
କେନ୍ଦ୍ରାପଡା , ୧/୧୨ – ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦେଶ ଓ ବିଦେଶରୁ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ପାଇଁଁ ରବିବାର ଠାରୁ ଆସନ୍ତା ଫେବୃଆରୀ ୨୯ ପର୍ଯ୍ୟନ୍ତ ଇକୋ ରିଟ୍ରିଟ ଫେଷ୍ଟିଭାଲର ଆୟୋଜନ କରାଯାଉଛି। ଓଡ଼ିଶାର ଭିତରକନିକା, ସାତକୋଶିଆ, ହୀରାକୁଦ, ଦାରିଙ୍ଗବାଡି ଓ ପୁତସିଲଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଟେଣ୍ଟ ଘର କରି ଇକୋ ରିଟ୍ରିଟର ଶୁଭାରମ୍ଭ କରାଯାଇଛି। କେନ୍ଦ୍ରାପଡ଼ା ଜିଲା ରାଜନଗର ଭିତରକନିକାର ପେଣ୍ଠ ବେଳାଭୂମିରେ ଚଳିତବର୍ଷ ଇକୋ ରିଟ୍ରିଟ୍ ରବିବାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗଦେଇ କାହିଥିଲେ ରାଜ୍ୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଏହା ଏକ ବଡ଼ ପଦକ୍ଷେପ। ଦେଶର ବିଭିନ୍ନ ରାଜ୍ୟରୁ ପର୍ଯ୍ୟଟକଙ୍କ ସମାଗମ ହେବ ସହ ଭିତରକନିକା ବିଭବକୁ ଉପଭୋଗ କରିବେ । ସ୍ଥାନୀୟ ଅଂଚଳବାସୀଙ୍କ ସାମାଜିକ, ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ଘଟିବ । ଅନ୍ୟ ସ୍ଥାନ ଅପେକ୍ଷା ଭିତରକନିକା ଇକୋ ରିଟ୍ରିଟ ପୂର୍ବ ବର୍ଷ ମାନଙ୍କରେ ଅଧିକ ସଫଳ ହୋଇଥିଲା ବୋଲି ସେ ମତ ପ୍ରକାଶ କରିଥିଲେ ।

ଏହି ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତି ରଂଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର,ଅତିରିକ୍ତ ଏସପି ଦେବାଶିଷ ଧଳ, ପର୍ଯ୍ୟଟନ ବିଭାଗର ଅଧିକାରୀ ହିମାଳୟା ତ୍ରିପାଠୀ , ପଂଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ଭାରାପ୍ରାପ୍ତ ବିଡ଼ିଓ ଅଜିତ ନାରାୟଣ ପ୍ରସାଦ ଗିରି, ତହସିଲଦାର ଅଜୟ କୁମାର ମହାନ୍ତି, ଆଇଆଇସି ଅଜୟ କୁମାର ଜେନା, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ, ଏସଡିପିଓ କ୍ଷମା ସାଗର ପଣ୍ଡା , ସରପଂଚ କୈଳାସ ପରିଡା,ଗୋଲେଖ ସ୍ୱାଇଁ,ଅଶୋକ ମହାନ୍ତି, ସମୀର ସେଠୀ, ସମିତିସଭ୍ୟ ସଞ୍ଜୟ ସ୍ୱାଇଁ ,ବରିଷ୍ଠ ନେତା ଅରୁଣ ସାହୁ, ବିଜୟ ନାୟକ, ସର୍ବେଶ୍ୱର ମହାନ୍ତି, ଦେବେନ୍ଦ୍ର ଜେନା,ଶ୍ରୀକାନ୍ତ ପ୍ରଧାନ,ପ୍ରମୋଦ ପ୍ରଧାନ,ସତ୍ୟବାନ ସେଠୀ ଯୁବ ନେତା ରକେଶ ନାୟକ, ସରୋଜ ରାଉତ,ଦାମୋଦର ମହାନ୍ତି ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ବିଶ୍ୱ ପ୍ରସିଦ୍ଧ ଭିତରକନିକାରେ ଏବେ ଚାଲିଛି ପର୍ଯ୍ୟଟନ ଋତୁ । ପ୍ରକୃତିପ୍ରେମୀ ପର୍ଯ୍ୟଟକମାନେ ଭିତରକନିକା ପରିଭ୍ରମଣ ଓ ଜଳଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ଇକୋ ରିଟ୍ରିଟରେ ରହିବାକୁ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜଳପଥ ଓ ସ୍ଥଳପଥରେ ଭିତରକନିକାର ପରିଭ୍ରମଣର ସୁଯୋଗ ଦିଆଯିବ । ଦିନରେ ଭିତରକନିକାର ଶୋଭା ଅନୁଭବ କରିବେ ଓ ରାତିରେ ବେଳାଭୂମିରେ ନିଆରା ଅନୁଭୂତି ଉପଭୋଗ କରିବେ । ପେଣ୍ଠ ବେଳାଭୂମି ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ । ଏଠାରେ ପର୍ଯ୍ୟଟକ ମାନେ ସମୁଦ୍ର ସ୍ନାନର ମଜାନେବା ସହ ବଣଭୋଜି କରି ଆତ୍ମତୃପ୍ତିରେ ଫେରିଥାନ୍ତି । ପେଣ୍ଠ ପ୍ରବେଶ ପଥରେ ଆରାଧ୍ୟ ପ୍ରଭୁ ଶ୍ରୀ ବନବିହାରୀଜୀଉ ମନ୍ଦିର ଓ ଶିବମନ୍ଦିର ରହିଛି । ଏଠାରେ ଓଡିଶାର ପ୍ରଥମ ଓ ଭାରତର ଦ୍ୱିତୀୟ ୫୦୫ ମିଟରର ଜିଓ ସିନ୍େଥଟିକ ୱାଲ ରହିଛି । ଏଠାରେ ଝାଉଁ ଜଙ୍ଗଲ ସହିତ ସମୁଦ୍ରରେ ୬ ପ୍ରଜାତିର ଡଲଫିନଙ୍କ ଜଳକ୍ରୀଡା ଓ ରଂଗ ବେରଂଗର ଦେଶୀ ବିଦେଶୀ ପର୍ଯ୍ୟଟକଙ୍କୁ ଭରପୁର ଆନନ୍ଦ ଦେଇଥାଏ । ପେଣ୍ଠର ଗୋଟିଏ ପଟରେ ବରୁଣେଇ ମୁହାଁଣ ଥିବା ବେଳେ ଅନ୍ୟପଟେ ରହିଛି ଭିତରକନିକା ଜାତୀୟ ଉଦ୍ୟାନ । ୩ କିଲୋମିଟର ବ୍ୟାପ୍ତ ବିସ୍ତୀର୍ଣ୍ଣ ବେଳାଭୂମି ଓ ବେଳାଭୂମିରେ ନାଲି କଙ୍କଡା କଉତୁକିଆ ଖେଳ ଇକୋରିଟ୍ରିଟକୁ ଆସୁଥିବା ପର୍ଯ୍ୟଟକଙ୍କୁ ନିଶ୍ଚିତ ଆକୃଷ୍ଟକରିବ । ବଂଗୋପସାଗରରେ ଅଲିଭରିଡଲେଙ୍କ ଜଳକ୍ରୀଡା ଓ ବେଳାଭୂମିରେ ଅଣ୍ଡା ଦେବାର ବିରଳ ଦୃଶ୍ୟ ଦେଖିବାକୁ ପାଇବେ । ୨୦୨୦ ମସିହାରେ ପ୍ରଥମଥର ପାଇଁ ଭିତରକନିକାର ନଳିତାପାଟିଆ ଠାରେ ଇକୋ ରିଟ୍ରିଟ ଅନୁଷ୍ଠିତ ହୋଇଥିଲା । ଗତବର୍ଷ ଠାରୁ ପେଣ୍ଠ ବେଳାଭୂମିରେ ଏହି ଇକୋ ରିଟ୍ରିଟ ଆୟୋଜନ କରାଯାଊଛି ।










