ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପୋଲିସର ଉଦାସୀନତା ନେଇ କେନ୍ଦ୍ରାପଡା ଏସଡିପିଓଙ୍କୁ ଅଭିଯୋଗ



କେନ୍ଦ୍ରାପଡ଼ା,୨୮ା୧୧: ଏକ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପୋଲିସର ଉଦାସୀନତା ନେଇ କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ଗୋଗୁଆ ଗ୍ରାମର ପ୍ରଶାନ୍ତ ମହାନ୍ତି କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଦେବେନ୍ଦ୍ର କୁମାର ମଲ୍ଲିକଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଗତ ୧୦ତାରିଖ ଅପରାହ୍ନ ୨ଟାରେ ପୂର୍ବ ବିବାଦକୁ ନେଇ ସେହି ଗ୍ରାମର କେତେକ ଅସାମାଜିକ ବ୍ୟକ୍ତି ପ୍ରଶାନ୍ତଙ୍କୁ ତାଙ୍କ ଘର ସମ୍ମୁଖରେ ଠେଙ୍ଗାରେ ପିଟିବା ସହ ତାଙ୍କ ଉପରକୁ ଇଟା ଫୋପାଡି ମରଣାନ୍ତଙ୍କ ଆକ୍ରମଣ କରିଥିଲେ। ପ୍ରଶାନ୍ତଙ୍କୁ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହି ଆକ୍ରମଣରେ ପ୍ରଶାନ୍ତଙ୍କ ମୁଣ୍ଡ ଫାଟିଯିବା ସହ ବାମହାତଟି ଭାଙ୍ଗି ଯାଇଥିଲା। ତେଣୁ ଏନେଇ ପ୍ରଶାନ୍ତଙ୍କ ଭଉଣୀ ସସ୍ମିତା ମହାନ୍ତି ସେହି ଦିନ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗକୁ ଭିତ୍ତିକରି ତନ୍ତିଆପାଳ ସାମୁଦ୍ରିକ ଥାନା ୧୬୦/୨୦୨୪ରେ ଭାରତୀୟ ନ୍ୟାୟ ସଂହିତାର ୧୨୬(୨), ୨୯୬, ୧୧୫(୨), ୩୫୧(୨), ୧୧୭(୨), ୧୨୫, ୧୨୫(କ) ଓ ୩(୫) ଦଫାରେ ମାମଲା ରୁଜୁ କରିଥିଲା। ଡାକ୍ତରଖାନାରେ ଚିକିତ୍ସିତ ହୋଇ ସାମାନ୍ୟ ସୁସ୍ଥ ହେବା ପରେ ମଙ୍ଗଳବାର ପ୍ରଶାନ୍ତ କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧୀକାରୀ ଶ୍ରୀ ମଲ୍ଲିକଙ୍କୁ ଭେଟି ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରୁନଥିବାରୁ ସେମାନେ ପ୍ରଶାନ୍ତଙ୍କ ପରିବାର ପରିଜନକୁ ଜୀବନରୁ ମାରି ଶେଷ କରିଦେବାକୁ ଧମକ ଦେଉଥିବା ଅଭିଯୋଗ କରିଥିଲେ। ଏସମ୍ପର୍କରେ ପୂର୍ବରୁ ପ୍ରଶାନ୍ତ ତନ୍ତିଆପାଳ ଥାନା ଅଧିକାରୀଙ୍କୁ ଭେଟି ଜଣାଇବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ନିବେଦନ କରିଥିଲେ ବି ଥାନାଧିକାରୀ ସେମାନଙ୍କୁ ଗିରଫ କରିବେ ନାହିଁ ବୋଲି ରୋକଠୋକ ମନାକରିଦେଇଥିବା ପ୍ରଶାନ୍ତ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଥାନା ଅଧିକାରୀ ସଞ୍ଜୟ କୁମାର ଜେନାଙ୍କୁ ଯୋଗାଯୋଗ କରାଯାଇଥିଲେବି ତାହା ସମ୍ଭବ ହୋଇନାହିଁ। କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧୀକାରୀ ଶ୍ରୀ ମଲ୍ଲିକଙ୍କୁ ଏସମ୍ପର୍କରେ ପଚାରିବାରେ ସେ କହିଥିଲେ ଯେ ଥାନା ଅଧିକାରୀଙ୍କୁ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି।


Next Post

ଷ୍ଟେଟବ୍ୟାଙ୍କ ପେନସନର୍ସଙ୍କ ସମସ୍ୟା ସମାଧାନ ବୈଠକ

Thu Nov 28 , 2024
କେନ୍ଦ୍ରାପଡ଼ା,୨୮ା୧୧: ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ବାଣିଜ୍ୟ କାର୍ଯ୍ୟାଳୟ, ପାରାଦୀପ ପକ୍ଷରୁ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ସମ୍ମିଳନୀ କକ୍ଷରେ ଷ୍ଟେଟବ୍ୟାଙ୍କର ପେନସନର୍ସମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଏକ ବୈଠକ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ବାଣିଜ୍ୟ କାର୍ଯ୍ୟାଳୟ ପାରାଦୀପର ମାନବସମ୍ବଳ ବିକାଶ ପରିଚାଳକ ସୁକାନ୍ତ କୁମାର ସାହୁଙ୍କ ପୈାରହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘ, ଭୁବନେଶ୍ୱର ସର୍କଲର ଆଞ୍ଚଳିକ ସମ୍ପାଦକ ଗଣେଶ୍ୱର ମେକାପ ଏହି ବୈଠକକୁ ପରିଚାଳନା […]

KANIKA