ଜେଲ ୱାର୍ଡେନଙ୍କ ସନ୍ଦେହଜନକ ମୃତ୍ୟୁ



କେନ୍ଦ୍ରାପଡ଼ା,୨ା୧୧: ବାରିମୂଳସ୍ଥିତ କେନ୍ଦ୍ରାପଡା ଉପକାରାଗାରରେ କାର୍ଯ୍ୟରତ ୱାର୍ଡେନ ବିଜୟ ପରିଡାଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। କାରାଗାର ନିକଟସ୍ଥ ବାରାକ୍‌ରେ ବିଜୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ସହକର୍ମୀମାନେ ବିଜୟଙ୍କୁ ବାରାକ୍‌ର ସିଲିଂଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ। ଶୁକ୍ରବାର ଅପରାହ୍ନ ୧୨ଟାରେ ବିଜୟ ଡ୍ୟୁଟି ସାରି ବାରାକ୍‌କୁ ଫେରିଥିଲେ। ଅନ୍ୟ ସହକର୍ମୀମାନେ ସନ୍ଧ୍ୟାରେ ଡ୍ୟୁଟି ସାରି ବାରାକ୍‌କୁ ଫେରିବା ପରେ ବିଜୟକୁ ସିଲିଂ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ବିଜୟଙ୍କ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ତାଙ୍କର ମୃତ୍ୟୁ ସନ୍ଦେହ ଘେରରେ ରହିଥିବା ସହକର୍ମୀଙ୍କ ଠାରୁ ଜଣାପଡିଛି।

 

ବିଜୟଙ୍କ ଘର ଆଠଗଡର ଗୁରୁଡିଝାଟିଆ ବୋଲି ଜଣାପଡିଛି। ଖବର ପାଇ ମୃତକ ବିଜୟଙ୍କ ଦାଦା ଶିବରାମ ପରିଡା ଓ ଭାଇ ଜିତେନ୍ଦ୍ର ପରିଡା ପହଞ୍ଚି ବିଜୟ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ବିଜୟଙ୍କ ମୃତ୍ୟୁ ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସେମାନେ ଅଭିଯୋଗ କରିଛନ୍ତି। ବିଜୟ ବିବାହିତ ଓ ତାଙ୍କର ୩ବର୍ଷର ଏକ ଝିଅ ଅଛି। ବିବାହ ପୂର୍ବରୁ ବିଜୟଙ୍କର ଗୁରୁଡିଝାଟିଆ ନିକଟସ୍ଥ କପୁରସିଂ ଅଞ୍ଚଳର ରଶ୍ମୀରେଖା ନାମ୍ନୀ ଏକ ଝିଅ ସହିତ ପ୍ରେମ ସମ୍ପର୍କ ଥିଲା। ବିଜୟଙ୍କ ବିବାହ ପରେ ରଶ୍ମୀରେଖା ବିଜୟଙ୍କୁ ବ୍ଲାକମେଲ କରୁଥିବା ଓ ମାନସିକ ନିର୍ଯ୍ୟାତନା ଦେଉଥିବା ବିଜୟଙ୍କ ପରିବାର ସୁତ୍ରରୁ ଜଣାପଡିଛି। ଏମିତିକି ରଶ୍ମୀରେଖା ବାରିମୂଳସ୍ଥିତ ଉପକାରାଗାର ନିକଟକୁ ଆସି ବିଜୟକୁ ମାଡ ମାରିଥିବା ବେଳେ ତାଙ୍କୁ ଧମକ ଦେଇଥିବା ବିଜୟଙ୍କ ଦାଦା ଅଭିଯୋଗ କରିଛନ୍ତି।

ଘଟଣାସ୍ଥଳରେ କେନ୍ଦ୍ରାପଡା ସଦର ଥାନା ଅଧିକାରୀ ସାଇଣ୍ଟିଫିକ ଟିମ ସହିତ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଥିବା ଥାନାଅଧିକାରୀଙ୍କ ଠାରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଜେଲ ବିଭାଗର ଉଚ୍ଚ ଅଧିକାରୀ ମଧ୍ୟ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିବା ଜଣାପଡିଛି।


Next Post

ଡକ୍ଟର ବୈଷ୍ଣବ ପରିଡା ମେମୋରିଆଲ ଚେସ ପ୍ରତିଯୋଗିତା ଉଦଘାଟିତ

Sat Nov 2 , 2024
କେନ୍ଦ୍ରାପଡ଼ା,୨ା୧୧: ଡକ୍ଟର ବୈଷ୍ଣବ ପରିଡା ମେମୋରିଆଲ ଚେସ ପ୍ରତିଯୋଗିତା କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ ପକ୍ଷରୁ ଶନିବାର ତୁଳସୀ ମହିଳା ମହାବିଦୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି। କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଦୁଇ ଦିନିଆ ଚେସ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ. ପଦ୍ମଜା କବି ଶତପଥୀ,ଅଧ୍ୟାପକ ମଥୁରୀ ନାୟକ, […]

KANIKA