କେନ୍ଦ୍ରାପଡ଼ା,୨୧ା୧୦ : କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ସୋମବାର ୬୫ତମ ପୋଲିସ ସହିଦ୍ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ସହିଦ୍ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ୧୯୫୯ମସିହା ଅକ୍ଟୋବର ୨୧ତାରିଖ ଦିନ ସି.ଆର.ପି.ଏଫ.ର ୧୦ଜଣ କର୍ତ୍ତବ୍ୟନିଷ୍ଠ ଜବାନ ଲଦାଖଠାରେ ଭାରତସୀମା ଉଲ୍ଲଙ୍ଘନ କରିବାକୁ ପ୍ରୟାସ କରୁଥିବା ଚୀନ ଦେଶର ସୈନ୍ୟ ବାହିନୀ ସହିତ ଯୁଦ୍ଧ କରି ମାତୃଭୂମିର ସେବାରେ ପ୍ରାଣବଳୀ ଦେଇଥିଲେ । ୧୯୬୦ମସିହା ଜାନୁଆରୀ ମାସରେ ଦେଶର ସମସ୍ତ ଆରକ୍ଷୀ ମହାନିରୀକ୍ଷକମାନଙ୍କର ଅନୁଷ୍ଠିତ ସମ୍ମିଳନୀରେ ଏହି ଦିବସକୁ ସହିଦ୍ ଦିବସ ରୂପେ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମା ଏବଂ ପୋଲିସ ପ୍ରତିଷ୍ଠାନମାନଙ୍କରେ ପାଳନ କରାଯିବାକୁ ନିଷ୍ପତି ନିଆଯାଇଥିଲା । ସେହିଦିନ ଠାରୁ ପ୍ରତ୍ୟେକ ବର୍ଷ କର୍ତ୍ତବ୍ୟ ସମ୍ପାଦନ ସମୟରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ପୋଲିସମାନଙ୍କ ସ୍ମୃତି ଉଦେଶ୍ୟରେ ବା ରାଷ୍ଟ୍ର ପାଇଁ ସର୍ବୋଚ ତ୍ୟାଗ ସ୍ୱୀକାର କରିଥିବା ବୀର ପୋଲିସମାନଙ୍କ ସ୍ମୃତି ଉଦେଶ୍ୟରେ ୧୯୬୦ ମସିହାରୁ ଏହି ଦିବସ ପାଳିତ ହୋଇ ଆସୁଛି । ଦେଶର ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଏହି ବୀର ପୋଲିସମାନେ ବୀରତ୍ୱ ସହିତ କର୍ତ୍ତବ୍ୟ ସମ୍ପାଦନ କରି ସେମାନଙ୍କ ଦାୟିତ୍ୱ ନିର୍ବାହ କରିଥାନ୍ତି । ଗତ ବର୍ଷକ ମଧ୍ୟରେ କର୍ତ୍ତବ୍ୟ ସମ୍ପାଦନ ସମୟରେ ପ୍ରାଣବଳି ଦେଇଥିବା ଦେଶର ୨୧୪ଜଣ ବୀର ପୋଲିସଙ୍କ ସହିତ ଓଡିଶାର ୨ଜଣ ଏବଂ କେନ୍ଦ୍ରାପଡାର କନେଷ୍ଟବଳ ହିମାଂଶୁ ଶେଖର ରଥଙ୍କ ପ୍ରତି ଆରକ୍ଷୀ ଅଧିକ୍ଷକ ଶ୍ରୀ କଟ୍ଟାରିଆ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ଡିଏସପି ସରିତା ମହାପାତ୍ର୍ର, ଡିଏସପି ଶାନ୍ତା ନୂତନ ସମ୍ପଦ, ଡିଏସପି(ଡିଆଇବି) ଲକ୍ଷ୍ମୀନାରାୟଣ ତିୱାରୀ ପ୍ରମୁଖ ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ପ୍ୟାରେଡ୍କୁ ରିଜର୍ଭ ପୋଲିସ ଇନସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ କମାଣ୍ଡିଙ୍ଗ କରିଥିବା ବେଳେ ସେକଣ୍ଡେ ଇନ୍ କମାଣ୍ଡିଙ୍ଗ ଭାବେ ଜବାହରଲାଲ୍ ଖାନ୍ କାର୍ଯ୍ୟ ନିର୍ବାହ କରିଥିଲେ। ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ପ୍ୟାରେଡରେ ଆରକ୍ଷୀ ଅଧିକ୍ଷକ ଶ୍ରୀ କଟ୍ଟାରିଆ ଅଭିବାଦନ ଗ୍ରହଣ କରିଥିଲେ।