୨ୟ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ସମିତି ବୈଠକ



କେନ୍ଦ୍ରାପଡ଼ା, ୬ା୧ : କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ସୋମବାର ଅପରାହ୍ନରେ ଜିଲ୍ଲାପାଳ ସ୍ମତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ସମିତିର ୨ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜାନୁୟାରୀ ୧୦ତାରିଖରୁ ଜିଲ୍ଲାର୧୧୮ ଗୋଟି ପ୍ୟାକ୍କ୍ସର ୧୨୩ ଗୋଟି ମଣ୍ଡି ମାଧ୍ୟମରେ ଧାନକ୍ରୟ କରାଯିବାକୁ ନିଷ୍ପତିଗ୍ରହଣ କରାଯାଇଛି। ମଣ୍ଡିଗୁଡିକର ଭିତ୍ତିଭୂମି ଓ ଧାନର ମାନ ନିର୍ଦ୍ଧାରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଯୋଗୀ ଯନ୍ତ୍ରପାତି ଗୁଡିକର ବ୍ୟବସ୍ଥା କରାଯାଇଛି। ମଣ୍ଡିଗୁଡିକ ସପ୍ତାହରେ ୩ଦିନ ଧାନ ସଂଗ୍ରହ କରିବେ। ସକାଳ ୮ ଘଟିକା ରୁ ଦିନ ୨ ଘଟିକା ମଧ୍ୟରେ ଧାନ ସଂଗ୍ରହ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ୨୪ ଘଣ୍ଟା ରୁ ୭୨ ଘଣ୍ଟା ମଧ୍ୟରେ ଟୋକନ ଧାରୀ ଚାଷୀଙ୍କ ଅକାଉଣ୍ଟକୁ ସିଧାସଳଖ ଅର୍ଥ ରାଶି ପ୍ରେରଣ କରାଯିବ। ଚଳିତ ବର୍ଷ ୪୪,୦୧୬ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ବୈଧ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ରହିଛି୪୪,୦୦୪ଜଣ ଓ ଧାନ ସଂଗ୍ରହ ପାଇଁ ଆରଏମସି ମାଧ୍ୟମରେ ୫ ଗୋଟି ସଚେତନତା ରଥ ଦ୍ୱାରା ପ୍ରଚାର ପ୍ରସାର କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ପ୍ରଥମ କିସ୍ତିରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୫୮,୦୦୯ ମେଟ୍ରିକ ଟନ ଧାନ ଚାଷୀଙ୍କ ଠାରୁ ସଂଗ୍ରହକରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ମଣ୍ଡିରେ ଧାନ ସଂଗ୍ରହ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ଜଣ କ୍ୱାଲିଟି ଆନାଲାଇଜରଙ୍କୁ ନିଯୁକ୍ତି ଦିଆଯାଇଥିବା ଜିଲ୍ଲାପାଳ ଅବଗତ କରାଇଥିଲେ। ଟୋକାନ ଅନୁସାରେ ଧାନ କିଣିବା, ଟୋକାନର ଧାର୍ଯ୍ୟ ସମୟ ସୀମାର ଅତିରିକ୍ତ ୧୫ ଦିନ ବଳବତ୍ତର (ଜିଲ୍ଲାପାଳଙ୍କ ପରିସରଭୁକ୍ତ କ୍ଷମତା ) ସମ୍ପର୍କରେ ଅବଗତ କରାଇବା, ସୋସାଇଟି ଫଳକରେ ଟୋକନ ଧାରୀ ପଞ୍ଜୀକୃତ ଚାଷୀଙ୍କ ନାମ ପ୍ରକାଶ କରିବା, ମଣ୍ଡି ଅନୁଯାଇ ଚାଷୀମାନଙ୍କ ନାମ ଫଳକରେ ପ୍ରକାଶ କରିବା, ମିଲର ମାନଙ୍କ ଦ୍ୱାରା ଅଖା ଯୋଗାଇ ଦେବା, ପ୍ରତ୍ୟେକ ମଣ୍ଡିରେ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା, ୩୭ ଗୋଟି ମଣ୍ଡିର ନବ ନିର୍ମାଣ କାର୍ଯ୍ୟ, ମଣ୍ଡିରେ ସିସି କ୍ୟାମେରାର ବ୍ୟବସ୍ଥା ଆଦି ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା। ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଅବଗତ କରାଇଥିଲେ ଯେ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ନିମନ୍ତେ ଏ ପର୍ଯ୍ୟନ୍ତ ୨୭ ଜଣ ମିଲର ଅଂଶ ଗ୍ରହଣ କରିବା ପାଇଁ ସେମାନଙ୍କର ସହମତି ପତ୍ର ପ୍ରଦାନ କରିବା ସହିତ ଅଧିକ ୩ ଗୋଟି ଉଷୁନା ମିଲ ଓ ୩ ଗୋଟି ଅରୁଆ ମିଲ ନୂତନ ଭାବେ ଅଂଶ ଗ୍ରହଣ କରିବା ପାଇଁ ପଞ୍ଜୀକରଣ କରିଛନ୍ତି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଲୋକସଭା ସାଂସଦଙ୍କ ପ୍ରତିନିଧି ସଞ୍ଜୟ ରଥ, କେନ୍ଦ୍ରାପଡ଼ାର ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ରାଜନଗର ବିଧାୟକଙ୍କ ପ୍ରତିନିଧି ପ୍ରଦ୍ୟୁମ୍ନ ସାମନ୍ତରାୟ, ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ ରାୟ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ବରିଷ୍ଠ ଏଆରସିଏସ ସନ୍ତୋଷ କୁମାର ଦାସ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ କୁମାର ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଯୋଗାଣ ନିରୀକ୍ଷକ, ମାପ ଓଜନ ନିରିକ୍ଷକ, ଆରଏମସିର ପଦାଧିକାରୀ, ସୋସାଇଟିର ସମ୍ପାଦକ, ମିଲର, ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ଶେଷରେ ଆନୁଷ୍ଠାନିକ ଧନ୍ୟବାଦ ପ୍ରଦାନ କରିଥିଲେ।


Next Post

କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Tue Jan 7 , 2025
କେନ୍ଦ୍ରାପଡା, ୬ା୧: କେନ୍ଦ୍ରାପଡ଼ା ସଦର ମହକୁମାରେ ସୋମବାର ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ଣ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ପୈାରସଂସ୍ଥା ଟାଉନ୍‌ହଲ୍ ପରିସରରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଉପ-ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, […]

KANIKA