
କେନ୍ଦ୍ରାପଡା,୨ା୧୨: ଭିନ୍ନକ୍ଷମଙ୍କ ଥେରାପି ସେବା ଓ ସାମାଜିକ ପୁନଃପ୍ରତିଷ୍ଠା ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ମାଧପୁରସ୍ଥିତ ଅମର ଉଦ୍ୟାନ ପରିସରରେ “ପୁନର୍ବାସ ସୃଜନ ସମ୍ମାନ ଓ ପୁସ୍ତକ ଉନ୍ମୋଚନ ଉତ୍ସବ’ ଅନୁଷ୍ଟିତ ହୋଇଯାଇଛି । ପ୍ରତିଷ୍ଠାତା ଓ ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ପ୍ରାକ୍ତନ୍ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସ୍ୱାଗତ ଭାଷଣ ଓ ଅତିଥି ନିମନ୍ତ୍ରଣ କରିଥିଲେ । କେମ୍ର ସଭାପତି ଅକ୍ଷୟ କୁମାର ପାଣି ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସଭ୍ୟ ସ୍ୱପ୍ନାଂଶୁ କୁମାର ଦାସ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ୍ ସୂଚନା ଦେବା ସହ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହାପରେ ବିରଜା ରାଉତରାୟଙ୍କ ୫ମ କବିତା ସଙ୍କଳନ ବରେଣ୍ୟ ଅତିଥିମାନଙ୍କ ଦ୍ୱାରା ପାଠକାର୍ପିତ ହୋଇଥିଲା।କାର୍ଯ୍ୟକ୍ରମର ଉଦଘାଟକ ଭାବେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ବ୍ରତତୀ ହରିଚନ୍ଦନ ଭିନ୍ନକ୍ଷମଙ୍କୁ କେବେ ବି ଦୟାର ପାତ୍ର ନ ଭାବି କିମ୍ବା ସ୍ୱତନ୍ତ୍ର ଗୋଷ୍ଠୀ ବୋଲି ନ ଭାବି ତାଙ୍କ ସକ୍ଷମତାକୁ ଚାହିଁ ସେମାନଙ୍କୁ ମୂଲ୍ୟାଙ୍କନ କରନ୍ତୁ ବୋଲି ମତ ରଖିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଠ ପ୍ରାବନ୍ଧିକ ଓ ସମାଲୋଚକ ପ୍ରଫେସର ଡ. ବାବାଜୀ ଚରଣ ପଟ୍ଟନାୟକ ଲୋକାର୍ପିତ ହୋଇଥିବା କବିତା ପୁସ୍ତକର ବିଶେଷତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରଖ୍ୟାତ କଥାକାର ଡ. ରାମଚନ୍ଦ୍ର ବେହେରା ଯୋଗଦେଇ ସମସ୍ତେ କିଛି ନା କିଛି କ୍ଷେତ୍ରରେ ଭିନ୍ନକ୍ଷମ ଅଟନ୍ତି ବୋଲି କହିଥିଲେ ଓ ସେମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ପ୍ରଶଂସା କରିଥିଲେ । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଠ କବୟିତ୍ରୀ ପ୍ରତିଭା ପରିଡା ଓ ବରିଷ୍ଠ ପ୍ରାବନ୍ଧିକ ଗୌରାଙ୍ଗ ସାହୁଙ୍କୁ ପୁନର୍ବାସ ସୃଜନ ସମ୍ମାନ ଏବଂ ଯୁବବର୍ଗଙ୍କ ପାଇଁ ପ୍ରେରଣା ସାଜିଥିବା ଦୃଷ୍ଟିବାଧିତ କଣ୍ଠଶିଳ୍ପୀ ରଞ୍ଜିତ ରଂଜନ ନାୟକଙ୍କୁ “ସଙ୍ଗୀତଶ୍ରୀ ସମ୍ମାନ’, ଚଳନ ଶକ୍ତି ବାଧିତ ପ୍ରଶାନ୍ତ ନାୟକଙ୍କୁ “କ୍ରୀଡ଼ାଶ୍ରୀ ସମ୍ମାନ’ ଏବଂ ଦୃଷ୍ଟି ବାଧିତ ଗୋଲୁ ତିରୁପତି ରେଡିଙ୍କୁ “ଯୁବଶ୍ରୀ ସମ୍ମାନ’ ପ୍ରଦାନ କରାଯାଇଥିଲା । ଅପରାହ୍ନରେ ଅନୁଷ୍ଠିତ ଉଭୟ ଭିନ୍ନକ୍ଷମ ଓ ସକ୍ଷମ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମୁକ୍ତାକାଶ ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଭ୍ୟ ସଂଗ୍ରାମ ଚୌଧୁରୀ, ଜ୍ୟୋତିରଞ୍ଜନ ନାୟକ, ଗୁଞ୍ଜନସ୍ମିତା ବେହେରା, ରଚିତା ଜେନା, ସଂଜୀବ କୁମାର ବେହେରା, ମହମ୍ମଦ ଜାହିଦ ଖାଁ, ଅମରିନ ସାହାଦତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଶତାଧିକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ପରିଶେଷରେ ସହସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।











