
କେନ୍ଦ୍ରାପଡା୨୦/୧୨- କେନ୍ଦ୍ରାପଡା କଳା, ସଂସ୍କୃତି ଓ ବୌଦ୍ଧିକତାର ବିକାଶ କ୍ଷେତ୍ରରେ କାର୍ଯ୍ୟରତ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ (କେମ) ପକ୍ଷରୁ ଆଗାମୀ ଜାନୁଆରୀ ୬ରୁ ୧୩ଯାଏ ସହରର ମହୀପାଳ ଟେଲିକମ ପଡିଆରେ ରାଜ୍ୟସ୍ତରୀୟ ପୁସ୍ତକମେଳାର ୨୨ତମ ସଂସ୍କରଣ ଅନୁଷ୍ଠିତ ହେବ। ଜିଲ୍ଲା ସଂସ୍କୃତି ବିଭାଗ ସହଯୋଗୀତାରେ ଏହାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ କେମର କର୍ମକର୍ତ୍ତାମାନେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଭେଟି ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ରାପଡ଼ା ପରିକ୍ରମାର “ଯୁବ ପ୍ରତିଭା ବିଶେଷାଙ୍କ’ ଉନ୍ମୋଚିତ ହେବ। ଅଧିକ ସଂଖ୍ୟାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କୁ ମେଳାରେ ସମ୍ପୃକ୍ତ କରିବା ସହ ପ୍ରତିଭା ଅନ୍ୱେଷଣ ନିମନ୍ତେ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ। ପ୍ରତିଦିନ ମଞ୍ଚରେ ସାହିତ୍ୟ ସଭା, ଆଲୋଚନା ଚକ୍ର ତଥା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ପୁସ୍ତକ କ୍ରୟ ଉପରେ ସ୍ୱତନ୍ତ୍ର ରିଆତି ବ୍ୟବସ୍ଥା ସହିତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ। କେମର ସଭାପତି ଇଂ ଅକ୍ଷୟ କୁମାର ପାଣିଙ୍କ ସହ ବଂଶୀଧର ମହାନ୍ତି, ସରୋଜକାନ୍ତ ସାହୁ, ନୃସିଂହ ତ୍ରିପାଠୀ, ଜ୍ୟୋତିରଞ୍ଜନ ନାୟକ ପ୍ରମୁଖ ଆଲୋଚନାରେ ଉପସ୍ଥିତ ଥିଲେ।











