ନବାଙ୍କ ବେଢା ଭଜନ ଓ ନୃତ୍ୟ ସମାରୋହ ପ୍ରସ୍ତୁତି



କେନ୍ଦ୍ରାପଡା,୬ା୧: ଶ୍ରୀଜଗନ୍ନାଥଙ୍କ ଅନନ୍ୟ ସଂସ୍କୃତି ଓ ପରମ୍ପରା ଅନୁସାରେ ମକର ସଂକ୍ରାନ୍ତିର ପୂର୍ବ ଦିବସକୁ ନବାଙ୍କ ବେଢା କୁହାଯାଏ । ଏହି ଦିନ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ନବାଙ୍କ ବେଢା ଉତ୍ସବ ଯଥାବିଧି ପାଳନ କରାଯାଏ । ଏହି ଦିନ ମହାଲକ୍ଷ୍ମୀ ବାପଘର ବରୁଣାଳୟରେ ଏକ ମାସ ଅବସ୍ଥାନ କରି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ଏବଂ ସାଥିରେ ମହାପ୍ରଭୁଙ୍କ ମଣୋହି ପାଇଁ ଚୌରାଶୀ ବ୍ୟଞ୍ଜନ ନେଇ ଆସିଥାନ୍ତି । ସେଥିପାଇଁ ଚାରିଥର ଶ୍ରଦ୍ଧାଳୁ ଭକ୍ତମାନଙ୍କ ଗହଣରେ ବିଜେ ପ୍ରତିମା ବେଢା ପରିକ୍ରମା କରିଥାନ୍ତି । ଏହି ଅପୂର୍ବ ଦୃଶ୍ୟ ଅବଲୋକନ କଲେ ପିତୃପୁରୁଷ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି । ଏହି ଦିବସକୁ ଅଧିକ ସରସ ସୁନ୍ଦର କରିବାକୁ ପ୍ରତିବର୍ଷ ନବାଙ୍କ ବେଢା ଅବସରରେ ତୁଳସୀ କ୍ଷେତ୍ରାଧିଶ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୂଲ୍ୟରେ ବଳଦେବ ଭଜନ ଏବଂ ବଳଦେବଜୀଉଙ୍କ ଉପରେ ଆଧାରିତ ଭଜନରେ ନୃତ୍ୟ ପରିବେଷଣ କରାଯାଏ । ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବରେ ପାଳନ କରିବାକୁ ୫ ତାରିଖ ସଂଧ୍ୟା ୬ଟାରେ କଳାନିକେତନର ସମ୍ପାଦକ ତଥା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଚିରସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସର୍ବସମ୍ମତି କ୍ରମେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଚୁଡାନ୍ତ ନିଷ୍ପତ୍ତି ଗ୍ରହଣ କରାଗଲା । ପ୍ରଥମେ ସଂକ୍ଷିପ୍ତ ଉଦ୍‌ଘାଟନୀ ସଭା, ପ୍ରଦୀପ ପ୍ରଜ୍ଜ୍ୱଳନ, ନବାଙ୍କ ବେଢା ସ୍ୱାଗତ ସଂଗୀତ ପରିବେଷଣ ପରେ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଭଜନ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ପ୍ରସ୍ତୁତ କରାଯିବ । ପରେ ପରେ ବିମଳ ପରିଡାଙ୍କ ରଚିତ ଏବଂ ଅନ୍ୟାନ୍ୟ କବିଙ୍କ ବିରଚିତ ବଳଦେବ ଭଜନ ଓ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯିବାକୁ ସ୍ଥିର କରାଗଲା । ଏଥିରେ ଗୁରୁ ସମୀରଂଜନ ଦାସ, ପ୍ରମୋଦ ଦାସ, ପ୍ରକାନ୍ତ ମହାରଣା, ନିରୁପମା ଜେନା, ରଂଜନ ବରାଳ, କୈଳାସ ପରିଡା, ଅଜୟ ଜେନା, ରେଡିଓ ଭାବଗ୍ରାହୀର ମୁଖ୍ୟ ଧୀରାମଣି ପରିଡା, ଇଂ ବିଶ୍ୱଜିତ୍ ପରିଡା, ସୁଶ୍ରୀ ସଂଗୀତା ଜେନା, ରୂପାଲି ସୂତାର, ସ୍ମୃତିରେଖା ବିଶ୍ୱାଳ, ପ୍ରତୀକ୍ଷା ନାୟକ, ଉପେନ୍ଦ୍ର ପାଢୀ, ନିରଂଜନ ପରିଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading