ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନିକ ପ୍ରସ୍ତୁତି ଜୋରଦାର , ଅତ୍ୟାବଶ୍ୟକ ସାମଗ୍ରୀ କଳା ବଜାର ଉପରେ କଡା ନଜର



ପଟ୍ଟାମୁଣ୍ଡାଇ ୨୧/୧୦ -ରାଜ୍ୟ ସରକାରଙ୍କ ନିର୍ଦେଶରେ ସମ୍ଭାବ୍ୟ ବାତ୍ୟା “ଦାନା”କୁ ସଫଳତାର ସହ ମୁକାବିଲା କରିବା ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଏ ଦିଗରେ ଜିଲ୍ଲାର ସମସ୍ତ ବିଡ଼ିଓ ଓ ତହସିଲଦାରଙ୍କୁ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି ।
ଏହି ବାତ୍ୟା ଉତର ପଶ୍ଚିମ ଦିଗ ଦେଇ ଓଡିଶା ଅତିକ୍ରମ କରିବା ସମ୍ଭାବନା ଥିବାରୁ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଉପରେ ବିଶେଷ ପ୍ରଭାବ ପଡିବା ଆଶଙ୍କା କରାଯାଉଛି ।ପ୍ରବଳ ବର୍ଷା ସାଙ୍ଗକୁ ୧୨୦କିମି ପବନ ବହିବା ସମ୍ଭାବନା ଥିବାରୁ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ବ୍ୟାପକ ଫସଲହାନୀ ଆଶଙ୍କାରେ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି । ବାତ୍ୟା ଆଶଙ୍କାରେ ନଦୀ କୂଳିଆ ଲୋକମାନଙ୍କ ନିଦ ହଜି ଯାଇଛି । ବାତ୍ୟା ପରେ ପରେ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଆଶଙ୍କା କରି ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବିଭିନ୍ନ ଦୋକାନରେ ଭିଡ଼ ଲଗାଇଛନ୍ତି । ଯାହାଫଳରେ ଦରଦାମ ଆକାଶଛୁଆଁ ହୋଇଛି । ଲୋକଙ୍କ ଭିଡ଼ ଦେଖି କେତେକ ଲାଭଖୋର ଅସାଧୁ ବ୍ୟବସାୟୀ ପରିସ୍ଥିତିର ଫାଇଦା ନେଇ କଳା ବଜାର କରିବା ଆରମ୍ଭ କରିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ସହର ବଜାର ଓ ଗାଁ ଛକ ମାନଙ୍କରେ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି । ଅକ୍ଟୋବର ମାସ ବାତ୍ୟା ମାସରେ ପରିଣତ ହୋଇଥିବାରୁ ବାତ୍ୟାକୁ ନେଇ ଲୋକମାନେ ଭୟଭୀତ ହୋଇପଡିଛନ୍ତି ।


କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦେଶରେ ଆଜି ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭିସି ଯୋଗେ ଆରଡିସି ଓ ଜିଲ୍ଲାପାଳ ବାତ୍ୟା ନେଇ ସମ୍ଭାବ୍ୟ ସ୍ଥିତି ସମୀକ୍ଷା କରିବା ସହିତ ନଦୀକୁଳ,ଖାଲୁଆ ଅଂଚଳ ଓ ବିପଦଜନକ ଅବସ୍ଥାରେ ଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ନିରାପଦ ଜାଗାକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦେଶ ଦେଇଥିଲେ । ଏଥି ସହିତ ପଂଚାୟତ ଗୋଦାମରେ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି । ଏହି ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ବିଡ଼ିଓ ଶୁଭ୍ରାଂଶୁ ସାହୁ, ତହସିଲଦାର ପଂଚାନନ ନାୟକ, ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି,ଏବିଡ଼ିଓ ସନ୍ତୋଷ ମନ୍ତ୍ରୀ, ବ୍ଲକ ସହକାରୀ ଯନ୍ତ୍ରୀ ଇଂ ଜଳଧର ବେହେରା, ବ୍ଲକ ଯୋଗାଣ ନିରୀକ୍ଷକ, ଅଗ୍ନିଶମ ଅଧିକାରୀ ବିଭିନ୍ନ ପଂଚାୟତ ନିର୍ବାହୀ ଅଧିକାରୀ ରାଜସ୍ୱ ନିରୀକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ସରକାରୀ ପଦାଧିକାରୀ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଓ ତହସିଲ ଠାରେ ୨୪ ଘଂଟିଆ ନିୟଂତ୍ରଣ କକ୍ଷ ଖୋଲାଯାଇ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ସହିତ ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ନିଷ୍ପତି ନିଆଯାଇଛି । ବାତ୍ୟା ସ୍ଥିତିର ଫାଇଦା ନେଇ ଅତ୍ୟାବଶ୍ୟକ ସାମଗ୍ରୀ କଳା ବଜାର କରୁଥିବା ଅସାଧୁ ବ୍ୟବସାୟୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ନହେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading