
କେନ୍ଦ୍ରାପଡା,୬ା୧: କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ୮ ଦିନିଆ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଫେସର ଅଶୋକ କୁମାର ଦାସ ଉଦ୍ଘାଟନ କରି ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି କୌଶଳ ଗୁଡିକ କିପରି ପ୍ରତ୍ୟେକ ଛାତ୍ରୀପାଇଁ ନିତ୍ୟାନ୍ତ ଆବଶ୍ୟକ ତାହା ତାଙ୍କ ଉଦ୍ବୋଧନ ମାଧ୍ୟମରେ ପ୍ରକାଶ କରିଥିଲେ । ଏଥିରେ ଅଂଶ ଗ୍ରହଣ କରୁଥିବା ପ୍ରଥମ ବର୍ଷ +୨ ଛାତ୍ରୀମାନଙ୍କୁ ଅଭିପ୍ରେରଣା ଦେଇଥିଲେ । ପରିସଂଖ୍ୟାନ ବିଭାଗର ପ୍ରାଧ୍ୟାପିକା ପୂର୍ଣ୍ଣମାସୀ ପଣ୍ଡା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ସମସ୍ତ ଛାତ୍ରୀମାନଙ୍କୁ ଏହି କୌଶଳକୁ ଶିକ୍ଷାଲାଭ କରି ଦୈନନ୍ଦିନ ଜୀବନରେ ପ୍ରୟୋଗ କରି ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକୁ ସାହସର ସହିତ ସମାଧାନ କରିବା ପାଇଁ ଅଭିପ୍ରେରଣା ଯୋଗାଇ ଦେଇଥିଲେ । କ୍ୟାପ୍ଟେନ୍ ସୀମା ମହାନ୍ତି ସ୍ୱାଗତ ଅଭିଭାଷଣ ଦେଇ ଏହି ତାଲିମ ଶିବିର ସମ୍ବନ୍ଧରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଉକ୍ତ ତାଲିମ ଶିବିରରେ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରୀ ଯୋଗଦାନ କରିବା ପାଇଁ ପଞ୍ଜିକରଣ କରିଥିଲେ । ଏହି ଶିବିରଟି ୮ ଦିନଧରି ଜାନୁଆରୀ ୬ ତାରିଖରୁ ଜାନୁୟାରୀ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । +୨ ପ୍ରଥମ ବର୍ଷର ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା କୌଶଳର ପ୍ରଶିକ୍ଷଣ ଦେବା ପାଇଁ ୩ ଜଣ ମାଷ୍ଟ୍ର ଟ୍ରେନର୍ ନିଯୁକ୍ତ ହୋଇଛନ୍ତି । ଶେଷରେ ଏସଡିଟିପିର ପ୍ରୋଗ୍ରାମ ଅଫିସର୍ ମୋନାଲିସା ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

