ନଦୀର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଅଧିବାସୀଙ୍କୁ ବିନାମୂଲ୍ୟରେ ବାଲି ନେବାକୁ ଅନୁମତି ପ୍ରଦାନ କରାଯାଉ- ବା-ମା-ପା ସୁରକ୍ଷା ମଞ୍ଚ



କେନ୍ଦ୍ରାପଡ଼ା,୨୯ା୧୧: କେନ୍ଦ୍ରାପଡା ଜିଲ୍ଲାରେ ଥିବା ନଦୀବନ୍ଧ ଗୁଡିକର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଅଧିବାସୀମାନଙ୍କୁ ସେହି ନଦୀରେ ଥିବା ବାଲିକୁ ବିନା ମୂଲ୍ୟରେ ନେବାକୁ ଜିଲ୍ଲାପାଳ ଅନୁମତି ଦିଅନ୍ତୁ ବୋଲି ମାଟି-ବାଲି-ପାଣି ସୁରକ୍ଷା ମଞ୍ଚ ପକ୍ଷରୁ ଆବାହକ ବିଧୁଭୂଷଣ ମହାପାତ୍ର ଦାବି କରିଛନ୍ତି । ଏ ନେଇ ମଞ୍ଚର ଆବାହକ ଶ୍ରୀ ମହାପାତ୍ର ଜିଲ୍ଲାପାଳ ସ୍ମୃତିରଞ୍ଜନ ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେ ତାଙ୍କ ଦାବିପତ୍ରରେ ଦର୍ଶାଇଛନ୍ତି ଯେ ନଦୀବନ୍ଧର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଜନସାଧାରଣ ନଦୀରେ ବନ୍ୟାଜଳ ଆସିଲେ ପ୍ରତିବର୍ଷ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ବନ୍ୟାଜଳରେ ସେମାନଙ୍କ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଘରଦ୍ୱାର ଭାଙ୍ଗିଯାଏ, ଜମିରେ ବାଲିଚର ମାଡିଯାଏ, ଗୋରୁ, ଗାଈ, ଛେଳି, ମେଣ୍ଢା ପ୍ରଭୃତି ଖାଇବାକୁ ନ ପାଇ ମୃତ୍ୟୁବରଣ କରିଥାନ୍ତି, ରାସ୍ତାଘାଟ ଦୁର୍ବଳ ହୋଇପଡିବାରୁ ଗମନାଗମନ ପାଇଁ ବର୍ଷତମାମ୍ ଲୋକମାନେ ହଇରାଣ ହରକତ ହୋଇଥାନ୍ତି । ନଦୀରେ ବୋହି ଆସୁଥିବା ବନ୍ୟାଜଳ ପ୍ରଭାବରେ କ୍ଷତି ସହୁଥିବା ଜନସାଧାରଣଙ୍କୁ ସରକାର ମାଗଣାରେ ବାଲି ଉଠାଇବାକୁ ଅନୁମତି ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି । ଅତୀତରେ ବାଲି ନିଲାମ ନାଁରେ ସରକାର ଓ ସ୍ଥାନୀୟ ପ୍ରଶାସନ କେବଳ ବାଲି ମାଫିଆଙ୍କୁ ସୃଷ୍ଟି କରିଛନ୍ତି । ବାଲି ମାଫିଆମାନେ ପରବର୍ତ୍ତୀ ସମୟରେ ଗ୍ୟାଙ୍ଗଷ୍ଟର ହୋଇ କେନ୍ଦ୍ରାପଡାରେ ଆତଙ୍କ ସୃଷ୍ଟି କରିବା ସହ ଆଇନ ଶୃଙ୍ଖଳା ବ୍ୟାହତ କରିଛନ୍ତି । ଏବେ ଯେଉଁମାନେ ପୁଣି ବାଲିଘାଟ ନେଉଛନ୍ତି ସେମାନେ ମଧ୍ୟ ଗ୍ୟାଙ୍ଗଷ୍ଟରମାନଙ୍କ ପଥକୁ ଅନୁସରଣ କରି ଆଇନକୁ ହାତକୁ ନେଉଛନ୍ତି । ବାଲି ପରିବହନରେ କେନ୍ଦ୍ରାପଡା ଅଞ୍ଚଳ ପ୍ରଦୂଷିତ ହେଉଛି । ବାଲି ପରିବହନ ଯୋଗୁଁ ରାସ୍ତାଘାଟ ମରଣଯନ୍ତା ପାଲଟୁଛି। ହାଇୱା ଦୁର୍ଘଟଣାରେ ଏଯାବତ୍ ୫୦ଜଣ ମୃତ୍ୟୁବରଣ କରିଥିବା ବେଳେ ବାଲି ମାଫିଆଙ୍କ ପାଇଁ ସରକାରୀ କଳର ପ୍ରତ୍ୟହ ଦୁଇଘଣ୍ଟା ସମୟ ନଷ୍ଟ ହେଉଛି । ତେଣୁ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ନଦୀଘାଟରୁ ସାଧାରଣ ଲୋକମାନେ ବିନା ରୟାଲିଟି ଓ ବିନା ମୂଲ୍ୟରେ ବାଲି ନେବାକୁ ସେମାନଙ୍କୁ ସୁଯୋଗ ପ୍ରଦାନ ନିମନ୍ତେ ସୁରକ୍ଷା ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଏକମାସ ହେବ ଦୁଇ ବାଲି ମାଫିଆଙ୍କ ଯୁଦ୍ଧରେ ଏକଶହରୁ ଅଧିକ ଟ୍ରାକ୍ଟର ମାଲିକ, ଚାଳକ, ମୂଲିଆ ଓ ଦୁଇହଜାର ଶ୍ରମିକ ଉପବାସ ରହିଥିବା ମଞ୍ଚ ଅଭିଯୋଗ କରିଛି । ଏଣୁ ମାଡି-ବାଲି-ପାଣି ସୁରକ୍ଷା ମଞ୍ଚ ପ୍ରଥମ ଥର ପାଇଁ ଜିଲ୍ଲାର ସଦର ଥାନା ଗହଗା ଘାଟରୁ ଆସନ୍ତା ଡିସେମ୍ବର ୧ ତାରିଖରେ ବିନାମୂଲ୍ୟରେ ଟ୍ରାକ୍ଟର ଯୋଗେ ବାଲି ଉଠାଇବା ପାଇଁ ନିଷ୍ପତ୍ତି ନେଇଥିବାରୁ ଜିଲ୍ଲାପାଳ ଏଥିରେ ସହଯୋଗ କରିବାକୁ ମାଟି-ବାଲି-ପାଣି ସୁରକ୍ଷା ମଞ୍ଚ ପକ୍ଷରୁ ଆବାହକ ବିଧୁଭୂଷଣ ମହାପାତ୍ର, ଉତ୍ତମ ଚରଣ ସ୍ୱାଇଁ, ଚିତ୍ତରଞ୍ଜନ ରାଉତ, ଅଶୋକ ମୋହନ ଜେନା, ମାନସ ଜେନା, ସାନ୍ତନୁ କୁମାର ସାହୁ, ଦୁର୍ଯୋଧନ ଜେନା ପ୍ରମୁଖ ଦାବି କରିଛନ୍ତି ।


Next Post

ବଡ଼ ସ୍ୱପ୍ନ ଦେଖିଲେ ବଡ଼ ହେବା ପାଇଁ ସାହସ ଓ ଉତ୍ସାହ ପାଇପାରିବ ସହିତ ଲକ୍ଷ୍ୟ ସ୍ଥଳରେ ପହଂଚି ପାରିବେ

Sat Nov 30 , 2024
କଷଣଅଂଟାରେ ବ୍ଲକସ୍ତରୀୟ ଜ୍ଞାନ ବିଜ୍ଞାନ ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ପଟ୍ଟାମୁଣ୍ଡାଇ ୨୯/୧୧ କଳ୍ପତରୁ ନାୟକ-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଦୁଇଟି ପର୍ଯ୍ୟାୟରେ ଶୁକ୍ରବାର ଅନୁଷ୍ଟିତ ହୋଇଯାଇଛି। ବ୍ଲକ ବିଜ୍ଞାନ ସଂଯୋଜକ ପ୍ରଭାସ ରଞ୍ଜନ ପ୍ରଧାନଙ୍କ ପୌରହିତ୍ୟ ପୁର୍ବାହ୍ନ ୧୦ଠାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟ ଅତିଥି, କଷଣଅଂଟା ହାଇସ୍କୁଲର ପ୍ରାକ୍ତନ ଶିକ୍ଷକ କବି ସଚିତ୍ର ବେହୁରା ମୁଖ୍ୟବକ୍ତା, […]

KANIKA