କରାଯାଇଥିଲା । ଶେଷରେ ସମସ୍ତଙ୍କ ସହଯୋଗ ଓ ସଦ୍ଇଚ୍ଛା ବଳରେ କେନ୍ଦ୍ରାପଡାରେ ନାରୀ ପ୍ରଗତି ନିମିତ୍ତ ଏକ ସୁରକ୍ଷିତ ଶୈଶବ ପ୍ରଦାନ କରିବା ନିମନ୍ତେ ଶପଥ ପାଠ କରାଯାଇଥିଲା ।
















