ଦୁର୍ଗାପୂଜା ଅଭିନନ୍ଦନ ତୋରଣ୍ ଯୋଗୁଁ ଟ୍ରାଫିକ ଜାମ

0
torana gadi

ପୌର ପ୍ରଶାସନର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ

 


ପଟ୍ଟାମୁଣ୍ଡାଇ ୪/୧୧ – ପଟ୍ଟାମୁଣ୍ଡାଇ ସହରର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା ଆକର୍ଷଣୀୟ ଦୁର୍ଗାପୂଜା ଅଭିନନ୍ଦନ ତୋରଣଗୁଡ଼ିକ ବର୍ତମାନ ସାଧାରଣ ଜନଜୀବନ ଏବଂ ଯାତାୟାତ ପାଇଁ ଏକ ପ୍ରକାର ବାଧକ ସାଜିଛି। ତୋରଣଗୁଡ଼ିକର ଉଚ୍ଚତା ଓ ସ୍ଥାନ ନିରୂପଣ ନେଇ ପୌରପ୍ରଶାସନ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ କଟକଣା କିମ୍ବା ମାର୍ଗଦର୍ଶିକା ନଥିବାରୁ ସହରରେ ଟ୍ରାଫିକଜାମ ପରିସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି। ମଙ୍ଗଳବାର ଦିନ ବଜାର ମଝିରେ ଏକ ବଡ଼ ମାଲବାହୀ ଟ୍ରକ ତୋରଣରେ ପିଟି ହୋଇ ଫସି ରହି ଟ୍ରାଫିକଜାମ କରିବା ଘଟଣା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୌରପ୍ରଶାସନର ଏଭଳି ଅମଳାନ୍ତ୍ରିକ ମନୋଭାବ ଏବଂ କୁପରିଚାଳନା ବିରୋଧରେ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶ ଯେ ମଙ୍ଗଳବାର ଦିନ ଏକ ମାଲବାହୀ ଟ୍ରକ୍ ପଟ୍ଟାମୁଣ୍ଡାଇ ବଜାର ଦେଇ ଯାଉଥିବା ସମୟରେ ବାଇପାସ ନିକଟ ରାସ୍ତା ମଝିରେ ଥିବା ଏକ ଅଭିନନ୍ଦନ ତୋରଣରେ ଧକ୍କା ହେବା ସହ ସେଠାରେ ଫସି ରହିଥିଲା। ଫଳରେ ଶହ ଶହ ଯାନବାହାନ ଗୁଡିକ ରାସ୍ତାର ଦୁଇପାଶ୍ୱରେ ଅଟକି ରହିବା ସହ ଏକ ବଡ଼ ଧରଣର ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆମ୍ବୁଲାନ୍ସ, ସ୍କୁଲ ବସ୍ ଓ ଦୈନନ୍ଦିନ ଯାତାୟାତ କରୁଥିବା ଶହ ଶହ ବାଟୋଇ ଦୀର୍ଘ ସମୟ ଧରି ରାସ୍ତାରେ ଛିଡ଼ା ହୋଇ ରହିବାକୁ ବାଧ୍ୟ ହୋଇଥିଲେ। ପରେ ଅନେକ ଗାଡ଼ି ବିକଳ୍ପ ରାସ୍ତା ପରିବା ମାର୍କଟ ଓ ବେଲତଳ ରାସ୍ତାଦେଇ ଯାଆସ କରିବାକୁ ବାଧ୍ୟ ହୋଇଥିଲେ ।
ସ୍ଥାନୀୟ ବ୍ୟବସାୟୀମାନେ କୁହନ୍ତି ପୌରାଂଚଳରେ ଯିଏ ଯେଉଁଠି ପାରୁଛି ଅଭିନନ୍ଦନ ଗଟେ ଠିଆକରୁଛି । ଏହି ସବୁ ତୋରଣ ନିର୍ମାଣ ଏବଂ ସ୍ଥାନ ନିରୂପଣ ବେଳେ ପୌରପ୍ରଶାସନ ପକ୍ଷରୁ କୌଣସି ଆନୁଷ୍ଠାନିକ କଟକଣା କିମ୍ବା ମାର୍ଗଦର୍ଶିକା ଜାରି କରାଯାଉନଥିବା ଜଣାପଡୁଡଛି । ଫଳରେ ସଙ୍କୀର୍ଣ୍ଣ ରାସ୍ତାରେ ବଡ଼ ବଡ଼ ଗେଟ୍‌ଗୁଡ଼ିକ ଯାତାୟାତ ପାଇଁ ମରଣଜନ୍ତା ସାଜିଛି। ପୂଜା ପର୍ବାଣି ସରିବାର ବହୁ ଦିନ ବିତିଯାଉଥିଲେ ମଧ୍ୟ ପୌରପ୍ରଶାସନ ପକ୍ଷରୁ ଏହି ପୁରୁଣା ଗେଟ୍‌ଗୁଡ଼ିକୁ ହଟାଇବା ପାଇଁ କୌଣସି ଆବଶ୍ୟକୀୟ ପଦକ୍ଷେପ ନିଆଯାଉନାହିଁ। ଦିନକୁ ଦିନ ସହରରେ ବଡ଼ ଗାଡ଼ି ଓ ଯାନବାହାନ ଚଳାଚଳ ବୃଦ୍ଧି ପାଇ ସହରର ରାସ୍ତାଘାଟ ଅପେକ୍ଷାକୃତ ସଙ୍କୀର୍ଣ୍ଣ ହୋଇଥିବାରୁ, ଏଭଳି ବଡ଼ ବଡ଼ ତୋରଣଗୁଡ଼ିକ ଯାତାୟାତକୁ ସମ୍ପୂର୍ଣ୍ଣ ପ୍ରଭାବିତ କରୁଛି। ବାରମ୍ବାର ପୌର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପ୍ରଶାସନିକ ଉଦାସୀନତା ଯୋଗୁଁ ଆଜି ବଜାର ମଝିରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଆଗାମୀ ଦିନରେ ଏଭଳି ଘଟଣା ଏବଂ ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସହରର ସମସ୍ତ ଅବଶିଷ୍ଟ ଅଭିନନ୍ଦନ ଗେଟ୍‌କୁ ତୁରନ୍ତ ଉଚ୍ଛେଦ କରିବାକୁ ସ୍ଥାନୀୟ ବାସିନ୍ଦା ଏବଂ ବ୍ୟବସାୟୀ କଡ଼ା ଦାବି କରିଛନ୍ତି।


Leave a Reply

Your email address will not be published. Required fields are marked *