ପଟ୍ଟାମୁଣ୍ଡାଇରେ ମା’ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା : ବାଲିପଡା କାଠପାଇ ଅସ୍ଥାୟୀ ପୋଖରୀରେ ହେଉଛି ବିସର୍ଜ୍ଜନ


ପଟ୍ଟାମୁଣ୍ଡାଇ ୧୪ା୧୦ – କେନ୍ଦ୍ରାପଡା ଜିଲା ଭାଇଚାରାର ସହର ପଟ୍ଟମୁଣ୍ଡାଇରେ ସରିଛି ଶାରଦୀୟ ଦୁର୍ଗା ପୂଜା । ଏବେ ମାଆଙ୍କ ବିଦାୟର ବେଳ । ଭକ୍ତଙ୍କୁ ଆଧ୍ୟାତ୍ମିକ ଚେତନାରେ ଭିଜେଇ ମେଲାଣି ନେଉଛନ୍ତି ମା’ଜଗତଜନନୀ । ଭକ୍ତ ଆଖିରେ ଆଖିଏ ଲୁହ । ଚାଲି ଯାଉଛନ୍ତି ମାଆ । ପୁଣି ବର୍ଷେ ଆପେକ୍ଷା । ଏଭଳି ଭାବବିହ୍ୱଳ ପରିବେଶ ଭିତରେ ସୋମବାର ପୂର୍ବାହ୍ନରୁ ପଟ୍ଟାମୁଣ୍ଡାଇ ସହରରେ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହୋଇଯାଇଛି । ପାରମ୍ପରିକ ବାଦ୍ୟର ଧ୍ୱନିରେ ପଟ୍ଟାମୁଣ୍ଡାଇ ସହର କମ୍ପୁଛି।ପଟ୍ଟାମୁଣ୍ଡାଇ ପୌରପ୍ରଶାସନ ପକ୍ଷରୁ ଭସାଣିକୁ ନେଇ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି। ବାଲିପଡା କାଠପାଇ ଠାରେ କୁତ୍ରିମ ପୋଖରୀ ପ୍ରସ୍ତୁତ ହୋଇଛି। ରାସ୍ତାଘାଟ ସଫା କରାଯାଇଛି।ପଟ୍ଟାମୁଣ୍ଡାଇ ସହରରେ ୨୬ରୁ ଅଧିକ ମଣ୍ଡପରେ ପୂଜା ପାଉଥିବା ମୃଣ୍ମୟୀ ମୂର୍ତି ସୋମବାର ବିସର୍ଜିତ ହେଉଛି। ଏଥିଲାଗି ବ୍ୟାପକ ପୋଲିସଫୋର୍ସ ମୁତୟନ କରାଯାଇଛି।


ପଟ୍ଟାମୁଣ୍ଡାଇ ସହର ଓ ଗ୍ରାମାଂଚଳରେ ଦୂର୍ଗତିନାଶିନୀ ମା ଦୂର୍ଗାଙ୍କ ଆବାହନ ଓ ପୂଜାର୍ଚ୍ଚନା ପାଇଁ ଏକ ଭିନ୍ନ ମାହୋଲ ସୃଷ୍ଟି ହୋଇଥିଲା। ମଣ୍ଡପ ଗୁଡିକରେ ମହାଷଷ୍ଠୀ ଓ ମହା ସପ୍ତମୀ,ରୁ ପୂଜା ଆରମ୍ଭ ହୋଇ ରବିବାର ମହାଦଶମୀ ପୂଜା ହୋଇଥିଲା। ସକାଳୁ ସକାଳୁ ହିଁ ମଣ୍ଡପଗୁଡିକରେ ଭିଡ ଜମିବା ଆରମ୍ଭ ହୋଇଯାଇଥିଲା। ମା’ଙ୍କ ବାହୁଡ଼ିବାର ବେଳ ଯେତେ ପାଖେଇ ଆସୁଥିଲା ଭକ୍ତଙ୍କ ଭିଡ଼ ବି ସେତେ ବଢ଼ିବାରେ ଲାଗିଥିଲା। ପାଗ ଅନୁକୂଳ ଥିବାରୁ ମଣ୍ଡପଗୁଡିକରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ରବିବାର ମା’ ଦୁର୍ଗାଙ୍କ ମୃଣ୍ମୟୀମୁର୍ତି ବିର୍ଷଜନ ପୂଜା ଶେଷ ହୋଇଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିବା ବେଳେ ରାତିକୁ ରାବଣ ପୋଡି ଉତ୍ସବ ଦେଖିବା ପାଇଁ ଅପେକ୍ଷା ଥିଲା । ପୋଖରିଆପଡା ମଣ୍ଡପ ପକ୍ଷରୁ ଏମଏନ ହାଇସ୍କୁଲ ପଡିଆରେ ଆୟୋଜିତ ହୋଇଥିଲା ରାବଣ ପୋଡି ଉତ୍ସବ । ରାବଣ ପୋଡ଼ି ଦେଖିବାକୁ ପଡିଆରେ ଅସଂଖ୍ୟ ଲୋକଙ୍କ ଭିଡ ହୋଇଥିଲା। ପୋଖରୀଆପଡା ଦୂର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ରାବଣପୋଡି ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ଓ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାବଣ ଶରୀରରେ ଅଗ୍ନିସଂଯୋଗ କରିଥିଲେ । ପାଗ ଅନୁକୂଳ ଥିବାରୁ ଲୋକେ ଦୁର୍ଗାପୂଜା ଉତ୍ସବର ମାହୋଲକୁ ମନଭରି ଉପଭୋଗ କରିଥିଲେ। ଏଭଳି ଉତ୍ସବର ମାହୋଲ ଭିତରେ ଦଶହରା ସରିଯାଇଛି। ସୋମବାର ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଦୁର୍ଗା ବିଭିନ୍ନ ମଣ୍ଡପରୁ ଭସାଣି ଯାତ୍ରା ଆରମ୍ଭ ହୋଇଛି। ଭସାଣୀ ଉତ୍ସବକୁ କିଏ କିଭଳି ଜାକଜମକରେ ପାଳିବ ସେଥିନେଇ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ପୋଲିସ ପ୍ରଶାସନ ପକ୍ଷରୁ ଭସାଣୀ ଉତ୍ସବକୁ କଟକଣାର ସହ ପାଳନ କରିବାକୁ କୁହାଯାଇଛି। ଭସାଣିକୁ କିଭଳି ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବ ସେଥିନେଇ ଅଧିକ ପୋଲିସ ମୁତୟନ କରାଯାଇଛି ବୋଲି ସୂଚନା ମିଳିଛି। ଭସାଣୀ ପାଇଁ ସମସ୍ତ ମେଢ ବାଜା, ବାଣ ଓ ପ୍ରସେସନ ସହିତ ବିସର୍ଜ୍ଜନ ପାଇଁ ବାଲିପଡା ଅସ୍ଥାୟୀ ପୋଖରୀ କାଠପାଇକୁ ଯାଉଛନ୍ତି । ଚଳିତବର୍ଷ ଦୂର୍ଗାପୂଜା ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଥାନା ଆଇଆଇସି ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।ଖବର ଲେଖାଯିବା ପର୍ଯ୍ୟନ୍ତ ୧୩ଟି ମେଢ ବିସର୍ଜ୍ଜନ ହୋଇଛନ୍ତି ।

ସେହିପରି ଗ୍ରାମାଚଂଳ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନଙ୍କ ନେତୃତ୍ୱରେ ବଡପଡାର କଟାଂବଣ, ମାଳିପୁର, ଦୋଷିଆ, ଜିଗରଣ, ମଦନପୁର, କୁନ୍ଦୁପୁର ଆଦି ବିଭିନ୍ନ ଅଂଚଳରେ ଦୂର୍ଗା ପୂଜା ଭସାଣି ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇ ଯାଇଛି । ଦୂର୍ଗା ପୂଜା ଉତ୍ସବ ପାଇଁ ଗ୍ରାମାଞ୍ଚଳ ଥାନା ପରିସରରେ ଏକ ନିଆରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।  ଧ୍ରୁବ -ଅନ୍ନପୂର୍ଣ୍ଣା କଳା ପରିଷଦ ପକ୍ଷରୁ ସଭାପତି ନଳିନୀକାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଭଜନ ଜଣାଣ ଓ ଶାସ୍ତ୍ରୀୟ ସଂଗୀତ ପରିବେଷଣ କରିଥିଲେ ।  ଏଥିରେ ରାଜନଗର ବିଧାୟକ ଧ୍ରୁବ ସାହୁ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ଓ ବିଭିନ୍ନ ପଂଚାୟତର ସରପଞ୍ଚ ସମିତି ସଭ୍ୟ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।  ସେହିପରି ପଟ୍ଟାମୁଣ୍ଡାଇ ଧୋୟାଞ୍ଚକର ଅଣ୍ଢରା, ନୀଳକଣ୍ଠପୁର, ଅମୃତମଣୋହି, ଅଳପୁଆ, ତରଡିପାଳ, ଆଦି ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଶାନ୍ତିଶୃଙ୍ଖଳାର ସହିତ ଦୂର୍ଗାପୂଜା ଓ ଭସାଣୀ ଉତ୍ସବ ଶେଷ ହୋଇଯାଇଛି ।


Discover more from

Subscribe now to keep reading and get access to the full archive.

Continue reading