ବାତ୍ୟା ‘ଦାନା’କୁନେଇ ସହର ଶୂନଶାନ, ବିଦ୍ୟୁତ ସରବରାହ ବାଧାପ୍ରାପ୍ତ

ବାତ୍ୟା ‘ଦାନା’କୁନେଇ ସହର ଶୂନଶାନ, ବିଦ୍ୟୁତ ସରବରାହ ବାଧାପ୍ରାପ୍ତ


ପଟ୍ଟାମୁଣ୍ଡାଇ ୨୪/୧୦ -ବେଳକୁ ବେଳ ଭୟଙ୍କର ରୂପନେଇ ଦାନା ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଗୁରୁବାର ରାତିରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହା କେନ୍ଦ୍ରାପଡା ଜିଲା ତାଳଚୁଆରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରାଯାଇଥିବା ବେଳେ ପଟ୍ଟାମୁଣ୍ଡାଇ, ରାଜନଗରରେ ବିଶେଷ ଭାବେ ପ୍ରଭାବକୁ ଦୃଷ୍ଟିରେ ରଖି ରେଡ ସିଗ୍‌ନାଲ ଦିଆଯାଇଛି। ଲୋକେ ସତର୍କ ରହିବାକୁ କୁହାଯିବା ପରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ମହାବାତ୍ୟା ଫାଇଲିନ୍‌, ହୁଡ୍‌ହୁଡ୍ ତିତିଲି ବାତ୍ୟାକୁ ଅଙ୍ଗେ ନିଭାଇଥିବା ପଟ୍ଟାମୁଣ୍ଡାଇବାସୀ ବାତ୍ୟାଦାନା ଆସିବା ପୂର୍ବରୁ ନିଜକୁ ସଜାଗ କରିନେଇଛନ୍ତି। ହେଲେ ବାତ୍ୟା ନ ଆସିବା ଆଗରୁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିବାରୁ ଲୋକେ ନାହିଁ ନଥିବା ଅସୁବିଦା ଭୋଗ କରୁଛନ୍ତି ।

ବିଦ୍ୟୁତ ସରବରାହ ବାଧାପ୍ରାପ୍ତ


ଗୁରୁବାର ରିତିରେ ବାତ୍ୟା ସ୍ଥଳଭାଗ ଛୁଇଁବାକୁଥିବା ବେଳେ ଏହାର ଗୋଟିଏ ଦିନ ପୂର୍ବରୁ ପଟ୍ଟାମୁଣ୍ଡାଇ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି। ଖଡିଅଂଟା, ନରସିଂହପୁର, କଖାରୁଣି ,ଶାସନ, ବାଲିପାଟଣା, ବାଛରା ସମେତ ସହରର ପ୍ରମୁଖ ଅଂଚଳରେ ଘନ ଘନ ବିଜୁଳିକାଟ୍ କରାଯାଉଛି। ସାମାନ୍ୟ ପବନ କିମ୍ବା ବର୍ଷା ହେବା ମାତ୍ରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଦିଆଯାଉଛି। ମାତ୍ର ସହର ସମେତ ଗ୍ରାମାଂଚଳରେ ବିଦ୍ୟୁତ ବାଧାପ୍ରାପ୍ତ ହୋଇଥିବା ବେଳେ ଲୋକେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଏ ନେଇ ଟିପିସିଓଡିଏଲ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ବାତ୍ୟା ଆସିବା ପୂର୍ବରୁ ଆମେ ସଜାଗ ରହିଛୁ। ମାତ୍ର କେତେଜଣ ଲାଇନ ମ୍ୟାନଙ୍କ ମନମାନି ପାଇଁ ଏପରି ଅସୁବିଧା ଘଟିଛି ।

ସବୁଆଡ଼େ ଖାଁ ଖାଁ


‘ଦାନା’କୁନେଇ ପଟ୍ଟାମୁଣ୍ଡାଇ ସହରରେ ଗୁରୁବାର ଦିନସାରା ଲାଗିରହି ଥିଲା ଭୟ ଓ ଚର୍ଚ୍ଚା । ଏହାର ପ୍ରଭାବ ସହରର ଦୋକାନ ବଜାର ଉପରେ ପଡ଼ିଥିଲା। ସକାଳୁ କୋହଲା ପାଗକୁ ଝିପିଝିପି ବର୍ଷା ପବନ ଜାରିରହିଥିଲା । ବାତ୍ୟା ଆସିବା ପୂର୍ବରୁ ପଟ୍ଟାମୁଣ୍ଡାଇ ସହର, ବଜାର ସବୁଆଡେ ଖାଁ ଖାଁ ହୋଇଯାଇଛି। ଅଧିକାଂଶ ଦୋକାନବାଜାର ମଧ୍ୟ ବନ୍ଦ ରହିଛି। ସେହିଭଳି ସ୍କୁଲ, କଲେଜ ବନ୍ଦ ଥିବାରୁ ରାସ୍ତାଘାଟ ସମ୍ପୂର୍ଣ୍ଣ ଶୂନ୍‌ଶାନ ହୋଇପଡ଼ିଛି। ଗୁରୁବାର ଦିନସାରା ତୁହାକୁତୁହା ବର୍ଷା ଲାଗିରହି ଥିବା ବେଳେ ଲୋକେ ଘରୁ ବାହାରିବାକୁ ଉଚିତ ମଣୁନାହାନ୍ତି ।

ଧାନସବୁ ଅଗାଡ଼ି ହୋଇଯିବ


ବାତ୍ୟା ଦାନା ପ୍ରଭାବରେ ଗୁରୁବାର ସକାଳୁ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଚାଷ ହୋଇଥିବା ଅମଳକ୍ଷମ ଧାନ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଚଳିତବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀ ବହୁବିଳମ୍ବରେ ଧାନ ଚାଷକୁ ପ୍ରାଧାନ୍ୟ ଦେଇ ଚାଷ କରିଥରବା ବେଳେ ଧାନ ଫସଲରେ ସବୁଜମୟ ହୋଇଯାଇଛି। ବର୍ତମାନ ଧାନର ଥୋଡ଼ ବାହାରିବା ସମୟ ବା ଗର୍ଭାବସ୍ଥାରେ ଧାନ ଥୋଡ଼ରୁ ଆହାର ନେଉଛି। ଧାନ ପେଟଥୋଡ.କ୍ଷୀର ଢୋକି ଅବସ୍ଥାରେ ଥିବା ବେଳେ ତୁହାକୁ ତୁହା ପ୍ରବଳ ବର୍ଷା ଓ ପବନ ଫଳରେ ଧାନ ଗଛ ଜମିରେ ଶୋଇ ପଡ଼ି ପାଣିରେ ତିନ୍ତୁଛି। ଗୁରୁବାର ରାତିରେ ଲ୍ୟାଣ୍ଡଫଲ ହେବାବେଳେ ଅତ୍ୟଧରକ ବର୍ଷାପବନ ହେବ । ବିଲରେ ପାଣି ଜମା ହୋଇ ଅଧିକ ଦିନ ରହିଲେ ନରମ ଧାନ ପଚିଯିବ। ଏହାଛଡ଼ା ପବନ ବି ଜୋରରେ ହେଲେ ପେଟଥୋଡ ଫାଟି କେଶର ଉଡ଼ିଯିବା ସହ ଧାନସବୁ ଅଗାଡ଼ି ହୋଇଯିବ।

ନିରାପଦ ସ୍ଥାନକୁ ଯିବାକୁ ବିଧାୟକଙ୍କ ଅପିଲ


ସରକାରଙ୍କର ଜିରୋ କାଜୁଆଲିଟି ନିର୍ଦ୍ଦେଶ ଆଧାରରେ ପଟ୍ଟାମୁଣ୍ଡାଇ ଅଂଚଳରେ ଅସୁରକ୍ଷିତ ଅବସ୍ଥାରେ ଥିବା ଲୋକ ମାନଙ୍କୁ ସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ରଖା ଯିବା ପାଇଁ ବ୍ୟବସ୍ଥା କରାଯାଇ ତଦନୁଯାୟୀ ପଦକ୍ଷେପ ନିଆଯାଇଛି । ଏହି ବାତ୍ୟା ସମୟରେ ସମୁଦ୍ର ଜୁଆର ଏକରୁ ଦୁଇ ମିଟର ପର୍ଯ୍ୟନ୍ତ ଆସିବା ପାଇଁ ଥିବା ବେଳେ ବାତ୍ୟା ସମୟରେ କେହି କଚ୍ଚା ଘରେ ନରହି ନିରାପଦ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ସହ ବାତ୍ୟା ସମୟରେ କେହି ଘରୁ ନ ବାହାରିବା ପାଇଁ ବିଧାୟକ ଅନୁରୋଧ କରିଛନ୍ତି । ବିଧାୟକ ବିଭିନ୍ନ ଆଶ୍ରୟସ୍ଥଳୀରେ ସ୍ଥାନୀୟ ନେତୃବୃନ୍ଦ ମାନଙ୍କ ସହିତ ପହଁଚି ଆଶ୍ରୟ ନେଇଥିବା ଜନସାଧାରଣଙ୍କୁ ସୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ବଂଟନ କରିବା ସହ ବାତ୍ୟାକୁ ନେଇ କେହି ଆତଙ୍କିତ ନହୋଇ ମୁକାବିଲା କରିବାକୁ ପରାମର୍ଶ ଦେଇଛନ୍ତି ।